କଳିଙ୍ଗ ଷ୍ଟୁଡିଓରେ ହେବ ଚଳଚ୍ଚିତ୍ର ପାଠାଗାର

source:www.seekpng.com
ଭୁବନେଶ୍ୱର,୪ା୩(ବ୍ୟୁରୋ): ବିଳମ୍ବରେ ହେଲେ ବି ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ସରକାର ଅନେକ ଯୋଜନା ଗ୍ରହଣ କରିଛନ୍ତି । କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ହେଉ କି ଚଳଚ୍ଚିତ୍ର ନୀତି-୨୦୧୯ ପ୍ରଣୟନ । ଏସବୁ ଭିତରେ ଷଷ୍ଠ ରାଜ୍ୟସ୍ତରୀୟ ଟେଲି ପୁରସ୍କାର ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଘୋଷଣା କରିଛନ୍ତି, ବହୁତ ଦିନରୁ ଚଳଚ୍ଚିତ୍ର ଅଭିଲେଖାଗାର ସହ ଏକ ପାଠାଗାର ପ୍ରତିଷ୍ଠା ପାଇଁ ଦାବି ହେଇ ଆସୁଥିଲେ । ଏବେ ସରକାର ଠିକ୍ କରିଛନ୍ତି କଳିଙ୍ଗ ଷ୍ଟୁଡିଓରେ ଏକ ଚଳଚ୍ଚିତ୍ର ଅଭିଲେଖାଗାର ସହ ପାଠାଗାର ପ୍ରତିଷ୍ଠା କରିବାକୁ । ଏକ ପ୍ରକୋଷ୍ଠରେ ଦୁଇଟିଯାକ କାର୍ଯ୍ୟାଳୟ କାର୍ଯ୍ୟ କରିବ । ନିକଟରେ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ପକ୍ଷରୁ ମଧ୍ୟ ଅଭିଲେଖାଗାର ଓ ଚଳଚ୍ଚିତ୍ର ଏକାଡେମୀ ପ୍ରତିଷ୍ଠା ପାଇଁ ଦାବି ହୋଇଛି ।
୧୯୯୨-୯୩ ମସିହାରେ ରାଜ୍ୟରେ ଚଳଚ୍ଚିତ୍ର ପାଠାଗାର ପ୍ରତିଷ୍ଠା କରିବାକୁ ଯୋଜନା ହୋଇ ଟଙ୍କା ମଞ୍ଜୁର ହୋଇଥିଲା । ୧୮.୮.୧୯୯୩ ମସିହାରେ ଚଳଚ୍ଚିତ୍ର ଉନ୍ନୟନ ନିଗମର ସଫଳତା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ତତ୍କାଳୀନ ଶିଳ୍ପମନ୍ତ୍ରୀ ତଥା ଓଏଫ୍ଡିସି ଅଧ୍ୟକ୍ଷ ରାଜ୍ୟରେ ଚଳଚ୍ଚିତ୍ର ଅଭିଲେଖାଗାର ଏବଂ ଚଳଚ୍ଚିତ୍ର ପାଠାଗାର ପାଇଁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲେ । ଅଭିଲେଖାଗାର ପାଇଁ ପ୍ରତିବର୍ଷ ୩-୪ଟି ଓଡ଼ିଆ ଚିତ୍ର କ୍ରୟ କରିବାକୁ ସିଦ୍ଧାନ୍ତ ନିଆଯାଇଥିଲା । ପ୍ରଥମ ପଦକ୍ଷେପ ସ୍ୱରୂପ ‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ର ସଂରକ୍ଷଣ ନିମନ୍ତେ କ୍ରୟ କରାଯାଇଥିଲା । ସେହିପରି ଚଳଚ୍ଚିତ୍ର ପାଠାଗାର ପାଇଁ ୧ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ସେହିବର୍ଷଠାରୁ ଫିଲ୍ମ ଆପ୍ରିସିଏସନ୍ କୋର୍ସ ଖୋଲିବାକୁ ବି କୁହାଯାଇଥିଲା । ଯେଉଁଥିରେ ଚଳଚ୍ଚିତ୍ର ସାମ୍ବାଦିକମାନଙ୍କ ପାଇଁ ପାଠ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । ଏମିତି ଅନେକଗୁଡ଼ିଏ ଯୋଜନା ପରବର୍ତ୍ତୀ ସମୟରେ ପାଣି ପରି ମିଳେଇଗଲା । ଏ ବିଷୟରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଦୂରର କଥା ଆଲୋଚନା ହୋଇନି । ଯୋଜନା ଯୋଜନାରେ ରହିଯାଇଛି ।
ପୂର୍ବରୁ ଅନେକ ଥର ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ପାଇଁ ଦାବି ହୋଇଛି । କିନ୍ତୁ କିିଛି ହୋଇନି । କାରଣ ଅନେକ ପୁରୁଣା ଫିଲ୍ମ ନାହିଁ କି ଓଡ଼ିଆ ଚଳଚ୍ଚିତ୍ର ସମ୍ପର୍କରେ ଗବେଷଣା ପାଇଁ କୌଣସି ତଥ୍ୟ ମିଳୁନି । ତେଣୁ ଏହାର ଆବଶ୍ୟକତା ଦୃଷ୍ଟିରୁ ଅଭିଲେଖାଗାର ନିହାତି ଦରକାର । କୁନା ତ୍ରିପାଠୀ ଓଏଫ୍ଡିସି ଅଧ୍ୟକ୍ଷ ହେବା ପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି । ନିକଟରେ ଏହି କମିଟି କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରି ଷ୍ଟୁଡିଓ ପରିସରରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ତଦାରଖ ବି କରିଛନ୍ତି । ତେଣୁ ସମସ୍ତଙ୍କ ଆଶା ନିଶ୍ଚୟ କିଛି ହେବ ।
ସେପଟେ କଳିଙ୍ଗ ଷ୍ଟୁଡିଓ ପରିସରରେ ଏକ ପ୍ରଦର୍ଶନୀ କକ୍ଷ ପ୍ରତିଷ୍ଠା କରିବାକୁ କଳାକାର ତଥା ଟେକ୍ନିସିଆନ୍ ଏବଂ ଗବେଷକମାନେ ଦାବି କରିଛନ୍ତି । କାରଣ ଷ୍ଟୁଡିଓ ପରିସରରେ ଅନେକ ଯନ୍ତ୍ରପାତି ପଡ଼ି ନଷ୍ଟ ହେଉଛି । ଯାହା ସେତେବେଳେ ଫିଲ୍ମ ନିର୍ମାଣରେ ବ୍ୟବହୃତ ହେଉଥିଲା । ତେଣୁ ତାକୁ ସେହି ପ୍ରଦର୍ଶନୀ କକ୍ଷରେ ରଖି ପ୍ରଦର୍ଶିତ କରିବାକୁ ଏକ ପ୍ରସ୍ତାବ ଦିଆଯାଇଛି । ଏହା ହେଲେ ଉତ୍ତରପିଢ଼ି ଚଳଚ୍ଚିତ୍ର ସହ ଜଡ଼ିତ ସ୍ମୃତିକୁ ଦେଖିପାରିବେ ଏବଂ ଜାଣିପାରିବେ ।