ଏ ସୃଷ୍ଟି ଆନନ୍ଦମୟ, ଏହି ବାକ୍ୟ ଉଚ୍ଚାରିତ ହେବାମାତ୍ରେ ଅନ୍ୟ ଅନେକ ବିରୋଧାତ୍ମକ ସ୍ୱର ଆପେ ଆପେ ଆସିବ- ନା । ଜୀବନ ଯନ୍ତ୍ରଣାମୟ, ସୃଷ୍ଟି ବିରୋଧାଭାସପୂର୍ଣ୍ଣ । ଇଂରାଜୀବାଲା କହିବେ--Out out O brief candle/ Life's but a walking shadow...... ଇତ୍ୟାଦି, ବିଶ୍ୱକବି ସେକ୍ସପିଅରଙ୍କୁ ଉଦ୍ଧାର କରି । କିନ୍ତୁ ମୋ ବିଶ୍ୱାସରେ ସୃଷ୍ଟି ନିଶ୍ଚୟ ଆନନ୍ଦମୟ । ଗଙ୍ଗାଧର ମେହେରଙ୍କ ଗୀତ ‘ବିଶ୍ୱ ଦେଖ ମଧୁମୟ ରେ ଜୀବନ’ ବାସ୍ତବରେ ଏକ ଚରମ ଉପଲବ୍ଧି ଯାହା ତେଲ-ଲୁଣର ସଂସାର ଭିତରେ ବୁଡ଼ି ରହିଥିବା ଲୋକ ବୁଝି ପାରିବନାହିଁ । କିନ୍ତୁ ଯଦି ପୃଥିବୀକୁ ଆପଣାର ଦେଖେ, ପ୍ରଭାତର ଦୃଶ୍ୟ କାବ୍ୟ, କାନରେ ପଡ଼ୁଥିବା କାକଳି ଓ ଧୀରେ ଧୀରେ ଅନ୍ଧାର ପଟଳ ଅପସରି ଯାଇ ଘାସ ଉପରେ ଲେଖି ହେଉଥିବା ସୂର୍ଯ୍ୟକିରଣ ମନରେ କେବଳ ଆନନ୍ଦ ସୃଷ୍ଟି କରେ । ମାତ୍ର ଜ୍ୟୋତ୍ସ୍ନାରେ ଅଶାନ୍ତ, ଦିନଚର୍ଯ୍ୟାରେ କ୍ଳାନ୍ତି ମନରେ ତରଙ୍ଗ ଦିଏ ଆନନ୍ଦର ପରସ୍ତ ପରସ୍ତ ଆଶ୍ୱାସନା । ଆମେ ହୁଏତ ଏହା କହିନପାରୁ God is in heaven: All is night with the world । କିନ୍ତୁ ଏକ ଅସଂସାରୀ ଚେତନା ମନକୁ ରସାନନ୍ଦ କରେ । ଭୁଲାଇଦିଏ ଡାକ୍ତରଖାନା, ମଶାଣି କରଦ ମାରିବାର ଆତ୍ମସଂକୁଚନ ।
ତେବେ ଏହି ଆନନ୍ଦଟି କ’ଣ? ଟମାସ୍ ହାର୍ଡି ଲେଖିଥିଲେ, ""Happiness is an occasional episode in the general drama of pain'' । ଜୀବନ ଯନ୍ତ୍ରଣାର ନାଟକରେ ଏକ ବିରଳ ଉପାଖ୍ୟାନ । ଏହି ଭାବନା ଗ୍ରହଣୀୟ କି? ଆମର ଓଡ଼ିଆରେ ମଧ୍ୟ ଜୀବନକୁ ପ୍ରାୟ ଅସ୍ୱୀକାର କରାଯାଇଛି: ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି, ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି । ଏହି ଗୀତ ମଣିଷକୁ ଜୀବନ ବିମୁଖ କରାଏ । ଏହି ମନୋଭାବ ମଣିଷକୁ ବଞ୍ଚିବାର ସଂଘର୍ଷଠାରୁ ଦୂରେଇ ନିଏ । ଏକ ଉଦାସୀନ ଭାବେ ଜୀବନ ବଞ୍ଚିବାକୁ ପ୍ରେରଣା ଦିଏନାହିଁ । ଏଇମାନେ ଆନନ୍ଦକୁ ଅସ୍ୱୀକାର କରନ୍ତି ।
ମନେକରନ୍ତୁ, ଆପଣ ଜଣେ ଅନ୍ୟ ସହରରେ ଥିବା ବନ୍ଧୁଙ୍କୁ ପଚାରିବେ- କେମିତି ଅଛନ୍ତି? ସେ କହିବେ ଭଲ ଅଛି ବା ଖୁସିରେ ଅଛି ବା ଆନନ୍ଦରେ ଅଛି । ଜଣେ ବନ୍ଧୁ ନିହାତି ଅନ୍ତରଙ୍ଗ ନହେଲେ ସତ କଥା କହିବେ ନାହିଁ । ଭଲ, ସୁଖ, ଆନନ୍ଦ ତିନିଟି ଅଲଗା ଶବ୍ଦ । ଭଲ ଏକ ସାଧାରଣ ଶବ୍ଦ । ଏହାର ପରିଭାଷା ଅସ୍ପଷ୍ଟ । ଅନେକ ସମୟରେ କଥା ଏଡ଼ାଇ ଦେବା ଲାଗି ଏହି ଶବ୍ଦ ବ୍ୟବହୃତ ହୁଏ । ସୁଖ ମନଟି ଅନେକାଂଶରେ ଶାରୀରିକ, ଏହା ଇନ୍ଦ୍ରିୟାନୁଭୂତ- ଇନ୍ଦ୍ରିୟକୃତ ହେଲେ ମଣିଷ ସୁଖରେ ଅଛି ବୋଲି ଧରାଯାଏ । ଖାଦ୍ୟ, ବସ୍ତ୍ର, ବାସ ସହିତ ପତ୍ନୀ ଓ ସନ୍ତାନ ସହ ଯେ ବିନା ଅଭାବରେ ଚଳୁଛି ସେ ହୁଏତ ସୁଖରେ ଅଛି । ଏଠି କେବଳ ଦେହ ଓ ତା’ର ଆବଶ୍ୟକତା ପୂର୍ଣ୍ଣ ହେଲେ ଯଥେଷ୍ଟ । ଗୋଟିଏ ଭଲ ଚଷା ଘରେ ଗାଈମାନେ ସୁଖରେ ଥାଆନ୍ତି । କାରଣ ମାଲିକ ପୁଷ୍ଟିକର ଖାଦ୍ୟ ଦିଏ । ମଶା ନଲାଗିବା ଲାଗି ବ୍ୟବସ୍ଥା କରେ । ସ୍ନେହର ହାତ ବୁଲାଇ ନିଏ ଓ ସେମାନଙ୍କୁ ନିଜର ସନ୍ତାନ ପରି ବ୍ୟବହାର କରେ । କିନ୍ତୁ ଏକ ମଣିଷକୁ ଏହି ଖାଦ୍ୟ, ବସ୍ତ୍ର, ଆଶ୍ରୟର ସ୍ଥିରତା ଶାନ୍ତି କିମ୍ବା ଆନନ୍ଦ ଦେଇପାରେ ନାହିଁ । ଯେମିତି ଗୋଟିଏ ଦେଶ ପରାଧୀନ ହୋଇଥିଲେ ଖାଦ୍ୟ-ବାସର ସୁରକ୍ଷାକୁ ଉପେକ୍ଷା କରି ସ୍ୱାଧୀନତା ପାଇଁ ସଂଗ୍ରାମ କରେ ମଣିଷ ଯେମିତି ତା’ର ସ୍ୱପ୍ନ, ଆଶା ଓ ଆତ୍ମାର ଶାନ୍ତି ଚାହେଁ । ଶାନ୍ତି ଓ ଆନନ୍ଦ ଦେହୋତ୍ତର, ଇନ୍ଦ୍ରିୟ ତୃପ୍ତିରେ ଶାନ୍ତି ଆନନ୍ଦ ମିଳେନାହିଁ ।
ଆନନ୍ଦ ଏକ ଆଧ୍ୟାତ୍ମିକ ଅନୁଭୂତି । ଏଥିରେ ହସ ଫୁଟେନାହିଁ । ଏହା ଏକ ଆତ୍ମିକ ଅନୁଭୂତି । ଜଣେ ଆଇଏଏସ୍ ପାଇଛି, ସେ ଅନୁଭବଟା ଏକ ଆଶାପୂର୍ଣ୍ଣ ସନ୍ତୋଷ । ପରିଶ୍ରମରେ ସାର୍ଥକତା । ଭବିଷ୍ୟତ ଆଶାନ୍ୱିତ, ଆଶଙ୍କାମୁକ୍ତ ଜୀବନର ସମ୍ଭାବନାର ସନ୍ତୋଷ । କିନ୍ତୁ ଆନନ୍ଦ ଏକ ଅମୃତାନୁଭବ । ଆଶା, ଆଶଙ୍କା, ସନ୍ତୋଷ, ସୁଖ ବା ସେହିପରି କିଛି ଔଜଲ୍ୟର ଊଦ୍ଧ୍ୱର୍ରେ ଆନନ୍ଦ ଏକ ପରମାର୍ଥିକ ଅନୁଭବ, ଯାହା ପାଇବା ପାଇଁ ମଣିଷ ତପସ୍ୟା କରେ, କଳାକାର ସାଧନା କରେ । ବ୍ୟକ୍ତି ଯେଉଁ ଜୀବନ ସାଧନା ଗ୍ରହଣ କରେ ତା’ର ଚରମ ସାର୍ଥକତା ଲାଭ ହିଁ ଆନନ୍ଦ ଦିଏ । ଯୋଗୀ ସନ୍ନ୍ୟାସୀମାନେ ଏହି ଆନନ୍ଦର କଥା କହନ୍ତି, ଯେଉଁଠି ମଣିଷ କାମନାମୁକ୍ତ ହୁଏ । ପରୀକ୍ଷା ପାସ୍ର ଖୁସି ବା ସନ୍ତାନ ଜନ୍ମ, ପ୍ରମୋସନ ଇତ୍ୟାଦିର ଖୁସି ସାଂସାରିକ ବାସ୍ତବିକତା ଏକ ଏକ ଖୁସିର ମୁହୂର୍ତ୍ତ, ଏକ ସାର୍ଥକତାର ମୁହୂର୍ତ୍ତ । ଏଥିରେ ଖୁସି ସନ୍ତୋଷ ଏବଂ ଆନନ୍ଦ ଶବ୍ଦ ମଧ୍ୟ ବ୍ୟବହୃତ ହୁଏ । ସାଧାରଣତଃ ଆମେ କୌଣସି ପ୍ରାପ୍ତିର ମୁହୂର୍ତ୍ତକୁ ଆନନ୍ଦ କହିଥାଉ । କିନ୍ତୁ ଏହି ଆନନ୍ଦ ବ୍ରହ୍ମାନନ୍ଦ ନୁହେଁ ।
ଭାରତୀୟମାନେ ସଚ୍ଚିଦାନନ୍ଦ ବ୍ୟବହାର କରନ୍ତି । ଏହା ସତ୍ ଚିତ୍ ଆନନ୍ଦ । ସତ୍ କହିଲେ ଯାହା ଅଛି । ଏହି ଅସ୍ତିତ୍ୱକୁ ଦେଖିହେବ, ଛୁଇଁ ହେବ । ସତ୍ ମାନେ ଉପଲବ୍ଧ ବାସ୍ତବ । ଚିତ୍ ବା ଚିତ୍ତକୁ ମନ, କଳ୍ପନା ଶକ୍ତି ମଧ୍ୟ କୁହାଯାଏ । ସତ୍ ଯଦି ଦେହ ହୁଏ, ଚିତ୍ତ ମନ, ଦେହକୁ ନିୟନ୍ତ୍ରଣ କରିବା ଶକ୍ତି । ଏହି ମନ ବାସ୍ତବକୁ ନେଇ ସ୍ୱପ୍ନ ଗଢ଼େ । କିନ୍ତୁ ଆନନ୍ଦ ଏକ ସ୍ଥିର ସ୍ଥିତି ଯାହା ଏକ ପରମ ଚେତନାର ସ୍ଥିରତା ଦିଏ । ଜୀବନ ସାଧନା ଏହି ସତ୍ ଚିତ୍ ଆନନ୍ଦର ସାଧନା । ଏହା ପରମକୁ ପାଇବାର ସାଧନା । ପରିବାର ସମାଜ, ବୃତ୍ତି ଏବଂ ଆନୁସଙ୍ଗିକ କର୍ମ ମାଧ୍ୟମରେ ମଣିଷ ଯଦି କିଛି ଅମୃତ ଚେତନା ପାଏ ତାହା ହିଁ ଆନନ୍ଦ । ଏହି ଆନନ୍ଦରେ ସୌନ୍ଦର୍ଯ୍ୟ, ସତ୍ୟ ଓ ଊଦ୍ଧ୍ୱର୍ଚେତନା ଥାଏ । ସଂସାର କର୍ମ ଯଦି ଜଣେ ଉଚିତ୍ ମାର୍ଗରେ ପାଳନ କରିଥାଏ, ଯଦି ବ୍ୟକ୍ତିର ସାଂସାରିକ, ସାମାଜିକ ପୂର୍ଣ୍ଣତା ଆସିଯାଏ ଅର୍ଥାତ୍ ଯଦି ବ୍ୟକ୍ତି ଅଭାବକୁ ଦୂର କରି ସମାଜରେ ତା’ର କର୍ମ (ଆଦିର ଅର୍ଥରେ) ଚାକିରି, ପ୍ରମୋସନ ଆଦିର ଉନ୍ନତି ଦେଖିପାରେ, ସେ ସଂସାରର ସତ୍ୟ ଦେଖିପାରେ । ଏହି ସତ୍ୟ ବ୍ରହ୍ମସତ୍ୟ ।
ଏହି ସତ୍ୟ ମାଧ୍ୟମରେ ବ୍ୟକ୍ତି ସୌନ୍ଦର୍ଯ୍ୟ, ସହୃଦୟତା ଏବଂ ପରମର ଚେତନା ପାଏ । ଏହି ପରମଚେତନାକୁ ଆମେ ଆନନ୍ଦ କହୁ । ତେଲୁଗୁରେ ଗୋଟିଏ ଗୀତ ମନେପଡ଼ୁଛି- ଆନ୍ଦ୍ମେ ଆନନ୍ଦମ୍, ଆନନ୍ଦ ମେ ଜୀବନ ମକରନ୍ଦମ୍ । ସୌନ୍ଦର୍ଯ୍ୟରେ ଆନନ୍ଦ ଅଛି । ଏହି ଆନନ୍ଦରେ ଜୀବନାମୃତ ଅଛି । ଏହି ଦିବ୍ୟଚେତନା ହିଁ ଆନନ୍ଦ । ଆଶା ନିରାଶାର ଊଦ୍ଧ୍ୱର୍କୁ ମଣିଷ ଚାଲିଯାଏ, ଯେତେବେଳେ ଆନନ୍ଦ ଆସେ । ଚନ୍ଦ୍ରଶେଖର ରଥଙ୍କର ‘ଯନ୍ତ୍ରାରୂଢ଼’ ଉପନ୍ୟାସରେ ନାୟକ ଏକ ବିପରୀତ ପରିବେଶରେ ଅମୃତ ଯାତ୍ରା କରିଛି ପ୍ରଫେସରଙ୍କ ମାର୍ଗଦର୍ଶନରେ । ତାହା ମଧ୍ୟ ଏକ ଆନନ୍ଦାନୁଭୂତି । ଯମୁନାରେ ସେ ରାଧା ସହିତ ମିଳିତ ହେଲା ପରେ ଆନନ୍ଦାକୁଳ ସ୍ଥିତିରେ ମୃତ୍ୟୁବରଣ କରିଛି । ତା’ର ଦୁଃଖ ନାହିଁ, ସଂସାର ନାହିଁ, ସେ ନିଜେ ମଧ୍ୟ ନାହିଁ । ଏହା ହିଁ ପରମାନନ୍ଦ ।
ନାଟ୍ୟଶାସ୍ତ୍ରରେ ଭରତ ମୁନି ସାହିତ୍ୟର ଆନନ୍ଦାନୁଭୂତିକୁ ବ୍ରହ୍ମାନନ୍ଦ କହନ୍ତି । ନାଟକର ଦୃଶ୍ୟରେ ଯେଉଁ ଆନନ୍ଦ ଆସେ ତାହା ବ୍ରହ୍ମ ମିଳନର ଆନନ୍ଦ । ଇଂରାଜିରେ ଆନନ୍ଦ କେବଳ ଜୟ ନୁହେଁ । ଆମର ବ୍ରହ୍ମାନନ୍ଦ ପାଖାପାଖି ଇଂରାଜିରେ ବ୍ଲିସ୍ । ଏହି ବ୍ଲିସ୍ ସାଧାରଣ ମଣିଷର ପ୍ରାପ୍ୟ ହୁଏନାହିଁ, ଯେହେତୁ ସେ ବସ୍ତୁ ଓ ଭାବ ମଧ୍ୟରେ ଲୀନ ରହି କୌଣସି ପରମଚେତନାର ଅନୁଭବ ପାଏନାହିଁ । ଅବଶ୍ୟ ଏହାର ଅର୍ଥ ନୁହେଁ ଯେ, ମଣିଷ କେବଳ ଶେଷ ଅବସ୍ଥାରେ ଆନନ୍ଦ ପାଏ । ଏହି ଆନନ୍ଦ ଜୀବନର ଶେଷରେ ବା ମଧ୍ୟରେ ଯେଉଁ ସମୟରେ ହେଲେ ଆସିପାରେ । ମଣିଷ ବ୍ୟକ୍ତି ହିସାବରେ ହିଁ ଆନନ୍ଦ ପାଇପାରେ । ଜାତି ଭାବେ ଆନନ୍ଦ ଆସେନାହିଁ । ଏହା ଗୋଷ୍ଠୀଚେତନା ବା ସମାଜର ଚେତନା ନୁହେଁ । ଏହା ପରମହଂସଙ୍କର ନିର୍ବିକଳ୍ପ ସମାଧି ନୁହେଁ । ଦେହ, ଇନ୍ଦ୍ରିୟ ସୁଖ, ଇତ୍ୟାଦିରୁ ଯେତେବେଳେ ମଣିଷ ଏକ ଦିବ୍ୟ ଜୀବନ ପ୍ରେମରେ ନିଜକୁ ଅମୃତବିଶ୍ୱ ସହିତ ଯୋଡ଼ିପାରେ ସେ ଭାବ ନିର୍ଲିପ୍ତ ହୁଏ । ତାକୁ ସଂସାର ଆଉ ଦେହଧାରୀ ଭାବେ ଘାରେନାହିଁ । ତା’ ପାଖରେ ଦୁଃଖ, ହତାଶା ସବୁ ସାଧରଣ ଜୀବନର ଲକ୍ଷଣ ପରି ଲାଗେ । ସେ ଜାଣେ ଯେ ଦେହଧାରୀର ସଂସାର ଏକ ନିଧି । କିନ୍ତୁ ସେ ବର୍ତ୍ତମାନ ବିଧିମୁକ୍ତ, ତେଣୁ ଯନ୍ତ୍ରଣାମୁକ୍ତ । ତାକୁ ସବୁ ସୁନ୍ଦର ଦିଶେ, ସବୁ ସତ୍ୟ ପରି ଲାଗେ । ସବୁ ଭାବ ବିଭାବ ତାକୁ ପରମର ମୂର୍ତ୍ତ-ଅମୂର୍ତ୍ତ ଜୀବନକିଙ୍କର ମନେହୁଏ । ଆରିଷ୍ଟୋଟଲଙ୍କ କାଥାରସିସ୍ ଠାରୁ ଆମର ଆନନ୍ଦ ଆଉରି ଗଭୀର ଏକ ଦିବ୍ୟାନୁଭୂତି ।
ଯଦି ଆନନ୍ଦ ନଥାଆନ୍ତା, ତେବେ ଦୁଃଖ ବି ସହଣୀୟ ହୋଇ ନଥାଆନ୍ତା । ସାରା ଜୀବନ ଦୁଃଖରେ ସଢ଼ୁଥିବା ମଣିଷଟି ମୁହୂର୍ତ୍ତକର ଆନନ୍ଦ ଲାଭ କରି ସବୁ ଦୁଃଖକୁ ଭୁଲି ଯିବାକୁ ମନେ କରୁନଥାଆନ୍ତା । ଆନନ୍ଦ କେବଳ ଏକ ମାନସିକ ଅନୁଭବ ନୁହେଁ, ଏହା ସେହି ଅମୃତ ଯାହା ମଣିଷଠାରେ ଦିବ୍ୟତ୍ୱକୁ ଜନ୍ମ ଦେଇଥାଏ । ସମାଜରେ ଏହାକୁ ବାଣ୍ଟିଥାଏ । ଏହା ସେହି ଶକ୍ତି ଯାହା ପରସ୍ପରଙ୍କୁ ଆପଣାର କରିଥାଏ । ତେଣୁ ସେହି ଆନନ୍ଦକୁ ଆମକୁ ଏ ସଂସାର ରୂପକ ସମୁଦ୍ରରୁ ପାଇବାକୁ ପ୍ରୟାସ କରିବା ଉଚିତ ।