ସେମିରେ ଜୋକୋଭିକ, ପ୍ଲିସକୋଭା, ଓସାକା

ମେଲ୍ବୋର୍ଣ୍ଣ, ୨୩ା୧(ଏଜେନ୍ସି): ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡସ୍ଲାମର ଦଶମ ଦିବସରେ ବଡ଼ ବିପର୍ଯ୍ୟୟ ଘଟିଛି । ଆମେରିକାର ମହାନ ଖେଳାଳି ତଥା ୨୩ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତି ସାରିଥିବା ସେରେନା ୱିଲିୟମ୍ସ କ୍ୱାର୍ଟର ଫାଇନାଲ୍ରେ ପରାଜିତ ହୋଇ ବିଦାୟ ନେଇଛନ୍ତି । ତାଙ୍କ ଅଭିଯାନ ଶେଷ ହେବା ପରେ ଏଥର ମହିଳା ସିଙ୍ଗଲ୍ସରେ ଜଣେ ନୂଆ ଚାମ୍ପିଅନ୍ଙ୍କୁ ଦେଖିବାକୁ ମିଳିବ । ସେମି ଫାଇନାଲ୍ରେ ପହଞ୍ଚିଥିବା ୪ଖେଳାଳି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓପନର ଟାଇଟଲ ଦୌଡରେ ରହିଛନ୍ତି ।
ପୁରୁଷ ବର୍ଗରେ କୌଣସି ବିପର୍ଯ୍ୟୟ ଘଟି ନଥିଲେ ହେଁ ଦୁଇ ପ୍ରସିଦ୍ଧ ଖେଳାଳି ରାଫେଲ ନାଦାଲ ଓ ନୋଭାକ ଜୋକୋଭିକଙ୍କ ଟାଇଟଲ ଅଭିଯାନ ସହଜ ହୋଇଯାଇଛି । ଅଭିଜ୍ଞ ମିଲୋସ ରାଓନିକ୍ ପରାଜିତ ହେବା ଓ କି ନିଶିକୋରି ଆହତ ହୋଇ ଓହରି ଯିବା ଫଳରେ ଦୁଇ ତାରକାଙ୍କ ମଧ୍ୟରେ ଟାଇଟଲ ଲଢେଇ ସମ୍ଭାବନା ଦ୍ୱିଗୁଣିତ ହୋଇ ଯାଇଛି ।
ମହିଳା ସିଙ୍ଗଲ୍ସ: ସେରେନା ଓ ଚେକ୍ ଗଣରାଜ୍ୟର କରୋଲିନା ପ୍ଲିସ୍କୋଭାଙ୍କ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚ୍ ଆରମ୍ଭରୁ ପ୍ଲିସକୋଭା ପ୍ରଭାବ ବିସ୍ତାର କରି ଖେଳି ପ୍ରଥମ ସେଟ୍ ଅକ୍ତିଆର କରିଥିଲେ । ଦ୍ୱିତୀୟ ସେଟ୍ରେ ସେରେନା ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଶକ୍ତିଶାଳୀ ସର୍ଭିସ ଓ ଫୋର ହ୍ୟାଣ୍ଡ ରିଟର୍ଣ୍ଣରେ ସେ ପ୍ଲିସ୍କୋଭାଙ୍କୁ ପଛରେ ପକାଇ ଦେଇଥିଲେ । ଉଭୟ ଗୋଟିଏ ଲେଖାଏଁ ସେଟ୍ ଜିତିଥିଲେ । ରୋମାଞ୍ଚକର ତୃତୀୟ ସେଟ୍ରେ ପ୍ଲିସକୋଭା ଅବିଶ୍ୱସନୀୟ ଖେଳ ଦେଖାଇଥିଲେ । ସେରେନା ଏହି ସେଟ୍ରେ ୫-୧ରେ ଆଗୁଆ ରହିଥିଲେ । ଆଉ ମାତ୍ର ଗୋଟିଏ ପଏଣ୍ଟ ହାସଲ କରିଥିଲେ ସେ ସେମିରେ ସ୍ଥାନ ପକ୍କା ହୋଇଥା’ନ୍ତା । ପ୍ଲିସ୍କୋଭା ମ୍ୟାଚ୍କୁ ଫେରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଥିଲେ । ୪ଟି ବ୍ରେକ୍ ପଏଣ୍ଡ ବଞ୍ଜାଇ ସେ ୭-୫ରେ ତୃତୀୟ ସେଟ୍ ଜିତିଥିଲେ । ୨ଘଣ୍ଟା ୧୦ମିନିଟ୍ର ଏହି ମୁକାବିଲାରେ ୫ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ ।
ଆଜିର ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଚତୁର୍ଥ ସିଡ୍ ତଥା ଗତ ୟୁଏସ୍ ଓପନ ଚାମ୍ପିଅନ୍ ଜାପାନର ନାଓମି ଓସାକା ଷଷ୍ଠ ସିଡ୍ ୟୁକ୍ରେନ୍ର ଏଲିନା ସ୍ୱିତୋଲିନାଙ୍କୁ ସିଧା ସଳଖ ୬-୪, ୬-୧ ସେଟ୍ରେ ପରାସ୍ତ କରିଥିଲେ । ମ୍ୟାଚ୍ ଆରମ୍ଭରୁ ଓସାକାଙ୍କ ଆଧିପତ୍ୟ ଜାରି ରହିଥିଲା । ପ୍ରଥମ ସେଟ୍ରେ ସ୍ୱିତୋଲିନା ସାମାନ୍ୟ ସଂଘର୍ଷ କରିଥିଲେ । ହେଲେ ଦ୍ୱିତୀୟ ସେଟ୍ରେ ସେ ଓସାକାଙ୍କ ମୁକାବିଲା କରିପାରି ନଥିଲେ । ଓସାକା କେବଳ ସର୍ଭିସ୍ରେ ସ୍ୱିତୋଲିନାଙ୍କୁ ପଛରେ ପକାଇ ଦେଇଥିଲେ । ୨ଟି ସେଟ୍ ମଧ୍ୟରେ ସେ ୫ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ ।
ପୁରୁଷ ସିଙ୍ଗଲ୍ସ: ପୁରୁଷ ସିଙ୍ଗଲ୍ସରେ ଟପ୍ ସିଡ୍ ଜୋକୋଭିକ୍ ଓ ନିଶିକୋରି ପରସ୍ପରକୁ ଭେଟିଥିଲେ । ଜୋକୋଭିକ୍ ୬-୧, ୪-୧ ସେଟ୍ରେ ଆଗୁଆ ରହିଥିବାବେଳେ ନିଶିକୋରି ଆହତ ହୋଇ ଓହରି ଯାଇଥିଲେ । ବିନା ସଂଘର୍ଷରେ ଜୋକୋଭିକ୍ ସେମିରେ ପହଞ୍ଚି ଯାଇଥିଲେ ।
୧୬ତମ ସିଡ୍ ରାଓନିକ୍ ଓ ୨୮ତମ ସିଡ୍ ଲୁକାସ ପୌଲିଙ୍କ ମଧ୍ୟରେ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା । ୨ଟି ସେଟ୍ ଟାଇବ୍ରେକର୍ରେ ଫଇସଲା ହୋଇଥିଲା । ଫର୍ମରେ ଥିବା ପୌଲିଙ୍କୁ ହରାଇବା ରାଓନିକ୍ଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା । ପୌଲି ଏହି ମ୍ୟାଚ୍କୁ ୭-୬(୭-୪), ୬-୩, ୬-୭(୨-୭), ୬-୪ ସେଟ୍ରେ ଜିତିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଫ୍ରାନ୍ସ ପ୍ରତିଯୋଗୀଙ୍କୁ ୩ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ସେ ସମ୍ପୂର୍ଣ୍ଣ ମ୍ୟାଚ୍ରେ ମୋଟ ୩ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ ।