ଅଚଳ ହୋଇ ପଡ଼ିଛି ରାସ୍ତା ପାର୍ଶ୍ୱରେ ଲାଗିଥିବା ସିସି କ୍ୟାମେରା, ସଜାଡ଼ିବାକୁ ସ୍ଥାନୀୟ ଲୋକଙ୍କ ଦାବି

କାଶୀପୁର, ୨୯/୦୩ : ଗତ କିଛି ଦିନ ତଳେ କାଶୀପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତାର କିଛି ସ୍ଥାନରେ ବ୍ଲକ ପ୍ରଶାସନ ତରଫରୁ ସିସି କ୍ୟାମେରା ଲଗାଯାଇ ସ୍ଥାନୀୟ ପୁଲିସ ଥାନାକୁ ଏହାର କେବୁଲ ସଂଯୋଗ ଦିଆଯାଇଥିଲା। କ୍ୟାମେରା ଲାଗିବା ଫଳରେ ଅପରାଧୀକ ଗତିବିଧି ଏବଂ ଟ୍ରାଫିକ ସମସ୍ୟା ପ୍ରତି ପୁଲିସର ନଜର ରହୁଥିଲା । ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ଦିନ ହେଲା ଏହା ଅଚଳ ହୋଇ ପଡ଼ିଥିବାର ଜଣାଯାଇଛି । ଏହାର ମରାମତି ପାଇଁ ବ୍ଲକ ପ୍ରଶାସନ କିମ୍ବା ଅନ୍ୟ କେହି ଆଗେଇ ଆସୁ ନଥିବା ଅଭିଯୋଗ ହେଉଛି। କାରଖାନା ପ୍ରଭାବିତ ଟିକିରି ସହରାଞ୍ଚଳର ଅପରାଧ, ଟ୍ରାଫିକ ନିୟନ୍ତ୍ରଣ ଏବଂ ଶାନ୍ତିଶୃଙ୍ଖଳା ରକ୍ଷାରେ ସିସି କ୍ୟାମେରା ଜରୁରୀ ହୋଇ ପଡ଼ିଛି। ଅଚଳ ହୋଇଥିବା ସିସି କ୍ୟାମେରାକୁ ତୁରନ୍ତ ସଜାଡ଼ିବା ସହ ଆଉ କିଛି ସ୍ଥାନରେ ସିସି କ୍ୟାମେରା ଲଗାଯିବା ପାଇଁ ଦାବି କରାଯାଉଛି।