PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଡିଜିଙ୍କୁ ଭେଟିଲେ, କାର୍ଯ୍ୟାନୁଷ୍ଠାନ ଦାବି କଲେ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଆଜି ସାମ୍ବାଦିକମାନେ ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଛନ୍ତି । ବୈଦ୍ୟୁତିକ, ମୁଦ୍ରିତ ଏବଂ ୱେବ ମାଧ୍ୟମର ସାମ୍ବାଦିକମାନେ ଏକାଠି ହୋଇ ଏହି ଆକ୍ରମଣର ପ୍ରତିବାଦ କରିଥିଲେ । ପୁଲିସ ଡିଜିଙ୍କୁ ଭେଟି ଆଲୋଚନା କରିବା ସହ ଦୋଷୀଙ୍କୁ ଧରି ତତ୍କାଳ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଆଜି ଅପରାହ୍ନରେ ସାମ୍ବାଦିକମାନେ ଏକାଠି ହୋଇ ପୁଲିସ ଡିଜିଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ । ଲଗାତର ଭାବେ ସାମ୍ବାଦିକଙ୍କ ଉପରେ ବି ଚାଲିଥିବା ଆକ୍ରମଣକୁ ନିନ୍ଦା କରିଥିଲେ । ସିନେମା ହଲ୍‌ରେ ଅଶୋଭନୀୟ ଆଚରଣ କରୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ବାରଣ କରିବାକୁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହେଲା । ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ଲହଲୁହାଣ ହୋଇ ଥାନାରେ ପହଞ୍ଚିଥିଲେ । ଏସିପିଙ୍କୁ ଏତଲା ଦେଇଥିଲେ । ଆକ୍ରମଣ ପରେ ଅଭିଯୁକ୍ତମାନେ ବିନା କୌଣସି ଭୟରେ ଥାନାକୁ ଯାଇ ପୁଲିସ ଏସିପିଙ୍କ ସହ ହସମଜା କରିଥିଲେ । ଏତଲା ହାତରେ ଧରିଥିଲେ ବି ଏସିପି ଅଭିଯୁକ୍ତଙ୍କୁ ଅଟକାଇ ନଥିଲେ । ଅଭିଯୁକ୍ତମାନେ ଥାନା ବାହାରେ କିଛି ସମୟ ପାଇଁ ଅତଙ୍କ ଖେଳାଇଥିଲେ । ଏହାକୁ ଦେଖୁଥିଲେ ବି ପୁଲିସ ଚୁପ୍‌ ରହିଥିଲା । ଏଭଳି କାର୍ଯ୍ୟକୁ ସାମ୍ବାଦିକମାନେ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡିଜିଙ୍କୁ ସ୍ମାରକପତ୍ର ଦେବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଦାବି କରିଥିଲେ ।
ପୁଲିସ ଡିଜି ଏହି ଘଟଣାରେ ଦୁଃଖପ୍ରକାଶ କରିଥିଲେ । ଆକ୍ରମଣର କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ଅସାମାଜିକ କାର୍ଯ୍ୟ ନେଇ ପ୍ରମାଣ ମିଳିଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ଡିଜି ଶ୍ରୀ ଶର୍ମା କହିଥିଲେ । ଏହି ପୂରା ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଜଣେ ଦକ୍ଷ ଅଫିସରଙ୍କୁ ଦାୟିତ୍ୱ ଦିଆଯିବ । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ଖାଲି ସେତିକି ନୁହେଁ, ସାଧାରଣ ଲୋକେ ଯେଭଳି ସିନେମା ହଲ୍‌ ଭଳି ସର୍ବସାଧାରଣ ସ୍ଥାନରେ ଏଭଳି ଅପ୍ରୀତିକର ଘଟଣାର ସାମ୍ନା ନ କରିବେ ସେଥିପାଇଁ ସିନେମା ହଲ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ । ସିନେମା ହଲ୍‌ରେ ମହିଳାଙ୍କ ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦିଆଯିବ । ସିନେମା ହଲ୍‌ଗୁଡିକ ସୁରକ୍ଷାକର୍ମୀ ରଖୁଛନ୍ତି କି ନା, ତାକୁ ଯାଞ୍ଚ କରାଯିବ । ଖୁବ୍‌ଶୀଘ୍ର ସବୁ ଥାନା ଅଧୀନରେ ଥିବା ସିନେମା ହଲ୍‌ର ମାଲିକଙ୍କୁ ଡାକି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବୁ । ଏ ନେଇ ସବୁ ଥାନାକୁ ନିର୍ଦ୍ଦେଶ ଦେବୁ ବୋଲି ଡିଜି କହିଛନ୍ତି ।
ବରିଷ୍ଠ ସାମ୍ବାଦିକ କେ. ରବି, ପ୍ରଦ୍ୟୁମ୍ନ ଶତପଥୀ, ଗୋପାଳକୃଷ୍ଣ ମହାପାତ୍ର, ଶିବ ମହାନ୍ତି, ସତ୍ୟପ୍ରକାଶ ନାୟକ, ଧୀରେନ୍ଦ୍ର ନାରାୟଣ ମିଶ୍ର, ପ୍ରତାପ ଚନ୍ଦ୍ର ପ୍ରଧାନ, ପବିତ୍ର ମହାରଥା, ସ୍ୱାଧୀନ କୁମାର ରାଉତ, ସୁରେଶ କର, ସରୋଜ ସାହୁ, ରାମଚଣ୍ଡୀପ୍ରସାଦ ରଣସିଂହ, ଜୀତେନ୍ଦ୍ର ମହାନ୍ତି, ଦୀପକ କୁମାର ମହାପାତ୍ର, ପ୍ରବୀର କୁମାର ପ୍ରଧାନ, ମନୋରଞ୍ଜନ ମହାନ୍ତି, ନଳିନୀ ରାଉତ, ପ୍ରଶାନ୍ତ କୁମାର ମିଶ୍ର, ଶତ୍ରୁଘ୍ନ ବିଶ୍ୱାଳ, ସନ୍ତୋଷ କୁମାର ଜେନା, ଆର.ଏସ ମହାନ୍ତି, କିଷନ ବାରାଇ, ଯୋଗମାୟା ମିଶ୍ର, ଅଶୋକ ମହାନ୍ତି, ଦେବବ୍ରତ ମହାନ୍ତି, ଅଜିତ କୁମାର ଶତପଥୀ ଓ ଅନେକ ସାମ୍ବାଦିକ ଉପସ୍ଥିତ ରହି ଡିଜିଙ୍କୁ ଭେଟିଥିଲେ ।