ଓସ୍କାରରୁ ବାଦ୍ ପଡ଼ିଲା କାନ୍ତାରା ଓ ଛେଲୋ ଶୋ’

newsbytesapp
ନୂଆଦିଲ୍ଲୀ ୨୫/୦୧: ୯୫ତମ ଓସ୍କାର ଆୱାର୍ଡ ପାଇଁ ମଙ୍ଗଳବାର ୨୩ଟି ବର୍ଗରେ ନୋମିନେଶନ ଘୋଷଣା କରାଯାଇଛି । ଓସ୍କାର ପାଇଁ ମୋଟ ୩୦୧ ଫିଚର ଫିଲ୍ମର ତାଲିକା ଜାନୁଆରୀ ୯ରେ ରିଲିଜ ହୋଇଥିଲା । ଜାନୁଆରୀ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ନୋମିନେଶନ ପାଇଁ ଭୋଟିଂ ହୋଇଥିଲା । ଭାରତୀୟ ଫିଲ୍ମ ‘ଆର୍ଆର୍ଆର୍’ର ନାଟୁ ନାଟୁ ଗୀତ ସମେତ ଶୌନକ୍ ସେନ୍ଙ୍କ ଡକ୍ୟୁମେଣ୍ଟାରୀ ‘ଅଲ୍ ଦ୍ୟାଟ୍ ବ୍ରେଦ୍ସ’ ଏବଂ ଭାରତର ଆଉ ଏକ ଶର୍ଟ ଡକ୍ୟୁମେଣ୍ଟାରୀ ‘ଦି ଏଲିଫ୍ୟାଣ୍ଟ ୱିସ୍ପର୍ସ’ ମଧ୍ୟ ଓସ୍କାର ଦୌଡ଼ରେ ସାମିଲ ହୋଇଛି । ପାନ୍ ନଲିନ୍ଙ୍କ ‘ଛେଲୋ ଶୋ’ ଚଳିତ ବର୍ଷର ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଛି । ସେହିପରି ଭାରତୀୟ ଫିଲ୍ମ ‘କାନ୍ତାରା’ ମଧ୍ୟ ଓସ୍କାର ରେସ୍ରେ ସାମିଲ ହୋଇପାରିନାହିଁ ।

ଅଭିନେତା ଆଲିସନ୍ ୱିଲିୟମ୍ସ ଏବଂ ରିଆଜ୍ ଅହମଦ ଚଳିତ ବର୍ଷ ଓସ୍କାର ନୋମିନେଶନ ଘୋଷଣା କରିଛନ୍ତି । ଓସ୍କାର ଏକାଡେମିର ୟୁଟ୍ୟୁବ୍ ଚ୍ୟାନେଲ ସମେତ ଓସ୍କାର ଡଟ୍ କମ୍, ଓସ୍କାର୍ସ ଡଟ୍ ଓଆର୍ଜିରେ ଏହାର ସିଧା ପ୍ରସାରଣ କରାଯାଇଥିଲା । ଲସ୍ ଆଞ୍ଜେଲ୍ସର ଓଭେଶନ୍ ହଲିଉଡ୍ରେ ଡଲ୍ବି ଥିଏଟରରୁ ୯୫ତମ ଓସ୍କାର ଏକାଡେମୀ ପୁରସ୍କାର ପ୍ରଦାନର ସିଧା ପ୍ରସାରଣ ୨୦୦ରୁ ଅଧିକ ଦେଶରେ ହେବ । ମାର୍ଚ୍ଚ ୧୨ରେ ହେବାକୁ ଥିବା ଓସ୍କାର ସମାରୋହରେ ଜିମି କିମେଲ ଉପସ୍ଥାପକ ରହିବେ । ଏବିସି ଚ୍ୟାନେଲ ମାଧ୍ୟମରେ ଲୋକେ ଏହାକୁ ଦେଖିପାରିବେ।