ମାସେ ହେଲା ମଣ୍ଡିରେ ଧାନ ବିକ୍ରି କଲେଣି ଚାଷୀ, ମିଳୁନି ଟଙ୍କା

କାଶୀପୁର, ୨୫।୦୧ : କାଶୀପୁର ବ୍ଲକ ଟିକିରି ଲ୍ୟାମ୍ପସ ମଣ୍ଡିରେ ଧାନ ବିକ୍ରି କରିଥିବା କିଛି ଚାଷୀ ଟଙ୍କା ପାଇବାରେ ହଇରାଣ ହେଉଛନ୍ତି। ପ୍ରାୟ ଏକମାସ ହେଲା ଧାନ ବିକ୍ରି ଟଙ୍କା ମିଳୁ ନଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବିଷୟରେ ଟିକିରି ଲ୍ୟାମ୍ପସର ଏମଡି ଏସକେ ଷଡଙ୍ଗୀଙ୍କୁ ପଚାରିବାରୁ ମିଲରମାନେ ନିୟମିତ ମଣ୍ଡିରୁ ଧାନ ଉଠାଉ ନଥିବାରୁ ଚାଷୀ ପାଉଣା ପାଇବାରେ ବିଳମ୍ବ ହେଉଥିବା କହିଛନ୍ତି।
ଚଳିତ ଖରିଫରେ ଟିକିରି ଲ୍ୟାମ୍ପସକୁ ୭ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ୍ ଦିଆଯାଇଛି। ଲ୍ୟାମ୍ପସ ବର୍ତ୍ତମାନ ସୁଦ୍ଧା ୧୪୪ଜଣ ଚାଷୀଙ୍କ ଠାରୁ ୫୧୮୬ କୁଇଣ୍ଟାଲ ଧାନ କିଣିଛି। ତନ୍ମଧ୍ୟରୁ ୨୯୦୦ କୁଇଣ୍ଟାଲ ମିଲର ଉଠାଇଥିବା ବେଳେ ଅବଶିଷ୍ଟ ୨୨୮୬ କୁଇଣ୍ଟାଲ ଗୋଦାମରେ ପଡ଼ି ରହିଛି। ଗୋଦାମରେ ତିନି ହଜାର କୁଇଣ୍ଟାଲ ପର୍ଯ୍ୟନ୍ତ ରହିବାର କାପାସିଟି ରହିଛି। ଆସନ୍ତା କାଲି ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ବୁଧବାର ମଣ୍ଡିରେ ଆଠ ଶହ କୁଇଣ୍ଟାଲରୁ ଅଧିକ ଧାନ କିଣିବା ସମ୍ଭବ ପର ନୁହଁ ବୋଲି ଏସକେ ଷଡଙ୍ଗୀ କହିଛନ୍ତି । ସେହିପରି ଚାଷୀଙ୍କୁ ଅନଲାଇନ ଜରିଆରେ ଧାନ ବିକ୍ରି ପାଉଣା ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଚାଷୀଙ୍କୁ ପାଉଣା ଦେବାରେ ଲ୍ୟାମ୍ପସର କୌଣସି ଭୂମିକା ନଥିବାର କହିଛନ୍ତି।