ନୂଆଦିଲ୍ଲୀ, ୨୧/୦୪: ଢ଼େଙ୍କାନାଳ ଜିଲ୍ଲାରେ ହେବାକୁ ଯାଉଛି ବାର୍ଷିକ ୬ ନିୟୁତ ଟନ ଉତ୍ପାଦନ କ୍ଷମତାଯୁକ୍ତ ଏକ ନୂଆ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ । ଦକ୍ଷିଣ କୋରିଆର ପୋସ୍କୋ ଏବଂ ଭାରତର ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ମିଳିତ ହୋଇ ଏହାକୁ ନିର୍ମାଣ କରିବେ । ଏଥିପାଇଁ ଉଭୟ କମ୍ପାନିଙ୍କ ମଧ୍ୟରେ ସୋମବାର ଏକ ଯୌଥ ଉଦ୍ୟୋଗ ବୁଝାମଣା ସ୍ୱାକ୍ଷର ହୋଇଛି। ଏହି ପ୍ରକଳ୍ପ ଜେଏସ୍‌ଢବ୍ଲ୍ୟୁ ଷ୍ଟିଲର ପୂର୍ଣ୍ଣ ମାଲିକାନାଯୁକ୍ତ ସହାୟକ କମ୍ପାନି ସାଫ୍ରନ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା କାର୍ୟ୍ୟକାରୀ ହେବ । ବର୍ତ୍ତମାନ ପୋସ୍କୋ ଏବଂ ଜେଏସ୍‌ଡ ବ୍ଲ୍ୟୁ ମଧ୍ୟରେ ୫୦:୫୦ ଯୌଥ ଉଦ୍ୟୋଗ ପାଲଟିବ ଏହି କମ୍ପାନି ।

​​​​​​​

ଚୂଡ଼ାନ୍ତ ବୁଝାମଣା ମୁତାବକ, ଉଭୟ କମ୍ପାନି ଓଡ଼ିଶାରେ ଏହି ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣରେ ମିଳିତ ଭାବେ ୭.୩ ବିଲିୟନ ଡଲାର ବା ପାଖାପାଖି ୬୮,୫୦୦ କୋଟି ଟଙ୍କା ନିବେଶ କରିବେ ।  ପୋସ୍କୋ ଗ୍ରୁପ୍ ଅଧ୍ୟକ୍ଷ ଜାଙ୍ଗ୍ ଇନ୍-ହ୍ୱା, ପୋସ୍କୋ ସଭାପତି ଲି-ହି-ଜିଓନ, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏବଂ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ଏମ୍‌ଡି ଜୟନ୍ତ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଯୌଥ ଉଦ୍ୟୋଗ ରାଜିନାମା ସ୍ୱାକ୍ଷର ହୋଇଯାଇଛି ।

ଚୁକ୍ତି ଅନୁସାରେ, ପ୍ରକଳ୍ପରେ ଉଭୟ ପୋସ୍କୋ ଏବଂ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ର ୫୦% ଲେଖାଏଁ ଅଂଶଧନ ରହିବ । ଏହା ଏକ ସମନ୍ୱିତ ଇସ୍ପାତ କାରଖାନା ହେବ, ଯାହା ଗୋଟିଏ ସ୍ଥାନରେ ସମଗ୍ର ଉତ୍ପାଦନ ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରିବ । ୨୦୩୧ ସୁଦ୍ଧା ପ୍ଲାଣ୍ଟ କାର୍ଯ୍ୟ ସମାପ୍ତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ବୁଝାମଣା ଅନୁସାରେ, ଯୌଥ ଉଦ୍ୟୋଗ ବୋର୍ଡରେ ସମାନ ସଂଖ୍ୟକ ନିର୍ଦ୍ଦେଶକ ନିଯୁକ୍ତି କରିବାର ଅଧିକାର ଉଭୟ କମ୍ପାନିଙ୍କ ନିକଟରେ ରହିବ ।

ଅଧିକ ପଢ଼ନ୍ତୁ :- Stock Market Rally: ଆମେରିକାରୁ ଆସିଲା ଖବର, ଝୁମିଲା ସେୟାର ବଜାର, ଆରମ୍ଭରୁ ସେନସେକ୍ସ ୫୦୦ ଅଙ୍କ ପାର୍

ପୋସ୍କୋ ସିଇଓ ଲି ହି-ଜିଓନ୍ କହିଛନ୍ତି, ଏହି ଯୁଗ୍ମ ନିବେଶ ଦ୍ୱାରା ଆମେ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ମଜଭୁତ ସ୍ଥାନୀୟ ପ୍ରତିସ୍ଫର୍ଦ୍ଧା ସହ ପୋସ୍କୋର ଅଭିନବ ଇସ୍ପାତ ପ୍ରଯୁକ୍ତିକୁ ମିଶ୍ରଣ କରିବୁ । ଉଭୟ ଦେଶର ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହେବ । ଭାରତରେ ଏକ ଉତ୍ପାଦନ ହବ୍ ସ୍ଥାପନ କରିବା ଏବଂ ନିଜର ଯୋଗାଣ ଶୃଙ୍ଖଳକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପୋସ୍କୋ ଏହି ନିବେଶ କରୁଛି । ଏଭଳି ସମୟରେ ଏହି ଯୌଥ ଉଦ୍ୟୋଗ ଗଠନ ହୋଇଛି, ଯେତେବେଳେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ୍ ଭାରତ ଗସ୍ତରେ ଆସିଛନ୍ତି ।

ସେ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ବୈଠକ କରି ଦୁଇ ଦେଶ ମଧ୍ୟରେ ସହଯୋଗିତାକୁ ବଢ଼ାଇବା ଲାଗି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାବେଳେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତି କହିଛନ୍ତି, ଭାରତ ସହ ଦକ୍ଷିଣ କୋରିଆ ପ୍ରମୁଖ ଖଣିଜ ପଦାର୍ଥ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜାହାଜ ନିର୍ମାଣ, ପରମାଣୁ ଶକ୍ତି ଏବଂ ସ୍ୱଚ୍ଛ ଶକ୍ତି ଭଳି କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଚାହେଁ । ଯୁଦ୍ଧ ସ୍ଥିତିରେ ନାପ୍ଥାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଉପରେ ଦକ୍ଷିଣ କୋରିଆ ଜୋର୍ ଦେଉଥିବା ସେ କହିଛନ୍ତି ।