‘ହଂକଂର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ନଖେଳାଉ କାନାଡା, ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହୁ’: ଚାଇନା

ଓଟାଓ୍ବା ୦୪/ ୦୭: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଏବେ ଚୀନର ଆଖି ରହିଛି ପଡୋଶୀ ହଂକଂ ଉପରେ । ଦୀର୍ଘଦିନ ହେଲା ହଂକଂକୁ ନିଜର ବୋଲି ଦାବି କରିଆସୁଥିବା ଚାଇନା ଅନେକ ସମୟରେ ଧମକ ମଧ୍ୟ ଦେଇଆସୁଛି । ଏବେ କାନାଡାକୁ ମଧ୍ୟ ନାଲି ଆଖି ଦେଖାଇଛି ଚୀନ । କାନାଡାର ବୈଦେଶିକ ମନ୍ତ୍ରୀ ମେଲାନୀ ଜୋଲିଙ୍କ ଏକ ବୟାନ ପରେ ଚିହିକି ଉଠିଛି ଚାଇନା । କାନାଡା ବିଦେଶ ମନ୍ତ୍ରୀ ଏକ ବୟାନରେ କହିଥିଲେ ଯେ, ‘ଚାଇନା କର୍ତ୍ତୃପକ୍ଷ ହଂକଂ ସ୍ବାଧୀନତାକୁ ଦବେଇ ରଖିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି । ଏବେ ବି ବୃହତ ଶକ୍ତିର ଦ୍ବାହି ଦେଇ ହଂକଂ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଜୋରଦାର ପ୍ରୟାସ କରୁଛି’।
ହଂକଂର ୨୫ତମ ବାର୍ଷିକୀରେ କାନାଡା ଏଭଳି ମନ୍ତବ୍ୟ ଦେବାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ । ଓଟାଓ୍ବା (କାନାଡା ରାଜଧାନୀ)ରେ ଥିବା ଚୀନ ଦୂତାବାସକୁ ଚିଠି ଲେଖି ଚୀନ କହିଛି ଯେ, ‘ହଂକଂକୁ ନେଇ କାନାଡା ଭଳି ବାହ୍ୟ ଶକ୍ତି ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଦେବା ଉଚିତ ନୁହେଁ’।
ଚୀନ ପକ୍ଷରୁ ଜାରି କରାଯାଇଥିବା ମନ୍ତବ୍ୟରେ କୁହାଯାଇଛି ଯେ, ‘ହଂକଂର କୌଣସି ବ୍ୟାପାର ଚାଇନାର ବ୍ୟକ୍ତିଗତ ବ୍ୟାପାର । ଏଥିରେ କୌଣସି ବାହ୍ୟ ଶକ୍ତି ମୁଣ୍ଡ ଖେଳାଇବା ଉଚିତ ନୁହେଁ । ହଂକଂ ଏବଂ କାନାଡା ମଧ୍ୟରେ ଥିବା ସୁସମ୍ପର୍କର ଦ୍ବାହି ଦେଇ ଏହାର ବ୍ୟକ୍ତିଗତ ବ୍ୟାପାରରେ ମୁଣ୍ଡ ଖେଳାଇବା ଆଦୌ ଗ୍ରହଣୀୟ ନୁହେଁ’।
ଚୀନ ପକ୍ଷରୁ ଓଟାଓ୍ବାକୁ ଜାରି ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ରୁଲ୍ ଅଫ୍ ଲ’ କୁ କାନାଡା କଡାକଡି ଭାବେ ପାଳନ କରିବା ଉଚିତ । ଚାଇନାର ସଂପ୍ରଭୁତା ଏବଂ ଏକତାକୁ ସମ୍ମାନ ଦେବା ଉଚିତ । ଚୀନର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ । ନଚେତ୍ ଏହାର ପରିଣାମ ଭୋଗିବାକୁ କାନାଡା ପ୍ରସ୍ତୁତ ରହୁ’ ।
ସୂଚନା ଥାଉକି, ‘କାନାଡାର ବୈଦେଶିକ ମନ୍ତ୍ରୀ ମେଲାନୀ ଜୋଲି ଗତ ଗୁରୁବାର କହିଥିଲେ ଯେ, ‘ହଂକଂ ସହିତ କାନାଡାର ନିବିଡ ସମ୍ପର୍କ ରହିଛି । କାନାଡାର ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ନାଗରିକ ହଂକଂରେ ରହୁଛନ୍ତି । ଏହା ସହିତ ୧୦୦ରୁ ଉର୍ଦ୍ଧ୍ବ କାନାଡିୟାନ୍ କମ୍ପାନୀ ମଧ୍ୟ ରହିଛି । ଏହା ସହିତ ହଂକଂ ହେଉଛି କାନାଡାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ।