ନୂଆଦିଲ୍ଲୀ, ୨୧।୭: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନୀତି ଯୋଗୁଁ ସାରା ବିଶ୍ୱର ବ୍ୟବସାୟିକ କ୍ଷେତ୍ରରେ ହଲଚଲ ଦେଖାଦେଇଛି । ଯୁଦ୍ଧ ଏବଂ ବାଣିଜ୍ୟ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ଆକ୍ରାମକ ନୀତି ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏହି ବାଣିଜ୍ୟିକ ଟାଣପୋଡ଼ା ମଧ୍ୟରେ ଭାରତ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି । ନିକଟରେ ଆମେରିକା, କାନାଡ଼ା ଉପରେ ୫୦% ରିଫ୍ ଲଗାଇବାକୁ ଘୋଷଣା କରିଛି । ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ କାନାଡ଼ାକୁ ପ୍ରବଳ କ୍ଷତି ସହିବାକୁ ପଡ଼ିପାରେ, କିନ୍ତୁ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଏହା ଆମେରିକା ବଜାରରେ ନିଜର ଆଧିପତ୍ୟ ବିସ୍ତାର କରିବାର ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ।
ଆମେରିକା-କାନାଡ଼ା ବ୍ୟବସାୟ ଏବଂ ଟାରିଫ୍ର ପ୍ରଭାବ:
ଆମେରିକା ଏବଂ କାନାଡ଼ା ମଧ୍ୟରେ ବାର୍ଷିକ ପ୍ରାୟ ୮୦୦ ଅରବ ଡଲାରର ବ୍ୟବସାୟ ହୋଇଥାଏ । ନୂଆ ଶୁଳ୍କ ନିୟମ ଯୋଗୁଁ କାନାଡ଼ାର ପ୍ରାୟ ୨୦ ଅରବ ଡଲାରର ବ୍ୟବସାୟ ପ୍ରଭାବିତ ହେବାକୁ ଯାଉଛି । ବିଶେଷକରି ଟେକ୍ସଟାଇଲ୍, କାଠ ସାମଗ୍ରୀ, ମେସିନାରୀ, କୃଷି ଓ ଦୁଗ୍ଧଜାତ ଦ୍ରବ୍ୟ, ଷ୍ଟିଲ୍ ଏବଂ ଆଲୁମିନିୟମ୍ ସେକ୍ଟର ପ୍ରଭାବିତ ହେବ ।
ଏହା ବି ପଢ଼ନ୍ତୁ... NEET success story : ମୂଲିଆ ମା'ର ଗରିବ ପୁଅଟା ଡାକ୍ତର ବାବୁ ହେବ, ରଙ୍ଗ ବୋଳୁଥିବା ହାତରେ ଷ୍ଟେଥୋସ୍କୋପ୍ ଧରି ରୋଗୀ ସେବା କରିବ
କେଉଁ କ୍ଷେତ୍ରରେ ଭାରତକୁ ମିଳିବ ସବୁଠୁ ଅଧିକ ଫାଇଦା ?
୧. ଟେକ୍ସଟାଇଲ୍ ଓ ଗାର୍ମେଣ୍ଟ:
କାନାଡ଼ାରୁ ଆମେରିକା ଯାଉଥିବା ପୋଷାକ ଉପରେ ଟାରିଫ୍ ବଢ଼ିବା ଯୋଗୁଁ ଆମେରିକୀୟ କ୍ରେତାମାନେ ଏବେ ଭାରତ, ଭିଏତନାମ ଓ ବାଂଲାଦେଶ ଆଡ଼କୁ ମୁହାଁଇବେ, ଯାହାର ସିଧାସଳଖ ଫାଇଦା ଭାରତୀୟ କମ୍ପାନୀଙ୍କୁ ମିଳିବ ।
୨. କେମିକାଲ୍:
ସାମ୍ପ୍ରତିକ ସମୟରେ ଭାରତର କେମିକାଲ୍ ରପ୍ତାନି ବୃଦ୍ଧି ପାଉଛି । କାନାଡ଼ାର ବ୍ୟବସାୟ ମନ୍ଦା ପଡ଼ିଲେ ଭାରତୀୟ କେମିକାଲ୍ କମ୍ପାନୀଗୁଡ଼ିକ ନିଜର ବଜାର ଆହୁରି ବଢ଼ାଇ ପାରିବେ ।
୩. ଇଞ୍ଜିନିୟରିଂ ଓ ମେସିନାରୀ:
ଆମେରିକା ନିଜର ଅଧିକାଂଶ ଇଞ୍ଜିନିୟରିଂ ସାମଗ୍ରୀ କାନାଡ଼ାରୁ ମଗାଇଥାଏ । ଏବେ ଭାରତୀୟ କମ୍ପାନୀଗୁଡ଼ିକ ମେସିନ୍ ପାର୍ଟସ୍, ଶିଳ୍ପ ଯନ୍ତ୍ରାଂଶ ଏବଂ ମ୍ୟାନୁଫ୍ୟାକ୍ଚରିଂ କମ୍ପୋନେଣ୍ଟସ ରପ୍ତାନି କରି ବଡ଼ ଅର୍ଡର ହାସଲ କରିପାରିବେ ।
୪. ଫର୍ନିଚର ଓ ନିର୍ମାଣ ସାମଗ୍ରୀ:
କାନାଡ଼ାରୁ ଆସୁଥିବା କାଠ ଓ ନିର୍ମାଣ ସାମଗ୍ରୀ ମହଙ୍ଗା ହେବା ପରେ ଆମେରିକା ଭାରତୀୟ ଫର୍ନିଚର ଓ ନିର୍ମାଣ ସାମଗ୍ରୀ ଆଡ଼କୁ ଆକୃଷ୍ଟ ହେବ ।
୫. କୃଷି ଓ ଖାଦ୍ୟ ଉତ୍ପାଦ:
ଭାରତୀୟ ମସଲା, ପ୍ରୋସେସଡ୍ ଫୁଡ୍ ଏବଂ କୃଷିଜାତ ଦ୍ରବ୍ୟର ଚାହିଦା ଆମେରିକା ବଜାରରେ ଦ୍ରୁତ ଗତିରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଭାରତ ପାଇଁ ବିପଦ ଆଶଙ୍କା !
ଯଦିଓ କାନାଡ଼ା ଉପରେ ଟାରିଫ୍ ଲଗାଇବା ଦ୍ୱାରା ଭାରତ ପାଇଁ ସୁଯୋଗ ସୃଷ୍ଟି ହୋଇଛି, କିନ୍ତୁ ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏଡ଼ିଯାଇ ନାହିଁ । ଆମେରିକା ଏବଂ ଭାରତ ମଧ୍ୟରେ ଚାଲିଥିବା ଟ୍ରେଡ୍ ଡିଲ୍ ମଧ୍ୟରେ ଅଧିକାରୀମାନେ ଭାରତ ଉପରେ ମଧ୍ୟ ୧୦୦% ଟାରିଫ୍ ଲଗାଇବାକୁ ଚେତାବନୀ ଦେଇଛନ୍ତି । ଯଦି ଆମେରିକା ଭାରତ ଉପରେ ୧୦୦% ଟାରିଫ୍ ଲାଗୁ କରେ, ତେବେ କାନାଡ଼ାରୁ ମିଳିବାକୁ ଥିବା ସମସ୍ତ ଫାଇଦା ଶୂନ ହୋଇଯିବ । ତେଣୁ ଯେପର୍ଯ୍ୟନ୍ତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ରୂପ ନନେଇଛି, ସେପର୍ଯ୍ୟନ୍ତ ଭାରତୀୟ ବ୍ୟବସାୟୀମାନଙ୍କୁ ସତର୍କତାର ସହ ପାଦ ପକାଇବାକୁ ପଡ଼ିବ ।