ନୂଆଦିଲ୍ଲୀ, ୩୧/୦୩ : ବିହାରର ନାଳନ୍ଦା ଜିଲ୍ଲା ଶୀତଳା ମନ୍ଦିରରେ ଦଳାଚକଟା। ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ଏହି ଘଟଣାରେ ପ୍ରାୟ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଚାଲିଛି। 

ସୂଚନାନୁଯାୟୀ, ଚୈତ୍ର ମାସ ଶେଷ ମଙ୍ଗଳବାର ଥିବାରୁ ନାଳନ୍ଦାର ଶୀତଳା ମାତା ମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ ପାଇଁ ମନ୍ଦିର ଆସିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଅଧିକ ଭିଡ଼ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ହୋଇଥିଲା। ଏହି ଦଳାଚକଟାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଖବର ପାଇ ଏସଡିପିଓଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ସୂଚନା ଥାଉକି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ନାଳନ୍ଦାରେ ଅଛନ୍ତି। ସେ ନାଳନ୍ଦା ବିଶ୍ଵବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବା ପାଇଁ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁଲିସ ପ୍ରଶାସନର ସମ୍ପୂର୍ଣ୍ଣ ଧ୍ୟାନ ନାଳନ୍ଦା ବିଶ୍ଵବିଦ୍ୟାଳୟ ଉପରେ ଥିଲା ବୋଲି ଚର୍ଚ୍ଚା ହେଉଛି। 

ଏହି ଖବରଟିକୁ ପଢନ୍ତୁ- ହୋର୍ମୁଜ ଉପରୁ କମିବ ନିର୍ଭରତା : ଆଫ୍ରିକୀୟ ଦେଶରୁ ଏଲ୍‌ପିଜି କିଣିବ ଭାରତ, ଆମେରିକା ଅପେକ୍ଷା ୧୫ ଦିନ ଶୀଘ୍ର ମିଳିବ ଗ୍ୟାସ୍