ବାଲେଶ୍ୱର,୦୯/୦୬: ଗତ ୨ ତାରିଖରେ କପ୍ତିପଦା ଅତିରିକ୍ତ ତହସିଲଦାର ଭିମକାନ୍ତ ମାଝୀ(ଓଆରଏସ)ଙ୍କୁ ବାଲି ମାଫିଆ ଆକ୍ରମଣ କରିଥିଲେ। ଏହି ଘଟଣାରେ ୯ ଜଣ ଗିରଫ ହୋଇଛନ୍ତି। ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୋମବାର ପୂର୍ବାଞ୍ଚଳ ଡିଆଇଜି ଡାକ୍ତର ସତ୍ୟଜିତ ନାଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗିରଫ ଅଭିଯୁକ୍ତ ମାନେ ସ୍ଥାନୀୟ ଅଞ୍ଚଳର। ସେମାନଙ୍କୁ ଓଡିଶା, ଝାଡ଼ଖଣ୍ଡ ସମେତ ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି । କାର୍ଯ୍ୟରେ ଥିବା ସରକାରୀ କର୍ମଚାରୀ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସେହି ନିର୍ଦ୍ଦେଶ ମୁତାବକ ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଡିଆଇଜି ଡାକ୍ତର ସତ୍ୟଜିତ ନାଏକ ସୂଚନା ଦେଇଛନ୍ତି।
କହିରଖୁ କି, କପ୍ତିପଦା ଥାନା ନିକଟରେ ୨୦ ରୁ ଉର୍ଦ୍ଧ୍ଵ ବାଲି ମାଫିଆ ଅତିରିକ୍ତ ତହସିଲଦାର ଭିମକାନ୍ତ ମାଝୀଙ୍କୁ ଆକ୍ରମଣ କରିଥିଲେ। ପରେ ସେ ଏ ନେଇ କପ୍ତିପଦା ଥାନାରେ ୧୨ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ମାମଲା ରୁଜୁ ହୋଇଥିଲା। ସେଠାକାର ଏସଡିପିଓ ହରେକୃଷ୍ଣ ନାୟକଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଥିଲା।