ନୂଆଦିଲ୍ଲୀ,୧୮।୭:  ଦୁଇଟି ମଣିଷ, କିନ୍ତୁ ସ୍ବପ୍ନ ଗୋଟିଏ। ପାଖରେ ନଥିଲା ଅଧିକ ଫଣ୍ଡିଂ। ଏପରିକି ବାଟ ବି ସରଳ ନଥିଲା, କିନ୍ତୁ ଏପରି ସାହସ ଦେଖାଇଲେ ଯେ, ଭାରତର ମହାକାଶ ଇତିହାସର ବଦଳାଇ ଦେଲେ ଦିଗ। ‘ଇସ୍ରୋ’ର ଦୁଇ ପୂର୍ବତନ ବୈଜ୍ଞାନିକ, ଯିଏକି ମହାକାଶ ଉଦ୍ୟୋଗରେ ପାଲଟିଛନ୍ତି ବିପ୍ଳବର ପ୍ରତୀକ। ଉଭୟ ନିଷ୍ପତ୍ତି ନେଇଥିଲେ ଯଦି ବିଶ୍ୱର ଘରୋଇ କମ୍ପାନୀଗୁଡ଼ିକ ମହାକାଶରେ ପହଞ୍ଚିପାରିବେ, ତେବେ ଭାରତ କାହିଁକି ନୁହେଁ? ଏହି ଉଦ୍ୟମ ନେଇ ଆରମ୍ଭ କରିଥିଲେ ‘ସ୍କାଇରୁଟ୍ ଏରୋସ୍ପେସ୍’। ଯାହାକି ଏବେ ଭାରତର ମହାକାଶ ଇତିହାସରେ ଲେଖିଛି ସ୍ବର୍ଣ୍ଣିମ ଅଧ୍ୟାୟ।

୮ ବର୍ଷ ପୂବେ ଦୁଇ ଜଣଙ୍କର ଥିଲା ଗୋଟିଏ ସ୍ବପ୍ନ

ଭାରତକୁ ଘରୋଇ ମହାକାଶ କ୍ଷେତ୍ରରେ ବଡ଼ ଧରଣର ଉପଲବ୍ଧି। ଶ୍ରୀହରିକୋଟାରୁ ମହାକାଶକୁ ବିକ୍ରମ-୧, ସଫଳତାର ସହିତ ଉତକ୍ଷେପଣ କରାଯାଇଛି। ଏହି ଐତିହାସିକ ସଫଳତା ସହ ଭାରତ ଅର୍ବିଟାଲ ରକେଟ୍ ଲଞ୍ଚ କରିବାରେ ବିଶ୍ୱର ତୃତୀୟ ଦେଶ ପାଲଟିଛି। ଏହି ସଫଳତା ପଛରେ ରହିଛନ୍ତି ISROର ଦୁଇ ପୂର୍ବତନ ବୈଜ୍ଞାନିକ, ପବନ କୁମାର ଚନ୍ଦନା ଏବଂ ନାଗା ଭରତ ଡାକା। ଆଜି, ଯେତେବେଳେ ‘ସ୍କାଏରୁଟ୍ ଏରୋସ୍ପେସ’ର ବିକ୍ରମ-୧ ଶ୍ରୀହରିକୋଟାରୁ ମହାକାଶକୁ ଉଡ଼ାଣ କରିଥିଲା, ଏହା କେବଳ ଏକ ରକେଟ୍ ଉତ୍ କ୍ଷେପଣ ନଥିଲା। ଏହା ସଂଘର୍ଷ ଏବଂ ଦୃଢ଼ତାର ବିଜୟ ଥିଲା। ଏକ ଯାତ୍ରା ଯାହା ୮ ବର୍ଷ ପୂର୍ବେ କେବଳ ଦୁଇଜଣ ବ୍ୟକ୍ତି ଆରମ୍ଭ କରିଥିଲେ।

ଜୁନ୍ ୨୦୧୮ ରେ ହାଇଦ୍ରାବରେ ଏକ ଛୋଟିଆ ଅଫିସ। ସେଠାରେ ଦୁଇ ପୂର୍ବତନ ଇସ୍ରୋ ବୈଜ୍ଞାନିକ ପବନ କୁମାର ଓ ନାଗା ଭରତ ପକାଇଥିଲେ ‘ସ୍କାଇରୁଟ୍ର ଏରୋସ୍ପେସ୍’ର ମୂଳଦୁଆ। ସେତେବେଳେ ଭାରତ ଘରୋଇ କମ୍ପାନୀ ପାଇଁ ସ୍ପେସ୍ ସେକ୍ଟର ପ୍ରାୟ ବନ୍ଦ ଥିଲା। କୌଣସି ପଲିସି କିମ୍ବା ନଥିଲା କିଛି ସ୍ପଷ୍ଟ ନିୟମ। ନିବେଶକ ମଧ୍ୟ ଏହି କ୍ଷେତ୍ରରେ ଟଙ୍କା ଲଗାଇବାକୁ ଚାହୁଁନଥିଲେ। ଏଭଳି ସ୍ଥିତିରେ ଫଣ୍ଡିଂର ଆଶା ବି ପୁରା ଅସମ୍ଭବ ଥିଲା। କେବଳ ଥିଲା ଦୁଇଜଣଙ୍କର ଗୋଟିଏ ଆଇଡିଆ। ସଫଳତାର ସମ୍ଭାବନା ବି ଖୁବ୍ କମ୍ ଥିଲା, କିନ୍ତୁ ହାର ମାନିବା ବଦଳରେ ଇତିହାସ ଲେଖିବାର ନେଇଥିଲେ ନିଷ୍ପତ୍ତି।

ଗଣିତରେ ରଖିଥିବା ଛାତ୍ରଙ୍କ ଆଇଆଇଟି ଓ ଇସ୍ରୋ ପର୍ଯ୍ୟନ୍ତର ଯାତ୍ରା

ପବନ କୁମାରଙ୍କ କାହାଣୀ ଯଦି ଜାଣି ତେବେ ତାହା କୌଣସି ମୋଟିଭେସନାଲ ବହିଠାରୁ କମ୍ ଲାଗିବନି। ଗଣିତରେ ଦିନେ ୫୧ ନମ୍ବର ରଖିଥିବା ଛାତ୍ର, ଏଭଳି କମାଲ ଦେଖାଇବେ ତାହା କେବେ କେହି ବି କଳ୍ପନା କରିନଥିଲେ। ଜଣେ ମେଧାବୀ ଛାତ୍ର ନଥିଲେ ବି ନିଜର ଚେଷ୍ଟା ଦ୍ବାରା ଧୀରେ ଧୀରେ, ଗଣିତ ଏବଂ ବିଜ୍ଞାନ ତାଙ୍କର ସବୁଠାରୁ ବଡ଼ ଶକ୍ତି ପାଲଟିଗଲା। ସେ ପ୍ରଥମ ଚେଷ୍ଟାରେ IIT ଖଡ଼ଗପୁର ଏଣ୍ଟ୍ରାନ୍ସ ପାସ୍ କରିବା ପରେ ବଢି ଚାଲିଥିଲେ ଆଗକୁ। ସେଠାରୁ ‘ଇସ୍ରୋ’ ପର୍ଯ୍ୟନ୍ତ ପହଁଞ୍ଚିବାରେ ଲଗାଇଦେଇେଥିଲେ ନିଜର ସବୁ ଶକ୍ତି।, ସେ ଭାରତର ସବୁଠାରୁ ଭାରୀ ରକେଟ୍, GSLV Mk-III ଉପରେ କାମ କଲେ ଏବଂ ନିଜର ଇନୋଭେସନ୍ ପାଇଁ ବି ସମ୍ମାନ ପାଇଥିଲେ।

ବଡ଼ ସଫଳତା ପାଇଁ ବଡ଼ ରିସ୍କ

ସେପଟେ ଯଦି ନାଗା ଭରତଙ୍କ ବିଷୟରେ କଥା ହେବା ସେ ରକେଟ୍ ଟେକ୍ନୋଲୋଜି ଉପରେ କାମ କରୁଥିଲେ। ଦୁଇ ବୈଜ୍ଞାନିକ ଭାବିଥିଲେ ଯଦି ଭାରତର ସ୍ପେସ୍ ସେକ୍ଟରରେ ନିଜର ପାଦ ବଢାଉଛି ତେବେ ଘରୋଇ କମ୍ପାନୀକୁ ବି ସୁଯୋଗ ମିଳିବା ଦରକାର। ଏଥିପାଇଁ ଦୁହେଁ ‘ଇସ୍ରୋ’ରୁ ଚାକିରି ଛାଡିଦେଇଥିଲେ। ସେମାନଙ୍କର ଲକ୍ଷ୍ୟ ଥିଲା ସାଟେଲାଇଟ୍ ଲଞ୍ଚ କରିବା ସେତିକି ସହଜ ଓ ସୁଲଭ ହେଉ, ଯେପରି ବିମାନ ଟିକେଟ୍ ବୁକ୍ କରିବା। ତେବେ ଏହି କାମ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା ଫଣ୍ଡିଂ। କେହି ବି ସ୍ପେସ୍ ଷ୍ଟାର୍ଟଅପ୍ରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିବାକୁ ଇଚ୍ଛୁକ ନଥିଲେ। ସେତେବେଳେ Flipkart ର ସହ-ପ୍ରତିଷ୍ଠାତା ବିନି ବଂଶଲ ସର୍ବପ୍ରଥମେ ତାଙ୍କ ଉପରେ ଭରସା କରି ନିବେଶ କରିଥିଲେ। ଏହାର କିଛି ସମୟ ପରେ, କରୋନା ମହାମାରୀ ଆସିଥିଲା। ପାଣ୍ଠି ପ୍ରାୟତଃ ବନ୍ଦ ହୋଇଯାଇଥିଲା, ଯାହା ଫଳରେ କମ୍ପାନୀର ଅସ୍ତିତ୍ୱ ସଙ୍କଟ ଜନକ ସ୍ଥିତିରେ ପହଁଞ୍ଚିଥିଲା। ଏହି କଷ୍ଟକର ସମୟରେ, ଗ୍ରୀନ୍‌କୋ ‘ସ୍କାଏରୁଟ୍’ର ସ୍ୱପ୍ନକୁ ଜୀବିତ ରଖିଥିଲା। ପରେ, କମ୍ପାନୀ ୫୧ ମିଲିୟନ ଡଲାର ଏବଂ ପରେ ୬୦ ମିଲିୟନ ଡଲାର ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ପାଣ୍ଠି ସଂଗ୍ରହ କରିଥିଲା। ଯଦିଓ ଆଜି ଏହା ଉପରେ GIC ଏବଂ ଟେମାସେକ୍ ଭଳି ବିଶ୍ବସ୍ତରୀୟ କମ୍ପାନୀ ବି ଭରସା କରନ୍ତି। ଏବେ ‘ସ୍କାଏରୁଟ୍’ ର ଭାଲ୍ୟୁଏସନ୍ ୧.୧ ବିଲିୟନ ଡଲାରରେ ପହଁଞ୍ଚିଛି।

ପ୍ରତିଟି ପରୀକ୍ଷଣ ବଢାଇଲା ଭରସା

୨୦୨୦ ରେ, ସ୍କାଏରୁଟ୍ ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ‘ରମନ-୧’ ଇଞ୍ଜିନର ସଫଳ ପରୀକ୍ଷଣ କରିଥିଲା। ଏହା ପରେ ‘ଧାୱନ-୧’ କ୍ରାୟୋଜେନିକ୍ ଇଞ୍ଜିନ୍ ଆସିଥିଲା। ୨୦୨୧ରେ, ISRO ସହିତ ପ୍ରଥମ ଘରୋଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୧୮ ନଭେମ୍ବର ୨୦୨୨ ରେ, ‘ବିକ୍ରମ-S’ ଉତକ୍ଷେପ ହୋଇଥିଲା। ଯାହା ଭାରତର ପ୍ରଥମ ଘରୋଇ ରକେଟ୍ ଉଡ଼ାଣ କରିଥିଲା। ଏହା ପରେ, ବିକ୍ରମ-୧ ପାଇଁ ପରୀକ୍ଷଣର ଏକ ସିରିଜ ଶେଷ କରିଥିଲା। ଶେଷରେ, ଆଜି, ଭାରତର ପ୍ରଥମ ଘରୋଇ ଅର୍ବିଟାଲ ରକେଟ୍ ଶ୍ରୀହରିକୋଟାରୁ ଉଡ଼ାଣ କରିଛି। ଏହାଦ୍ବାରା ମହାକାଶ ଅନୁସନ୍ଧାନର ଏକ ନୂତନ ଯୁଗରେ ପାଦ ଦେଇଛି ଭାରତ।

ଦୁଇ ଜଣରୁ ଆରମ୍ଭ ହଜାରେଙ୍କୁ ନିଯୁକ୍ତି

ମାତ୍ର ଦୁଇଜଣଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ପ୍ରାୟ ୧୦୦୦ ରୁ ଅଧିକ ଇଞ୍ଜିନିୟର ଏବଂ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ସ୍କାଏରୁଟର ସବୁଠାରୁ ବଡ଼ ଘରୋଇ ରକେଟ୍ ମାନୁଫାକଚରିଂ ଫାସିଲିଟିର ଉଦ୍ଘାଟନ କରିଛନ୍ତି। କମ୍ପାନୀ ଏବେ କେବଳ ଭାରତରେ ନୁହେଁ ବରଂ ବିଶ୍ୱ ବାଣିଜ୍ୟିକ ମହାକାଶ ବଜାରରେ ମଧ୍ୟ ଏକ ଦୃଢ଼ ସ୍ଥିତିରେ ପହଁଞ୍ଚିଛି। ବିକ୍ରମ-୧ ର ଉଡାଣ କେବଳ ଏକ ମିଶନ୍‌ର ସଫଳତା ନୁହେଁ, ବଂର କୋଟି କୋଟି ଯୁବପୀଢିଙ୍କୁ ଭରସା ଦେଇଛି ଯେ ସ୍ବପ୍ନର କୌଣସି ମାର୍କସିଟ୍ ନାହିଁ। ୫୧ ନମ୍ବର ପାଇଥିବା ଛାତ୍ର, ସରକାରୀ ଚାକିରି ଛାଡିଥିବା ଦୁଇ ବୈଜ୍ଞାନିକ, ଫଣ୍ଡିଂ ପାଇଁ ୮ ବର୍ଷର ପରିଶ୍ରମର ଫଳ ଆଜି ପୁରା ଦୁନିଆ ଦେଖୁଛି। ସ୍କାଇରୁଟ୍‌ର ସଫଳତା ଏହା ପ୍ରମାଣିତ କରୁଛି ଯେ, ଦୃଢ ଇଛାଶକ୍ତି ଓ ସାହାସ ଏକାଠି ହେଲେ ସ୍ବପ୍ନର ଉଡାଣ ସଫଳ ହେବ। ଏପରିକି ଉଡାଣ ପାଇଁ ବି ଆକାଶ ଛୋଟ ପଡିଯିବ।