କାନପୁର, ୩୧/୦୩ : କାନପୁରରେ ବଡ଼ କିଡନୀ ତସ୍କରୀ ଗ୍ୟାଙ୍ଗର ପର୍ଦ୍ଦାଫାସ୍। ଗରିବ ଏବଂ ଅସହାୟ ଲୋକଙ୍କୁ ଲୋଭ ଦେଖାଇ କମ୍ ଟଙ୍କାରେ କିଡନୀ କିଣି ରୋଗୀମାନଙ୍କୁ ବହୁ ଗୁଣ ଅଧିକ ଟଙ୍କାରେ ବିକ୍ରି କରୁଥିଲେ ଅଙ୍ଗ ତସ୍କର। ରାୱତପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଖେଳ। କ୍ରାଇମବ୍ରାଞ୍ଚ ତଦନ୍ତରୁ ସାମ୍ନାକୁ ଆସିଲା ଭୟଙ୍କର ସତ। ହସ୍ପିଟାଲର ସଞ୍ଚାଳକଙ୍କ ସହ ଏକ ଡକ୍ଟର ଦମ୍ପତି ଏବଂ ଜଣେ ଦଲାଲଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ। 

ସୂଚନାନୁଯାୟୀ, କଲ୍ୟାଣପୁର ଅଞ୍ଚଳର ଶିବମ ଅଗ୍ରୱାଲଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ, ସେ ଉତ୍ତରାଖଣ୍ଡର ଜଣେ ଯୁବକଙ୍କ ଠାରୁ ୧୦ ଲକ୍ଷ ଟଙ୍କାରେ କିଡନୀ କିଣିବାକୁ ଡିଲ୍ କରିଥିଲେ। ଜଣେ ସମ୍ପର୍କୀୟଙ୍କ ପାଇଁ କିଡନୀ ନେଉଥିବା କହିଥିଲେ। ଆର୍ଥିକ ଅଭାବ ଯୋଗୁଁ ଯୁବକ ଜଣଙ୍କ ରାଜି ହୋଇଥିଲେ। ଏହାପରେ ତାଙ୍କୁ ରାୱତପୁର ହସ୍ପିଟାଲକୁ ଆାଣି ସର୍ଜରୀ କରି କିଡନୀ ବାହାର କରାଯାଇଥିଲା। ଏହାପରେ ମୁଜାଫରନଗରର ଜଣେ ୩୫ ବର୍ଷୀୟା ମହିଳାଙ୍କ ଶରୀରରେ ୯୦ ଲକ୍ଷ ଟଙ୍କାରେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଏପଟେ ଡୋନରଙ୍କୁ ୬ ଲକ୍ଷ ଟଙ୍କା ନଗଦ ଏବଂ ବାକି ୩.୫ ଲକ୍ଷ ଟଙ୍କା ଚେକ୍ ଦେଇଥିଲେ। ବାକି ଟଙ୍କା ପାଇଁ ଅପେକ୍ଷା କରିବାକୁ କହିଥିଲେ। 

ସର୍ଜରୀ ପରେ କିଡନୀ ଡୋନର ଏବଂ ରୋଗୀଙ୍କୁ ଗୋଟିଏ ଦିନ ହସ୍ପିଟାଲରେ ରଖାଯାଇଥିଲା। ଏହାପରେ ଦୁହିଁଙ୍କୁ ଅଲଗା ଅଲଗା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସୁନିୟୋଜିତ ଉପାୟରେ ପୁରା ନେଟୱାର୍କକୁ ହ୍ୟାଣ୍ଡେଲ କରାଯାଇଥିଲା। ହେଲେ ଡୋନରକୁ ବାକି ୫୦ ହଜାର ଟଙ୍କା ମିଳିନଥିଲା। ଯେଉଁଥିପାଇଁ ସେ ଥାନାର ଦ୍ଵାରସ୍ଥ ହୋଇଥିଲା। ଏହି ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଧୀରେ ଧୀରେ ବଡ଼ କିଡନୀ ରାକେଟ୍ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଥିଲା। ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ, ଏମିତି ଅନେକ କିଡନୀ ତସ୍କରୀ ହୋଇଥିବା ପୁଲିସ ସନ୍ଦେହ କରୁଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ହସ୍ପିଟାଲ ସଞ୍ଚାଳକ, ଜଣେ ଡାକ୍ତର ଦମ୍ପତି ଏବଂ ଦଲାଲକୁ ଗିରଫ କରି ପଚରାଉଚରା କରୁଛି। 

ଏହି ଖବରଟିକୁ ପଢନ୍ତୁ- ନାଳନ୍ଦାର ଶୀତଳା ମାତା ମନ୍ଦିରରେ ଦଳାଚକଟା : ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୧୨ ଆହତ