ବ୍ରହ୍ମପୁର, ୨୨/୦୭ : ଗଞ୍ଜାମରେ ଏବେ ପୁଣି କୋଭିଡ୍ ଡରାଇଲାଣି । କୋଭିଡ୍ ପ୍ରଥମ ଓ ଦ୍ୱିତୀୟ ତରଙ୍ଗରେ ରାଜ୍ୟରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲାମାନଙ୍କ ତାଲିକାରେ ରହିଥିଲା ଗଞ୍ଜାମ । କୋଭିଡ୍କୁ ନେଇ ଜିଲ୍ଲାରେ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା ଏବେ ପୁଣି ମନେ ପଡ଼ିଲାଣି । ସାମାଜିକ ଦୂରତା କଟକଣା, ସଙ୍ଗରୋଧ କଷ୍ଟ, ଲକ୍ଡାଉନ୍ ଓ ସଟ୍ଡାଉନ୍ ନିୟମାବଳି ପାଳନ ପାଇଁ ବାଧ୍ୟବାଧକତା ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଇଥିଲା । ୨୦୧୯ ନଭେମ୍ବର ମାସରେ କୋଭିଡ୍ ସଂକ୍ରମଣ ବ୍ୟାପିଥିଲା । ଗୋଟିଏ ପରେ ଗୋଟିଏ ଦେଶକୁ ସଂକ୍ରମଣ ବ୍ୟାପିବା କାରଣରୁ କୋଭିଡ୍-୧୯କୁ ବୈଶ୍ୱିକ ମହାମାରୀ ଘୋଷଣା କରାଯାଇଥିଲା । ୨୦୨୦ ମାର୍ଚ୍ଚରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା କଟକଣା । ଲକ୍ଡାଉନ୍ ଲାଗୁ ହୋଇଥିଲା । ମେ ୨ ତାରିଖରେ ସୁରଟରୁ ପ୍ରବାସୀ ଫେରିଥିଲେ । ପ୍ରବାସୀଙ୍କ ଭିତରେ ପ୍ରଥମ କୋଭିଡ୍ ପଜିଟିଭ୍ ଧରା ପଡ଼ିଥିଲା ଏବଂ ସଂକ୍ରମଣ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଥିଲା ଗଞ୍ଜାମ । ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ସୁରଟ ଫେରନ୍ତା ଟ୍ରେନ୍ ଅଟକିଥିଲା । ସେଠାରେ ହିଁ ଯାଞ୍ଚ କରିବା ସମୟରେ ଦୁଇଜଣ ପଜିଟିଭ୍ ବାହାରିଥିଲେ । ଦୁଇ ପଜିଟିଭ୍ରୁ ଜିଲ୍ଲାରେ ସଂଖ୍ୟା ବଢ଼ି ଚାଲିଲା । ପ୍ରବାସୀଙ୍କ କାରଣରୁ କୋଭିଡ୍ ପ୍ରଥମ ଲହରରେ ପଜିଟିଭ୍ ସଂଖ୍ୟା ଶୀର୍ଷରେ ପହଞ୍ଚିଥିଲା ।
ସରକାରୀ ତଥ୍ୟ ଅନୁସାରେ ୨୦୨୧ ଜାନୁଆରୀ ସୁଦ୍ଧା ସଂକ୍ରମଣ ସଂଖ୍ୟା ୨୧୮୮୮ ଏବଂ ମୃତ୍ୟୁ ସଂଖ୍ୟା ୨୪୮ ହୋଇଥିଲା । ୨୦୨୧ ମାର୍ଚ୍ଚରେ ପୁଣି ଦ୍ୱିତୀୟ ଲହର(ତରଙ୍ଗ) ଆରମ୍ଭ ହୋଇଥିଲା । ୨୦୨୧ ଏପ୍ରିଲ୍ ୬ ତାରିଖରେ ବ୍ରହ୍ମପୁର ସହରରେ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସଂଖ୍ୟା ବଢ଼ି ଚାଲିଲା ଏବଂ ଅନେକ ଲୋକଙ୍କ ପ୍ରାଣହାନି ହେଲା । ଏପ୍ରିଲ୍ ୯ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ବ୍ରହ୍ମପୁରର ପ୍ରସିଦ୍ଧ ମା’ବୁଢ଼ୀ ଠାକୁରାଣୀ ଯାତ୍ରାରେ ଧାରା ୧୪୪ ଲାଗୁ ହୋଇଥିଲା । ଅସ୍ଥାୟୀ ମଣ୍ଡପରେ ଦୁଇଜଣ ପୂଜକ ପଜିଟିଭ୍ ଚିହ୍ନଟ ହେବା ପରେ ଯାତ୍ରାରେ ଦର୍ଶନ ମଧ୍ୟ ବନ୍ଦ କରାଯାଇଥିଲା । ଜିଲ୍ଲାରେ ପୁଣି କୋଭିଡ୍ କଟକଣା ଜାରି ହେଲା । ମାସ୍କ ବାଧ୍ୟତାମୂଳକ ହେଲା, ରାସ୍ତାରେ ଛେପ ପକାଇବା ବାରଣ ହେଲା, ଜରୁରୀ ପରିସ୍ଥିତି ନହେଲେ ଘରେ ରହିବାକୁ ନିର୍ଦ୍ଦେଶ ଦେଲା ପ୍ରଶାସନ । କଥା ହେବା ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଗଲା । ବ୍ରହ୍ମପୁର ସିଟି ହସ୍ପିଟାଲ୍, ମୀନାକ୍ଷୀ ନଗର, ସରକାରୀ ଆଇଟିଆଇ ହଷ୍ଟେଲ୍ ଓ ବିଦ୍ୟୁତ୍ପୁରୀ କଲୋନିରେ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର୍ କରି ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା । ୩୫୦ ଶଯ୍ୟାରେ ଅକ୍ସିଜେନ୍ ସଂଯୋଗ ରହିଥିଲା । ଏହାସହ ହିଞ୍ଜିଳିକାଟୁ, ଆସିକା ଓ ଭଞ୍ଜନଗରରେ ମଧ୍ୟ ୫୦ ଶଯ୍ୟାର କୋଭିଡ୍ କେୟାର୍ ସେଣ୍ଟର୍ କରାଯାଇଥିଲା । ଏମ୍କେସିଜି ସହ ଶୀତଳାପଲ୍ଲୀ ଟାଟା କୋଭିଡ୍ ହସ୍ପିଟାଲ୍ ଓ କନିଷିରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ କରି ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା ।
୨୦୨୨ରେ ତୃତୀୟ ଲହର ବିଶେଷ ମାରାତ୍ମକ ନହେଲେ ବି ପ୍ରଶାସନ ପୂର୍ବ ସତର୍କତା ଜାରି କରିଥିଲା । କୋଭିଡ୍ କଟକଣା ଭିତରେ ସାଧାରଣ ଜୀବନଜୀବିକା ଯନ୍ତ୍ରଣାଦାୟକ ଥିଲା । ରାସ୍ତାଘାଟ ଶୂନ୍ଶାନ୍ । ପୁଲିସ୍ର ପଇଁତରା । ଘରୁ ବାହାରିଲେ ପ୍ରଶାସନର ଅନୁମତି ଦରକାର । ଦୋକାନ ବଜାର ବନ୍ଦ । ମାସ ମାସ ଧରି ଏଭଳି ଚାଲିବା ଦ୍ୱାରା ଲୋକ ରୋଜଗାର ହରାଇଲେ । ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଉଜୁଡ଼ିଗଲା । ଉତ୍ପାଦନ ସାମଗ୍ରୀ ନଷ୍ଟ ହେଲା । କଟକଣା ଭିତରେ ଚାଲିଥିଲା କିଣା ଓ ବିକା । ବର୍ତ୍ତମାନ ପଡ଼ୋଶୀ ଆନ୍ଧ୍ରରେ କୋଭିଡ୍ ମୃତ୍ୟୁ ଓ ସଂକ୍ରମଣ ବଢ଼ିଛି । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି । ସତର୍କ ହୋଇ ରହିବାକୁ ନିର୍ଦ୍ଦେଶାବଳି ଜାରି କରାଯାଇଥିବାବେଳେ କେହି ମାନୁନାହାନ୍ତି ।
ଗଞ୍ଜାମରେ ତିନି ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମଣ ଚିହ୍ନଟ ହେବା ଏବଂ ସଂଖ୍ୟା ବଢ଼ିବା ଆଶଙ୍କାରେ ପୁଣି ଲକ୍ଡାଉନ୍ ଭୟ ଘାରିଲାଣି । କାରଣ ଗଞ୍ଜାମରେ ଏବେ ବର୍ଷା ଲାଗି ରହିଥିବାରୁ ଗାଁ ଗାଁରେ ଜ୍ୱର ଓ ଥଣ୍ଡା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ହସ୍ପିଟାଲକୁ ଏ ଧରଣର ରୋଗୀ ଅଧିକ ସଂଖ୍ୟାରେ ଆସୁଛନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଥିବାବେଳେ ଏମ୍କେସିଜିରେ ୩ଜଣ ରୋଗୀଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହାକୁ ନେଇ ଚିନ୍ତା ବଢ଼ିଛି । କୋଭିଡ୍ ସଂକ୍ରମଣ ଏବଂ ଏଥିରୁ ବର୍ତ୍ତିବା ପାଇଁ ଯେଭଳି କଟକଣା ଲାଗୁ ହୋଇଥିଲା ତାହା ପୁଣି ତାଜା ହେବ କି ବୋଲି ଅନେକ ପ୍ରଶ୍ନ କଲେଣି । କୋଭିଡ୍କୁ ନେଇ ଭୟଭୀତ ନହେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଏମ୍କେସିଜି କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ବ୍ୟସ୍ତ ହେବା ଭଳି ପରିସ୍ଥିତି ନୁହେଁ । ସମସ୍ତେ ସତର୍କ ହୋଇ ରହିଲେ କୋଭିଡ୍ ସଂକ୍ରମଣ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୬୯୯୭ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୩୬୪୭୫ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି ।
ଆହୁରି ପଢନ୍ତୁ- Accident News : ‘ପ୍ରମେୟ’ ବିଜ୍ଞାପନ ବିଭାଗ ଅଧିକାରୀଙ୍କ ମୃତ୍ୟୁ, ଟ୍ରାଫିକ୍ରେ ଅପେକ୍ଷା କରିଥିବା ବେଳେ ଧକ୍କା ଦେଇଥିଲା ଆମ୍ବୁଲାନ୍ସ