ବାପା-ମା’ଙ୍କୁ ଖାଇବା ଦେଇ ଫେରିବା ବେଳେ ଅଘଟଣ, ବଜ୍ରପାତରେ ଯୁବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା/କୋକସରା, ୨୫/୦୫ , ମା’ ବାପା ମନରେଗା ଯୋଜନାରେ ଗାଁ ନିକଟରେ ଏକ ପୋଖରୀରେ କାମ କରୁଥିଲେ। ଝିଅ ସେମାନଙ୍କୁ ଖାଇବା ଦେଉ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଲେ କମଳା ନାଏକ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଣ୍ଡୁରାଗୁଡା ଗ୍ରାମରେ ଏହି ଅଘଟଣ ଘଟିଛି।
ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ମୁଣ୍ଡୁରାଗୁଡା ଗ୍ରାମର କମଳା ନାଏକ( ୨୦) ଗାଁ ପୋଖରୀକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ପଙ୍କ ଉଦ୍ଧାର କାମ କରିବାକୁ ଯାଇଥିବା ବାପା-ମା’ ଙ୍କୁ ଖାଦ୍ୟ ଧରି ଦେବାକୁ ଯାଇଥିଲେ । ସେଠାରେ ବର୍ଷା ହେବାରୁ ଘରକୁ ଫେରିବା ବେଳେ ଗାଁ ମନ୍ଦିର ନିକଟରେ ବଜ୍ରାଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଜୟପାଟଣା ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।