ମୁମ୍ୱାଇ,୩୧/୦୫: ଦବଙ୍ଗ ସଲମାନ ଖାନ୍‌ଙ୍କ ସହ ଜଡ଼ିତ କଳା ହରିଣ ଶିକାର ମାମଲା ଉପରେ ଫିଲ୍ମ । ଟାଇଟଲ ‘କାଲା ହିରଣ’ । ଗତ ଶୁକ୍ରବାର ଫିଲ୍ମର ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଫାର୍ଷ୍ଟଲୁକ୍‌ ଓ ଟିଜର୍‌ ଆସନ୍ତା ଜୁନ୍‌ ୨୦ରେ ରିଲିଜ୍‌ ହେବ । ଫିଲ୍ମରେ ସଲମାନ ଓ ଗ୍ୟାଙ୍ଗଷ୍ଟର ଲରେନ୍ସ ମଧ୍ୟରେ ବିବାଦ ପରଦାରେ ଦେଖିବାକୁ ମିଳିବ । ତେବେ ଏଥିରେ କିଏ ମୁଖ୍ୟ ଭୂମିକାରେ ଅଭିନୟ କରିବେ, ସେ ବିଷୟରେ ସ୍ପଷ୍ଟ ହୋଇନାହିଁ । ପୋଷ୍ଟର୍‌ରେ ଯେଉଁ ଅଭିନେତା ଅଛନ୍ତି, ସେ ପରିଚିତ ନୁହନ୍ତି । 

ଫିଲ୍ମ ବିଷୟରେ ପ୍ରଯୋଜକ ଅମିତ ଜାନୀ କହିଛନ୍ତି, ୧୯୯୮ରେ ଯୋଧପୁରର କାଂକାଣୀ ଗାଁରେ ସଲମାନ ଖାନ୍‌ଙ୍କ ବିରୋଧରେ କଳା ହରିଣ ଶିକାର ଅଭିଯୋଗ ହୋଇଥିଲା । ଏ ମାମଲାରେ କୋର୍ଟରୁମ୍‌ ଡ୍ରାମା, କ୍ରାଇମ୍‌, ଥ୍ରିଲର ଏବଂ ଲରେନ୍ସ ଓ ସଲମାନଙ୍କ ମଧ୍ୟରେ ଶତ୍ରୁତାକୁ ଫିଲ୍ମରେ ସ୍ଥାନୀତ କରାଯାଇଛି । ସମ୍ଭଲ, ମୁରାଦାବାଦ ଓ ଉତ୍ତରପ୍ରଦେଶର ଅନ୍ୟ ସହରରେ ଫିଲ୍ମର ସୁଟିଂ ହୋଇଛି । ୧୯୯୮ରେ ସଲମାନଙ୍କ କଳା ହରିଣ ଶିକାର ମାମଲା ଚର୍ଚ୍ଚାକୁ ଆସିଥିଲା । ସେତେବେଳେ ସେ ଯୋଧପୁରରେ ‘ହମ୍‌ ସାଥ୍‌-ସାଥ୍‌ ହୈ’ ଫିଲ୍ମର ସୁଟିଂ କରୁଥିଲେ । ତାଙ୍କ ବିରୋଧରେ ମୋଟ୍‌ ୪ ମାମଲା ରୁଜୁ ହୋଇଥିଲା । ତନ୍ମଧ୍ୟରେ ଦୁଇଟି ଚିଙ୍କାରା ଶିକାର ମାମଲା, ଗୋଟିଏ କାଂକାଣୀ କଳା ହରିଣ ଶିକାର ମାମଲା ଥିଲା । 

ଆହୁରି ପଢନ୍ତୁ- ଏହି ରୋମାଣ୍ଟିକ୍ ଗୀତ ଗାଇବା ବେଳେ ମହମ୍ମଦ ରଫି ଓ ଲତା ମଙ୍ଗେସକର କଥା ହେଉ ନଥିଲେ ...ଗୀତ ଶୁଣି କାନ୍ଦି ପକାଇଲେ ସିଙ୍ଗର

ବିଷ୍ଣୋଇ ସମୁଦାୟର ଅଭିଯୋଗ କ୍ରମେ ସଲମାନଙ୍କ ସମେତ ସୈଫ୍‌ ଅଲି ଖାନ୍‌, ତବୁ, ସୋନାଲି ବେନ୍ଦ୍ରେ ଓ ନୀଲମଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏ ମାମଲାରେ ୧୨ ଅକ୍ଟୋବର, ୧୯୯୮ରେ ସଲମାନଙ୍କୁ ପ୍ରଥମ ଥର ଗିରଫ କରାଯାଇଥିଲା । ପରେ ତାଙ୍କୁ ଜାମିନ ମିଳିଲା । ୨୦୦୬ରେ ଚିଙ୍କାରା ଶିକାର ମାମଲାରେ ତାଙ୍କୁ ଦଣ୍ଡିତ କରାଯାଇଥିଲା । ୫ ଏପ୍ରିଲ, ୨୦୧୮ରେ କଳା ହରିଣ ଶିକାର ମାମଲାରେ ତାଙ୍କୁ ୫ ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ହୋଇଥିଲା । ପରେ ତାଙ୍କୁ ଜାମିନ ମିଳିଲା । ଏବେ ଏ ମାମଲା ରାଜସ୍ଥାନ ହାଇକୋର୍ଟରେ ଗଡୁଛି । ଚଳିତ ମେ’ରେ ଶୁଣାଣି ପରେ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଜୁଲାଇ ୧୩ ତାରିଖ ସ୍ଥିର କରିଛନ୍ତି ।