ନୂଆଦିଲ୍ଲୀ,୨୯/୦୫; କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ଅସ୍ଥିରତା ଶେଷ ହୋଇଛି। ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଇସ୍ତଫା ଦେଇଥିଲେ, ଯାହାକୁ ଏବେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଗ୍ରହଣ କରିଛନ୍ତି । ସିଦ୍ଦରମୈୟା ଇସ୍ତଫା ଦେବା ସମୟରେ ରାଜ୍ୟପାଳ ନଥିଲେ, ସେ ସଚିବଙ୍କ ନିକଟରେ ଇସ୍ତଫା ପ୍ରଦାନ କରିଥିଲେ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ରାଜ୍ୟପାଳ ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏହା ଡିକେ ଶିବକୁମାରଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର କରିଛି । ସୂତ୍ର ଅନୁସାରେ ଡିକେ ଶିବକୁମାର ଜୁନ୍ ୧ କିମ୍ବା ଜୁନ୍ ୩ ତାରିଖରେ ଶପଥ ନେଇପାରନ୍ତି ।

କର୍ଣ୍ଣାଟକରେ ୪ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି- କଂଗ୍ରେସ ସୂତ୍ର ଅନୁସାରେ, ସିଦ୍ଦରମୈୟା, ଡିକେ ଶିବକୁମାର ଏବଂ ରଣଦୀପ ସୁରଜେୱାଲା ଦଳର ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରିବେ । ଏହି ବୈଠକରେ ରାଜ୍ୟସଭା ପ୍ରାର୍ଥୀ, ଏମଏଲସି ପ୍ରାର୍ଥୀ ଏବଂ କ୍ୟାବିନେଟ୍ ପୁନର୍ଗଠନ ଉପରେ ଗୁରୁତ୍ୱ ଦିଆଯିବ । ସିଦ୍ଦରମୈୟାଙ୍କ କ୍ୟାବିନେଟ୍‌ରୁ ଅନେକ ମନ୍ତ୍ରୀ ଡିକେ ଶିବକୁମାରଙ୍କ ନେତୃତ୍ୱାଧୀନ କ୍ୟାବିନେଟରେ ସ୍ଥାନ ପାଇବାର ସମ୍ଭାବନା କମ୍ । ସରକାରରେ ସାମାଜିକ ଏବଂ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ପାଇଁ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇପାରେ ।

ଏହା ବି ପଢନ୍ତୁ...କଂଗ୍ରେସର ସବୁଠୁ ବଡ଼ ‘ଟ୍ରବଲସୁଟର’ ଶିବକୁମାର : ଅନେକ ଅପରେସନ ଲୋଟସକୁ ଦେଇଛନ୍ତି ମାତ୍ ; ଗୁଜରାଟ ଯାଏ ଦେଖାଇଛନ୍ତି ନିଜର ଦମ୍    

ଦଳର ସଙ୍କଟମୋଚକ ତଥା ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ଗୃହମନ୍ତ୍ରୀ ଜି.ପରମେଶ୍ୱର ମଧ୍ୟ ମୁଖ୍ୟମନ୍ତ୍ରୀ ପଦବି ଦୌଡରେ ଅଛନ୍ତି । ଆଜି ସନ୍ଧ୍ୟାରେ ଉଭୟ ସିଦ୍ଦରମୈୟା ଓ ଶିବକୁମାର ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଛନ୍ତି । ସେଠାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ, କ୍ୟାବିନେଟ ଗଠନ, ପିସିସି ସଭାପତି ନିଯୁକ୍ତ ସମେତ ଦଳୀୟ ସାଙ୍ଗଠନିକ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯିବ । ଶିବକୁମାର ବର୍ତ୍ତମାନ ପିସିସି ସଭାପତି ଅଛନ୍ତି । ସେ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ନୂଆ ସଭାପତି ନିଯୁକ୍ତ କରାଯିବ । ଦିନେ ଦୁଇଦିନ ଭିତରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ନୂଆ ନେତା ଚୟନ କରାଯିବାର ସମ୍ଭାବନା ରହିଛି ।

ଲୋକଭବନକୁ ଯାଇ ଇସ୍ତଫା ଦେବା ପରେ ଗୁରୁବାର ସିଦ୍ଦରମୈୟା ଗଣମାଧ୍ୟମକୁ ସମ୍ବୋଧନ କରି କହିଥିଲେ ଯେ, ସେ ପୂର୍ବରୁ କହିଥିଲେ ଦଳୀୟ ହାଇକମାଣ୍ଡ ଯେତେବେଳେ କହିବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ । ଗତକାଲି ହାଇକମାଣ୍ଡ ଇସ୍ତଫା ଦେବାକୁ କହିଥିଲେ, ତେଣୁ ସେ ଇସ୍ତଫା ଦେଇଛନ୍ତି । ହାଇକମାଣ୍ଡ ତାଙ୍କୁ ରାଜ୍ୟସଭାକୁ ଯିବା ଲାଗି ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ମନା କରିଦେଇଛନ୍ତି । ତାଙ୍କର ଜାତୀୟ ରାଜନୀତିରେ କୌଣସି ରୁଚି ନାହିଁ । ସେ ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ । ଲୋକମାନେ ତାଙ୍କୁ ବିଧାୟକ ଭାବେ ଭୋଟ ଦେଇ ନିର୍ବାଚିତ କରିଛନ୍ତି । ସେ ବିଧାୟକ ରହିବେ ଓ ଲୋକଙ୍କ ପାଇଁ କାମ କରିବେ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ପ୍ରଶ୍ନରେ ସେ କହିଲେ ଦଳୀୟ ହାଇକମାଣ୍ଡ ଓ ବିଧାୟକମାନେ ଯାହାଙ୍କୁ ବାଛିବେ ସେ ମୁଖ୍ୟମନ୍ତ୍ରୀ ହେବେ । ଇସ୍ତଫା ପୂର୍ବରୁ ସିଦ୍ଦରମୈୟା ନିଜ ବାସଭବନରେ ମନ୍ତ୍ରିମଣ୍ଡଳର ବୈଠକ ଡାକିଥିଲେ । ବୈଠକରେ ସେ ଇସ୍ତଫା ଦେବା ନେଇ ମନ୍ତ୍ରୀମାନଙ୍କୁ ଅବଗତ କରିଥିଲେ । ଶିବକୁମାର ବୈଠକ ପରେ ସିଦ୍ଦରମୈୟାଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ । ଉଭୟେ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଇସ୍ତଫା ଦେବା ପରେ ସିଦ୍ଦରମୈୟା ସୋସିଆଲ ମିଡିଆ ଏକ୍ସରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।