ତୁରେକେଲା ୦୪/୧୨: କଣ୍ଟାବାଞ୍ଝି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ । ଦୁର୍ବ୍ୟବହାର ସହ ମାରିଦେବାକୁ ଧମକ ମିଳିଛି । ଜିଆର୍ପି ଥାନାରେ ଅଭିଯୋଗ କଲେ ନିଜେ ବିଧାୟକ ଲକ୍ଷ୍ମଣ ବାଗ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ଜିଆରପି ଥାନା ପୁଲିସ।
ସୂଚନା ଥାଉକି, କଣ୍ଟାବାଞ୍ଝି ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ୍ ଯୋଗେ ବାହାରକୁ ଯାଉଥିଲେ । ତେବେ ଏହି ସମୟରେ ପ୍ରାୟ ୧୧.୩୫ରେ ରାୟପୁର- ବିଶାଖାପାଟଣା ଲିଙ୍କ୍ ଏକ୍ସପ୍ରେସ ବେଆଇନ ଭାବେ ଦାଦନ ଯାଉଥିବା ବେଳେ ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରିଥିଲେ । ଶ୍ରମିକମାନେ ସନ୍ତୋଷ ଜନକ ଉତ୍ତର ନଦେବାରୁ ବିଧାୟକ ଶ୍ରମିକ ମାନଙ୍କ ପାଖରେ ଟିକେଟ ଅଛି କି ବୋଲି ପଚାରିଥିଲେ । ଶ୍ରମିକମାନେ ରାଜ୍ୟ ବାହାରକୁ ଯାଉଥିବା ବେଳେ ସେମାନଙ୍କ ପାଖରେ କୌଣସି କାଗଜପତ୍ର ନଥିଲା I ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ହେଉଥିବା ଜଣାପଡିଥିଲା । ବିଧାୟକ କଣ୍ଟାବାଞ୍ଝି ଟାଉନ ପୁଲିସ, ଜିଆରପି ଏବଂ ଆରପିଏଫକୁ ଖବର ଦେଇ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ କରିବାକୁ କହିଥିଲେ । ତେବେ ଏହି ସମୟରେ ବିଧାୟକ କିଛି ଲୋକଙ୍କୁ ଅଟକ ରଖି ଆରପିଏଫ୍କୁ ତଦନ୍ତି କରିବାକୁ କହିବା ବେଳେ ଆରପିଏଫ କିଛି ସମୟ ପରେ ଅଟକ ଶ୍ରମିକଙ୍କୁ ଛାଡି ଦେଇଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ କଣ୍ଟାବାଞ୍ଝି ବିଧାୟକ । ଆରପିଏଫ କାହିଁକି ଅଟକ ଲୋକଙ୍କୁ ଛାଡି ଦେଲା ବୋଲି ପ୍ରଶ୍ନ କରିଥିଲେ । ବିଧାୟକ ଷ୍ଟେସନର ବାହାରେ ଦୀର୍ଘ ସମୟ ଧରି ବସି ରହିଥିଲେ । ଯେଉଁ ମାନେ ଦାଦନ ଶ୍ରମିକ ଭଳି ଦେଖା ଯାଉଥିଲେ ସେମାନଙ୍କୁ ବିଧାୟକ କୁଆଡେ ଯାଉଛି ବୋଲି ପଚାରୁଥିଲେ ।
ଅନ୍ୟ ପକ୍ଷରେ ବିଧାୟକ ଦାଦନ ଶ୍ରମିକ ମାନଙ୍କୁ ପଚାରୁଥିବା ବେଳେ ମହମ୍ମଦ ଇମରାନ ଓରଫ ବଣ୍ଟି ଖାନ ଏବଂ ବଣ୍ଟି ବେହେରା ସହ ଅନ୍ୟ ୬ରୁ ଅଧିକ ଲୋକ ଆସି ବିଧାୟକକୁ ଗାଳି କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା। ଏହାକୁ ବିଧାୟକ କଣ୍ଟାବାଞ୍ଝି ଜିଆରପି ଥାନାରେ ଅଭିଯୋଗ କରିଛନ୍ତି । ବିଧାୟକଙ୍କୁ ଦୁର୍ବ୍ୟବହାର ହୋଇଥିବା ଖବର ତାଙ୍କ ସମର୍ଥକମାନେ ଜାଣିବା ପରେ ଷ୍ଟେସନରେ ପହଞ୍ଚିଥିଲେ । ବିଧାୟକ କଣ୍ଟାବାଞ୍ଝି ରେଳ ଷ୍ଟେସନରୁ ରାତି ୨ଟାରେ ନିଜ ଘରକୁ ଫେରିଥିଲେ ।