ଭୁବନେଶ୍ୱର ୦୧/୦୯: ହିନ୍ଦୁଧର୍ମରେ ଚାରୋଟି ଯୁଗର କଥା କୁହାଯାଇଛି । ସତ୍ୟ ଯୁଗ, ତ୍ରେତୟା ଯୁଗ,ଦ୍ୱାପର ଯୁଗ ଏବଂ କଳି ଯୁଗ । ବର୍ତ୍ତମାନ କଳି ଯୁଗ ଚାଲିଛି । ଏହି ଯୁଗକୁ ମିଥ୍ୟା, ଅଧର୍ମ, ଭ୍ରମ ତଥା ପାପର ଯୁଗ ବୋଲି ମନେ କରାଯାଏ । ଏହି କଳିଯୁଗର ବିଭିନ୍ନ ଲକ୍ଷଣ ସମ୍ପର୍କରେ ଆମର ଶାସ୍ତ୍ର, ପୁରାଣରେ ବିଚାରାଲୋଚନା କରାଯାଇଛି । କେଉଁସବୁ ଲକ୍ଷଣ ଦେଖିଲେ ତାହା କଳିଯୁଗ ଚାଲିଥିବାର ଜଣାପଡିବ ବୋଲି ଶ୍ରୀମଦ୍ଭାଗବତ ମହାପୁରାଣ ଏବଂ ମହାଭାରତରେ ଭବିଷ୍ୟବାଣୀ କରାଯାଇଛି । ଆଶ୍ଚର୍ଯ୍ୟର କଥା ଶାସ୍ତ୍ରରେ ଚର୍ଚ୍ଚିତ ଲକ୍ଷଣଗୁଡ଼ିକ ବାସ୍ତବରେ ଏବେ ଦେଖିବାକୁ ମିଳୁଛି । ବିଭିନ୍ନ ଲକ୍ଷଣ ମଧ୍ୟରୁ ୫ଟି ଲକ୍ଷଣ ବିଚାରକୁ ନିଆଯାଉ ।
ବର୍ଦ୍ଧିତ ଅଧର୍ମ: ମହାଭାରତ ଅନୁସାରେ କଳିଯୁଗରେ ଧର୍ମର ଅବକ୍ଷୟ ଘଟିବ । ଏହି ଯୁଗରେ ବିଶ୍ୱସନୀୟତା ମିଥ୍ୟା ଏବଂ ଛଳକପଟ ବିଶେଷ ପ୍ରଭାବଶାଳୀ ହୋଇଯିବ । ଲୋକମାନେ ନିଜ ସ୍ୱାର୍ଥକୁ ସୁହାଇଲା ଭଳି ଧର୍ମକୁ ଏପଟସେପଟ କରି ଉପସ୍ଥାପନ କରିବେ ।
ଗୁରୁ-ଶିଷ୍ୟ ସମ୍ପର୍କରେ ପତନ: କଳିଯୁଗରେ ଗୁରୁ-ଶିଷ୍ୟ ପରମ୍ପରାରେ କ୍ରମଶଃ ଅବନତି ଘଟିବ । ଗୁରୁଙ୍କର ଉଦ୍ଦେଶ୍ୟ ଶିଷ୍ୟମାନଙ୍କୁ ଜ୍ଞାନ ପ୍ରଦାନ ନହୋଇ ନିଜର ପ୍ରସିଦ୍ଧି ଏବଂ ଅର୍ଥ ରୋଜଗାର ମଧ୍ୟରେ ସୀମିତ ହୋଇଯିବ । ସେହିପରି ଶିଷ୍ୟ ମଧ୍ୟ ଜ୍ଞାନ ଅର୍ଜନ ଅପେକ୍ଷା ଡିଗ୍ରୀ ତଥା ଚାକିରି କରିବା ପଛରେ ଗୋଡ଼ାଇବ । ଆତ୍ମଜ୍ଞାନ ଏବଂ ନୈତିକତାର ସ୍ଥାନ ନେବ ଭୌତିକ ସୁଖସମ୍ପଦ ।
ଧନ ସର୍ବଶ୍ରେଷ୍ଠ: କଳିଯୁଗରେ ବ୍ୟକ୍ତିର ପଦ ପ୍ରତିଷ୍ଠା ତାହା ଧନର ବଳ ଏବଂ ବାହ୍ୟ ଆଡ଼ମ୍ବର ଦ୍ୱାରା ପରିଭାଷିତ ହେବ । ବ୍ୟକ୍ତିର ଗୁଣ ଏବଂ ଆଚରଣ ଆଧାରରେ ବ୍ୟକ୍ତିର ପ୍ରତିଷ୍ଠା ସ୍ଥିରୀକୃତ ହେବ ନାହିଁ । ଆଜିର ଯୁଗରେ ଏହାହିଁ ହେଉ ନାହିଁ କି ! ସମ୍ପର୍କ, ଶିକ୍ଷା ଏବଂ ଏପରିକି ନ୍ୟାୟ ମଧ୍ୟ ଧନ ଦ୍ୱାରା ଅନେକକ୍ଷେତ୍ରରେ ପ୍ରଭାବିତ ହେଉଛି ।
ତିକ୍ତ ଦାମ୍ପତ୍ୟ ସମ୍ପର୍କ: ଶାସ୍ତ୍ରାନୁଯାୟୀ କଳିଯୁଗରେ ପତି-ପତ୍ନୀର ସମ୍ପର୍କ ପ୍ରେମ ତଥା ଧର୍ମ ପରିବର୍ତ୍ତେ ବାସନା ଏବଂ ଲାଭକ୍ଷତି ଉପରେ ନିର୍ଭରଶୀଳ ହୋଇଯିବ । ସମ୍ପର୍କ ଯେତିକି ଶୀଘ୍ର ସ୍ଥାପିତ ହେବ ସେତିକି ଶୀଘ୍ର ଭାଙ୍ଗିଯିବ । ଆଜିର ଦୁନିଆରେ ଖବରକାଗଜଗୁଡ଼ିକ ଏହିପରି ଖବରରେ ଭରପୂର ହୋଇଯାଉଥିବାର ଲକ୍ଷ୍ୟ କରାଯାଉଛି ।
ଅବହେଳିତ ପିତା-ମାତା: କଳିଯୁଗର ଆଉ ଏକ ଲକ୍ଷଣ ମାତା- ପିତାଙ୍କ ପ୍ରତି ସନ୍ତାନମାନଙ୍କର ଆଦର ସମ୍ମାନରେ ଅବନତି । ପରିଣାମରେ ବୃଦ୍ଧାଶ୍ରମ ବା ଜରାଶ୍ରମ ବଢ଼ିଚାଲିବ । ସନ୍ତାନମାନେ ପିତା,ମାତାଙ୍କ ସହ ରହିବାକୁ ପସନ୍ଦ କରିବେ ନାହିଁ । ଅର୍ଥାତ୍ କଳିଯୁଗରେ ପାରିବାରିକ ମୂଲ୍ୟ କ୍ରମେ କମିଯିବ । ଯାହା ଏବେ ଘରେ ଘରେ ଦେଖିବାକୁ ମିଳିଲାଣି ।