ଜୋକୋଭିକ୍, ବେଲିସ ଜିତିଲେ ଲାଉରିୟସ୍ କ୍ରୀଡ଼ା ପୁରସ୍କାର

ମୋନାକୋ ୧୯ା୨(ଏଜେନ୍ସି): ସର୍ବିୟାର ପ୍ରସିଦ୍ଧ ଟେନିସ୍ ତାରକା ନୋଭାକ୍ ଜୋକୋଭିକ୍ ଓ ଆମେରିକାର ଜିମ୍ନାଷ୍ଟିକ୍ ବିସ୍ମୟ ସିମୋନ ବେଲିସ୍ ଚଳିତ ବର୍ଷ ସମ୍ମାନ ଜନକ ଲାଉରିୟସ କ୍ରୀଡ଼ା ପୁରସ୍କାର ହାସଲ କରିଛନ୍ତି । ଉଭୟଙ୍କୁ ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି ।
ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ଲାଉରିୟସ୍ର କୌଣସି ବ୍ୟକ୍ତିଗତ ପୁରସ୍କାର ପାଇଁ ତାଲିକା ଭୁକ୍ତ ଥିବା ମହିଳା ରେସଲର ଭିନେଶ ଫୋଗଟ୍ଙ୍କୁ ନିରାଶ ହେବାକୁ ପଡ଼ିଛି । ଭାରତର ପ୍ରତିଭାବାନ ମହିଳା ରେସଲର ଭିନେଶ ଲାଉରିୟସ ପୁରସ୍କାରର ‘ଶ୍ରେଷ୍ଠ ପ୍ରତ୍ୟାବର୍ତ୍ତନ କରିଥିବା ଖେଳାଳି’ ତାଲିକାରେ ସ୍ଥାନ ପାଇଥିଲେ । ହେଲେ ଏହି ବିଭାଗରେ ଆମେରିକାର ମହାନ୍ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ବାଜି ମାରି ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାନାଡ଼ାର ସ୍ନୋବୋର୍ଡ ଖେଳାଳି ମାର୍କ ମ୍ୟାକ୍ମୋରିସ, ଆମେରିକାର ଆଲପାଇନ୍ ସ୍କି ରେସର ଲିଣ୍ଡସେ ଭନ୍, ଜାପାନର ଫିଗର ସ୍କେଟର୍ ୟୁଜୁରୁ ମାନୟୁ ଓ ନେଦରଲାଣ୍ଡ୍ସର ପାରା-ସ୍ନୋବୋର୍ଡ ଖେଳାଳି ବିବିଆନ ମେଣ୍ଟେଲ୍-ସ୍ପି ଏହି ପରସ୍କାର ତାଲିକାରେ ରହିଥିଲେ ।
ଆହତ ସମସ୍ୟାରୁ ବାହାରି ଜୋକୋଭିକ୍ ଗତ ବର୍ଷ ୨ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଲାଉରିୟସ୍ ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ୟାରିୟର ମଧ୍ୟରେ ଜୋକୋଭିକ୍ ଚତୁର୍ଥ ଥର ପାଇଁ ଏହି ପୁରସ୍କାର ହାସଲ କରିଛନ୍ତି । ଫ୍ରାନ୍ସର ଫୁଟବଲ୍ ବିସ୍ମୟ କିଲିଆନ୍ ଏମ୍ବାପେ, ପ୍ରସିଦ୍ଧ ବାସ୍କେଟ୍ବଲ ଖେଳାଳି ଲିବର୍ଣ୍ଣ ଜେମ୍ସଙ୍କୁ ପଛରେ ପକାଇ ଜୋକୋଭିକ୍ ଏହି ପୁରସ୍କାର ହାସଲ କରିଥିଲେ ।
୨୧ବର୍ଷିୟ ବେଲିସ୍ ଗତବର୍ଷ ବିଶ୍ୱ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେ ବିଶ୍ୱ ଚାମ୍ପିଅନ୍ସିପ୍ର ଅଲ୍ରାଉଣ୍ଡ୍ ବିଭାଗରେ ଚତୁର୍ଥ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜାପାନର ପ୍ରତିଭାବାନ ଟେନିସ୍ ଖେଳାଳି ନାଓମି ଓସାକାଙ୍କୁ ଶ୍ରେଷ୍ଠ ନବାଗତ(ବ୍ରେକ୍ ଥ୍ରୁ ଅଫ ଦ ଇୟର) ପୁରସ୍କାର ପ୍ରଦାନ କରାଯାଇଥିଲା । ୨୧ବର୍ଷିୟ ଓସାକା ଗତ ବର୍ଷ ୟୁଏସ୍ ଓପନ ସିଙ୍ଗଲ୍ସ ଚାମ୍ପିଅନ୍ ହୋଇଥିଲେ । ପ୍ରଥମ ଜାପାନ ଖେଳାଳି ଭାବେ ଓସାକା ଲାଉରିୟସ୍ ସ୍କୁରାସ୍କାର ଜିତିଥିଲେ ।
୨୦୧୮ ରୁଷିଆ ଫିଫା ବିଶ୍ୱକପ ଚାମ୍ପିଅନ୍ ଫ୍ରାନ୍ସକୁ ଶ୍ରେଷ୍ଠ ଦଳ(ଟିମ୍ ଅଫ ଦ ଇୟର) ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଆକ୍ସନ ସ୍ପୋର୍ଟ୍ସ ପାଇଁ ସ୍ନୋ ବୋର୍ଡ ଖେଳାଳି ଚୋଲେ କିମ୍ଙ୍କୁ ଶ୍ରେଷ୍ଠ ଆକ୍ସନ ସ୍ପୋର୍ଟ୍ସ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଭିନ୍ନକ୍ଷମ ସ୍କି ଖେଳାଳି ରୁଷିଆର ହେନରିଟା ଫାର୍କାସୋଭାଙ୍କୁ ଶ୍ରେଷ୍ଠ ବିନ୍ନକ୍ଷମ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଆମେରିକାର ମହାନ ସ୍କି ଖେଳାଳି ଲିଣ୍ଡସେ ଭନ୍ ସ୍ପିରିଟ୍ ଅଫ ସ୍ପୋର୍ଟ ପୁରସ୍କାର ଜିତିଥିଲେ । ୟୁରୋପ କ୍ଳବ୍ ଫୁଟବଲ୍ର ସୁନାମଧନ୍ୟ କୋଚ୍ ଆର୍ସେନ ୱେଙ୍ଗରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କେନିଆର ପ୍ରସିଦ୍ଧ ମାରାଥନ ରେସର ଏଲଉଡ୍ କିପଚୋଗ ଅବିଶ୍ୱସନୀୟ ସଫଳତା ପାଇଁ ସ୍ୱତନ୍ତ୍ର ପୁରସ୍କାର ହାସଲ କରିଥିବାବେଳେ ଦୁଇ ଗୋଡ ନଥାଇ ଏଭରେଷ୍ଟ ଶୀଖରରେ ପହଞ୍ଚିଥିବା ଜିଆ ବୋୟୁଙ୍କୁ କ୍ରୀଡ଼ାର ଶ୍ରେଷ୍ଠ ଫଳାତା ପାଇଁ ସ୍ପୋର୍ଟିଂ ମୋମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା ।