ପ୍ରମୁଖ ଖବର
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜନ୍ମମାଟିରେ କଳ୍ପନାଙ୍କୁ ଅଶ୍ରୁଳ ବିଦାୟ

ଢେଙ୍କାନାଳ,୨ା୬(ଆପ୍ର): ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀର ଆଜି ଓଡ଼ିଶାରେ ପହଞ୍ଚିଛି । ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଦିଲ୍ଲୀରୁ ଏକ ବିମାନ ଯୋଗେ କଳ୍ପନାଙ୍କ ମରଶରୀର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚି ଥିଲା । ସେଠାରୁ ଏକ ଶୋଭାଯାତ୍ରାରେ କଳିଙ୍ଗ ଷ୍ଟାଡିୟମ୍‌ ନିଆଯାଇଥିଲା । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି, କ୍ରୀଡାବିତ୍‌ ଶେଷ ଦର୍ଶନ କରିଥିଲେ । ପରେ କଳ୍ପନାଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳ ନିଆଯାଇଥିଲା । ଅପରାହ୍ନ ସାଢ଼େ ୧୨ଟାରେ ଜନ୍ମମାଟି ଢେଙ୍କାନାଳରେ ପହଞ୍ଚିବା ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଟାଇଁ ଟାଇଁ ଖରା ସତ୍ତେ୍ୱ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଲୁହରେ ଭିଜିଥିଲା ଢେଙ୍କାନାଳ ସହର । ଖରାକୁ ଖାତିର ନକରି ଅନ୍ତିମ ଦର୍ଶନ ଓ ଶେଷଯାତ୍ରାରେ ସାମିଲ ହୋଇଥିଲେ ସହସ୍ରାଧିକ ଶିଶୁ, ମହିଳା ଓ ପୁରୁଷ । କଳ୍ପନାଙ୍କ ପାର୍ଥିକ ଶରୀର ଢେଙ୍କାନାଳ କଲେଜ ବାଇପାସ୍‌ ନିକଟରେ ପହଞ୍ଚିବା ପରେ ସେଠାରୁ ଏକ ବିରାଟ ବାଇକ୍‌ ଶୋଭାଯାତ୍ରାରେ ତାଙ୍କୁ ମିନିଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଅଣାଯାଇଥିଲା ।

"କଳ୍ପନା ଦାଶ ଅମର ରହେ…' ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର । ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲଙ୍କ ତତ୍ତ୍ୱାବଧାନରେ କଲେଜ ବାଇପାସ୍‌ଠାରେ ସାଧାରଣ ଜନତା ଓ ବିଜେଡି କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଜେଡିର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ଏକ ବାଇକ୍‌ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ମିନି ଷ୍ଟାଡିୟମ୍‌ଠାରେ ପ୍ରାୟ ଗୋଟାଏ ବେଳେ କଳ୍ପନାଙ୍କ ମରଶରୀର ପହଞ୍ଚି ଥିଲା । ଉପସ୍ଥିତ ଜନସାଧାରଣ, ପ୍ରଶାସନିକ ଅଧିକାରୀ, କ୍ରୀଡାବିତ୍‌ ଓ ଲୋକ ପ୍ରତିନିଧିମାନେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ମିନି ଷ୍ଟାଡିୟମ୍‌ରେ ପ୍ରାୟ ଅଧଘଣ୍ଟା ରହିବା ପରେ ମରଶରୀର ଭାଗିରଥୀସାଗରସ୍ଥିତ ଚିନ୍ମୟ ମିଶନ ନିକଟକୁ ଅଣାଯାଇଥିଲା । ଚିନ୍ମୟ ମିଶନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପରେ ତାଙ୍କର ପୈତୃକ ଗ୍ରାମ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ସାରିଆପଡା ଅଭିମୁଖେ ନିଆଯାଇଥିଲା । ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ କାନ୍ଦବୋବାଳିରେ ଫାଟିପଡିଥିଲା ଗାଁ ଦାଣ୍ଡ । ଅପେକ୍ଷାରତ ଆତ୍ମୀୟସ୍ୱଜନ, ବୁଦ୍ଧିଜୀବୀ, ଗ୍ରାମବାସୀଙ୍କ ସମେତ ଆଖପାଖ ବାରଖଣ୍ଡି ଗ୍ରାମର ଜନସାଧାରଣ ଶେଷ ଦର୍ଶନ କରିଥିଲେ । ଏହାପରେ ଏହି ଅନ୍ତିମ ଶୋଭାଯାତ୍ରା ଢେଙ୍କାନାଳ କୁମ୍ଭାରସାହିସ୍ଥିତ ବାସଭବନରେ ପହଞ୍ଚିଥିଲା । ସେଠାରେ ବିଧି ମୁତାବକ କର୍ମ ଅନୁଷ୍ଠିତ ହେବା ପରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ତାଙ୍କର ଶେଷଯାତ୍ରା ଆରମ୍ଭ ହୋଇଥିଲା । ରାତିରେ ପୁରୀ ସ୍ୱର୍ଗଦ୍ୱାରରେ କଳ୍ପନାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ତାଙ୍କ ଭାଇ ପ୍ରଦୀପ ଦାଶ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଶ୍ୱଶାନ୍ତି ଓ ମହିଳା ସଶକ୍ତିକରଣ ବାର୍ତ୍ତା ନେଇ କଳ୍ପନା ଓ କିଛି ବିଦେଶୀ ସାଥୀ ଏଭରେଷ୍ଟ୍‌ ଶିଖରକୁ ଚଢ଼ିଥିଲେ । ଗତ ୨୩ରେ ଏଭରେଷ୍ଟ ଶିଖର ଛୁଇଁ କଳ୍ପନା ଫେରୁଥିବା ବେଳେ ଅମ୍ଳଜାନ ଅଭାବରୁ ବାଲକୋନୀ ଏରିଆରେ କ୍ଲାନ୍ତ ଅନୁଭବ କରିବା ସହ ମୃତ୍ୟୁ ମୁଖରେ ପଡ଼ିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.