ନାମାଙ୍କନ ପତ୍ର ଦାଖଲ କଲେ ଜୁଏଲ୍ ଓରାମ, କହିଲେ ‘ପୁଣି ପାର୍ ହେବି ନିର୍ବାଚନ ବୈତରଣୀ’

ଜୁଏଲ
ସୁନ୍ଦରଗଡ ୨୬/୩: ନାମାଙ୍କନ ପତ୍ର ଦାଖଲ କଲେ ଜୁଏଲ ଓରାମ । ସୁନ୍ଦରଗଡରୁ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ମଙ୍ଗଳବାର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଶେଷ ଦିନ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜୁଏଲ ।

ନାମାଙ୍କନ ପତ୍ର ଦାଖଲ ପରେ ପ୍ରତିକ୍ରିୟା ରଖିଛନ୍ତି ଜୁଏଲ । ସେ କହିଛନ୍ତି ଯେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ କାର୍ଯ୍ୟ ଭଳି ସୁନ୍ଦରଗଡରେ ମଧ୍ଯ ଲୋକାଭିମୁଖୀ କାମ କରିବେ । ମୋଦିଙ୍କ ଜନହିତକର କାମକୁ ଲୋକଙ୍କ ପାଖରେ ପହଞ୍ଚାଇବେ । ସ୍କୁଲ, କଲେଜ, ରାସ୍ତା ସବୁ ଦିଗରେ ପଦକ୍ଷେପ ନିଆଯିବ । ତାଙ୍କ ବିପକ୍ଷରେ ଟାଣୁଆ ନେତା ଲଢୁଥିବା ନେଇ ମଧ୍ଯ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ସବୁବେଳେ ଟାଣୁଆ ନେତା ହିଁ ଲଢୁଥିଲେ । ହେମାନନ୍ଦ ଓ ଦିଲ୍ଲୀପ ତିର୍କୀଙ୍କ କଥା ସେ କହିଛନ୍ତି । ନିର୍ବାଚନ ସବୁବେଳେ ନିର୍ବାଚନ । ଟାଣୁଆ କି ନରମ ନେତା ବୋଲି କିଛି ନଥାନ୍ତି । ସେ ନିଶ୍ଚୟ ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି ଦୃଢୋକ୍ତି ବାଢିଛନ୍ତି ଜୁଏଲ୍ ।
ଅନ୍ୟପଟେ ବିଜେପୁର ବିଧାନସଭା ଆସନ ପାଇଁ ସନତ ଗଡତିଆଙ୍କ ନାଁ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସର ରିପୁନାଥ ସେଠଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ।