ପୁରୀ,୦୪/୦୯: ଅକ୍ଟୋବର ୭ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କୁ ପୁରୀରେ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ  ପ୍ରଭୃତିର ମାଗଣା ସୁବିଧା ଯୋଗାଇ ଦିଆଯିବ । ସନ୍ଧ୍ୟାରେ ପ୍ରବଚନ, ଭଜନ, ପାଲା ପରିବେଷଣ ହେବ । ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକୁ ସୁଚାରୁରୁପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ  ବୁଧବାର ସର୍କିଟ ହାଉସ୍‌ଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି  ପରିଡ଼ାଙ୍କ ଅଧ୍ୟକ୍ଷତାରେ ବସିଥିଲା ।

ହବିଷ୍ୟାଳିଙ୍କ ନିମନ୍ତେ ସୁରକ୍ଷିତ ରହଣି, ଦର୍ଶନ ବ୍ୟବସ୍ଥା, ମହାପ୍ରସାଦ ସେବନ,  ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାତାୟାତ ଏବଂ ଚିକିତ୍ସା ବ୍ୟବସ୍ଥା ଇତ୍ୟାଦି  କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟିତ୍ୱ  ବାଣ୍ଟିଛନ୍ତି । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍‌ଲାଇନ୍‌ରେ  ହବିଷ୍ୟାଳି ଶ୍ରୀକ୍ଷେତ୍ରରେ ରହି ହବିଷ ପାଳନ ପାଇଁ ନାମ  ପଞ୍ଜୀକରଣ କରିବାକୁ ପଡ଼ିବ । ଏ ନେଇ ପ୍ରଶାସନ ଆଗକୁ  ସୂଚନା ଦେବ । ବିଗତ ବର୍ଷ ବୃନ୍ଦାବତୀ  ନିବାସ, ଅକ୍ଷୟ ପାତ୍ର କୋଠା, ବଗଲା  ଧର୍ମଶାଳା କୋଠା, ବାଗେଡ଼ିଆ  ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ହବିଷ୍ୟାଳିଙ୍କ ରହଣିର ବ୍ୟବସ୍ଥା ହୋଇଥିଲା । ଚଳିତ ବର୍ଷ ମଧ୍ୟ ଏହି କୋଠାରେ ହବିଷ୍ୟାଳିଙ୍କୁ ରଖିବା ନେଇ  ପ୍ରଶାସନ ଚିନ୍ତା କରୁଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ,  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ,  ସିଡିଏମ୍‌ଓ, ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ଏଏସ୍‌ପି, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉପସ୍ଥିତ ଥିଲେ।