ଛତ୍ରପୁର, ୨୨/୦୭ : ଉଭୟ ହାତରେ ଗ୍ଲୋବ୍‌ସ । ଜଣଙ୍କ ହାତରେ କୋଦାଳ, ଆଉ ଜଣଙ୍କ ହାତରେ ଝାଡ଼ୁ । ମୁହଁରେ ମାସ୍କ୍‌ । ଗାଁର ଅନ୍ୟ ଲୋକଙ୍କ ସହ ମିଶି ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍‌, ତାଙ୍କ ମା’ ଭି.ଦୀପା ମଙ୍ଗଳବାର ପୂର୍ବାହ୍ଣରେ ଛତ୍ରପୁର ବ୍ଲକ୍‌ ଭିକାରୀପଲ୍ଲୀ ଗାଁରେ ସଫେଇ ଅଭିଯାନରେ ସାମିଲ ହୋଇଥିଲେ । ଗାଁ ରାସ୍ତା ସଫା କରିବା ସହ ଆବର୍ଜନା ଉଠାଇଥିଲେ । ଗ୍ରାମବାସୀ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ ।

ଜିଲ୍ଲାପାଳ ଓ ତାଙ୍କ ମା’ ପରିମଳ ବଜାୟ ରଖିବା ଏବଂ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟବହାର ନ କରିବାକୁ ସଚେତନ କରାଇଥିଲେ । ଜିଲ୍ଲାକୁ ସ୍ୱଚ୍ଛ, ସୁନ୍ଦର ଓ ପ୍ଲାଷ୍ଟିକ୍‌ ତଥା ପଲିଥିନ୍‌ମୁକ୍ତ କରିବାକୁ କିଛି ସପ୍ତାହ ପୂର୍ବେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ସାରା ଜିଲ୍ଲାରେ ସଫେଇ ଅଭିଯାନ ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ ଆରମ୍ଭ କରାଯାଇଥିଲା । ପ୍ରତି ମଙ୍ଗଳବାର ଗୋଟିଏ ପଞ୍ଚାୟତ ବା ଗାଁରେ ସଫେଇ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ କୁହାଯାଇଛି । ଏଥିରେ ଗ୍ରାମବାସୀ, ଜନପ୍ରତିନିଧି, ସ୍ଥାନୀୟ ନେତୃବୃନ୍ଦ ସାମିଲ ହେଉଛନ୍ତି । ସମସ୍ତଙ୍କ ପ୍ରୟାସରେ ଗଞ୍ଜାମକୁ ସ୍ୱଚ୍ଛତା ଦୃଷ୍ଟିରୁ ଅଗ୍ରଣୀ ଜିଲ୍ଲା କରିବା ଏହାର ଉଦ୍ଦେଶ୍ୟ । ଗଞ୍ଜାମ ଜିଲ୍ଲାପାଳ ଏଥିରେ ତାଙ୍କ ମା’ ଭି.ଦୀପାଙ୍କୁ ମଧ୍ୟ ସାମିଲ କରାଇଛନ୍ତି ।

ଆହୁରି ପଢନ୍ତୁ- ବାପ ଛେଉଣ୍ଡ ଝିଅକୁ ସାହା ହେଲେ ମୁସଲିମ୍ ବ୍ୟକ୍ତି, ହିନ୍ଦୁ ଯୁବକଙ୍କ ସହ ରୀତିନୀତିରେ କରାଇଲେ ବାହାଘର