ଖୁବଶୀଘ୍ର ପେପର୍ଲେସ୍ ହେବ ନ୍ୟାୟପାଳିକା, ଇ-କୋର୍ଟ ମାଧ୍ୟମରେ ହେବ ଶୁଣାଣି: କେନ୍ଦ୍ର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ ୦୬/ ୧୨: ଖୁବଶୀଘ୍ର ପେପର୍ଲେସ୍ ହେବ ନ୍ୟାୟପାଳିକା । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସୁପ୍ରିମକୋର୍ଟଙ୍କ ଠାରୁ ତାଲୁକ କୋର୍ଟ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବିନା କାଗଜପତ୍ରରେ କରାଯିବ । ଅର୍ଥାତ ଇ-କୋର୍ଟ ମାଧ୍ୟମରେ ନ୍ୟାୟପାଳିକାର ସମସ୍ତ କାର୍ଯ୍ୟ କରାଯିବ । ଆଇନ ମନ୍ତ୍ରାଳୟ ପକ୍ଷରୁ ଅଧିକାରୀମାନଙ୍କୁ ଏ ବାବଦରେ କୁହାଯାଇସାରିଛି । ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ।
କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି, ‘ନ୍ୟାୟପାଳିକାରେ ଇଣ୍ଟରନେଟ୍ ବ୍ୟବହାରକୁ ଅଧିକ ଗୁରୁତ୍ବ ଦିଆଯିବ । ଇ-କୋର୍ଟ ପ୍ରୋଜେକ୍ଟ କିଭଳି ଭାବେ କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ମଙ୍ଗଳବାର ଆଇନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (Information and Communication Technology-ICT) ମାଧ୍ୟମରେ ନ୍ୟାୟିକ ପ୍ରକ୍ରିୟା ଜାରି ରଖିବାକୁ ଲକ୍ଷ୍ୟ ରଖାଯାଇଛି ।
ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ‘ଖୁବଶୀଘ୍ର ଏହି ଯୋଜନାକୁ ନେଇ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଭେଟିବି । ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଏକ ଟିମ୍ ମଧ୍ୟ ସିଜେଆଇଙ୍କୁ ଭେଟିବେ । ରିଜିଜୁ କହିଛନ୍ତି, ‘ପ୍ରଧାନ ବିଚାରପତି ଇ-କମିଟି ଅଧ୍ୟକ୍ଷ ପଦରୁ ଅବସର ନେବା ପୂର୍ବରୁ ହିଁ ଏ ବାବଦରେ ବିଚାର କରି ନିଷ୍ପତ୍ତି ନେବାକୁ ଅନୁରୋଧ କରିଛି’।
ଭାରତର ବିଭିନ୍ନ କୋର୍ଟରେ ଦୀର୍ଘ ଦିନ ଧରି ମାମଲା ପଡିରହୁଛି । ପେଣ୍ଡିଂ ପଡିଥିବା ମାମଲା ସଂଖ୍ୟା ୫ କୋଟି ପାଖାପାଖି ପହଞ୍ଚିଗଲାଣି । ଯାହାକି ଚିନ୍ତାର ବିଷୟ । ମାମଲା ଗୁଡିକର ଶୁଣାଣି କରିବା ଏବଂ ରାୟ ପ୍ରକାଶ କରିବାରେ ଅହେତୁକ ବିଳମ୍ବ ହେଉଛି । ତେଣୁ ପଡି ରହିଥିବା ମାମଲା ଗୁଡିକୁ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ୍ ଦ୍ବାରା ସମାଧାନ କରାଯିବାର ଆବଶ୍ୟକତା ଅଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ।