ମୋଦି କହିଲେ କରାଚିବାସୀ ବି ପାଇବେ ‘ଆୟୁଷ୍ମାନ ଭାରତ ଯୋଜନା’ର ଲାଭ

source:zeenews.india.com
ଜାମନଗର ୪/୩: ପାକିସ୍ତାନର କରାଚିବାସୀ ମଧ୍ଯ ଏଥର ପାଇବେ ଆୟୁଷ୍ମାନ ଯୋଜନାର ଲାଭ । ଆଜ୍ଞା ହଁ । ଠିକ୍ ପଢିଛନ୍ତି । ପାକିସ୍ତାନର କରାଚିବାସୀ ପାଇବେ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାର ଲାଭ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । କଥାଟା ଟିକିଏ ଖଟା ଲାଗୁଛି ବୋଧେ । ତେବେ ତାହା ପାକିସ୍ତାନର କରାଚି ନୁହେଁ, କେରଳର କୋଚ୍ଚି । ପ୍ରଧାନମନ୍ତ୍ରୀ ଭୁଲରେ କୋଚ୍ଚିକୁ କରାଚି ବୋଲି କହିଦେଇଥିଲେ ଏବଂ ପରେ ସଂଶୋଧନ ମଧ୍ୟ କରିଦେଲେ ।
୨ ଦିନିଆ ଗୁଜରାତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଜାମନଗରରେ ଅଭିଭାଷଣ ଦେଉଥିବା ସମୟରେ ସେ ଭୁଲରେ କୋଚ୍ଚିକୁ କରାଚି କହିଦେଲେ ଏବଂ ପରେ ସଂଶୋଧନ କରି କହିଲେ ଯେ ‘କଣ କରିବି, ଏବେ ପାକିସ୍ତାନ ମୁଣ୍ଡରେ ପଶିଛି ।’ ମୋଦି ସଭାରେ କହିଥିଲେ ଯେ ‘ଆୟୁଷ୍ମାନ ଭାରତ ଯୋଜନାରେ ଯଦି ଜାମନଗରର କୌଣସି ବାସିନ୍ଦା ଭୋପାଳ ଯାଇଛି ଏବଂ ରୋଗରେ ପଡି ଯାଉଛି ତେବେ ଚିକିତ୍ସା ପାଇଁ ତାକୁ ଜାମନଗର ଫେରିବା ଆବଶ୍ଯକ ନାହିଁ । ଯଦି ସେ ନିଜ କାର୍ଡ(ଆୟୁଷ୍ମାନ ଭାରତ କାର୍ଡ) ଦେଖାଇବ ତେବେ କୋଲକାତାରୁ ଆରମ୍ବ କରି କରାଚି ମଧ୍ୟରେ କେଉଁଠି ବି ଚିକିତ୍ସା କରାଇ ପାରିବ ।’
ଏହାପରେ ତୁରନ୍ତ ସେ ନିଜକୁ ସମ୍ଭାଳି ନେଇଥିଲେ ଏବଂ କହିଥିଲେ, ‘କରାଚି ନୁହେଁ, କୋଚ୍ଚି । ମୁଣ୍ଡରେ ପଡୋଶୀ ଦେଶ ପଶିଛି, ଖାଲି ତାରି କଥା ମନେ ପଡୁଛି ।’ ଏହା ପରେ ସେ କହିଥିଲେ ଯେ ‘ତାହା(ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍) ମଧ୍ଯ ଆବଶ୍ୟକ ଥିଲା । ଆବଶ୍ଯକ ଥିଲା କି ନାହିଁ ?’’ ଭିଡ ଉତ୍ତର ଦେଇଥିଲା ଯେ ‘ହଁ’ । ମୋଦି ଆଜି(ସୋମବାର) ବାନ୍ଦ୍ରା-ଜାମନଗର ହମସଫର ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ସହିତ ଅନେକ ବିକାଶ ମୂଳକ ଯୋଜନା ମଧ୍ଯ ଆରମ୍ବ କରିଥିଲେ ।