ଆଳି,୪।୪(ଆପ୍ର): ଆଳି ବ୍ଲକରେ ଶନିବାର ଅପରାହ୍ନରେ ହଠାତ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା। ପବନରେ ଗଛ ଭାଙ୍ଗିଯିବା ସହ ଆଜବେଷ୍ଟସ ଉଡିଥିଲା। ଗଛ, ବ୍ରଜପାତ ଓ ଆଜବେଷ୍ଟସ ପଡି ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛି।
ଶନିବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ହାଠାତ କାଳବୈଶାଖୀ ସହ ପ୍ରବଳ ବେଗରେ ପବନ ଓ ଝିପି ଝିପି ବର୍ଷା ହୋଇଥିଲା। ପବନ ପ୍ରଭାବରେ ବହୁ ଗଛ ଭାଙ୍ଗିଯିବା ସହ କେତେକ ଘରର ଆଜବେଷ୍ଟସ ଉଡିଯାଇଥିଲା। ଆଳି ଥାନା ସଂସିଧା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଉମାକାନ୍ତ ଦାସ(୫୦) ଗ୍ରାମ ମଧ୍ୟକୁ ଏକ କାର୍ଯ୍ୟ ନିମନ୍ତେ ଯାଇ ପୁନଃ ଘରକୁ ଫେରୁଥିବା ସମୟରେ ଗଛ ଡାଳ ତାଙ୍କ ମୁଣ୍ଡରେ ପଡ଼ି ଯାଇ ସେ ଗୁରୁତର ଆହତ ହୋଇ ପ୍ରଥମେ ଆଳି ଓ ପରେ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି l ଚାନ୍ଦବାଲି ପାଟପୁର ଅଞ୍ଚଳର ମାନସ ନାୟକ(୩୫) ଆଳି ଥାନା ମାନପୁର ନିକଟରେ ମଇଁଷି ଚରାଉଥିବା ସମୟରେ ହଠାତ ତାଙ୍କର ଅତି ନିକଟରେ ବିଜୁଳି ମାରମାରିବାରୁ ସେ ଗୁରୁତର ଆହତ ହୋଇଥିଲେ l ବିଜୁଳି ସଂସ୍ପର୍ଶ ରେ ଆସିବା ଯୋଗୁଁ ତାଙ୍କ ଦେହ ର କିଛି ଅଂଶ ପୋଡ଼ିଯାଇଛି l ତାଙ୍କୁ ମଧ୍ୟ ପ୍ରଥମେ ଆଳି ଓ ପରେ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ସେହିପରି ଆଳି ଥାନା ମେଣ୍ଢପୁର ପଞ୍ଚାୟତ ପଦନପୁର ଗ୍ରାମର ଅକ୍ତର ବିବି(୪୫)ଙ୍କ ମୁହଁ ରେ ଆଜବେଷ୍ଟ ପଡ଼ି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ମୁହଁ ଫାଟି ଯାଇ ଆହତ ହୋଇଛନ୍ତି l ଏଥିସହିତ ବହୁ ଗଛ ଓ ଏହାର ଡାଳ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡ଼ି କେଉଁଠି ତାର ଛିଣ୍ଡିଛି ତ କେଉଁଠି ବିଦ୍ୟୁତ ଖୁଣ୍ଟର ଶଙ୍ଖ ଭାଙ୍ଗିଯିବା ଫଳରେ ସମଗ୍ର ଆଳି ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ ହୋଇପଡିଛି।