୨୦୨୪ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର

ଚଣ୍ଡିଗଡ, ୨୨।୫ ଗତ କିଛି ଦିନ ତଳେ କଂଗ୍ରେସ ଉଦୟପୁରରେ ଚିନ୍ତନ ଶିବିର ଆୟୋଜିତ କରିଥିଲା। ଏଥିରେ ପାର୍ଟିର ବରିଷ୍ଠ ନେତା ସାମିଲ ହୋଇଥିଲେ। ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।ଏହି ଚିନ୍ତନ ଶିବିରର ଶେଷ ଦିନରେ ରାହୁଲ ଗାନ୍ଧୀ ଆଞ୍ଚଳିକ ଦଳକୁ ନେଇ କହିଥିଲେ ଯେ ବିଜେପିକୁ ହରାଇବା ଆଞ୍ଚଳିକ ଦଳ ପକ୍ଷେ ସମ୍ଭବ ନୁହେଁ। ଅନ୍ୟ ପକ୍ଷରେ ଏବେ ତେଲଙ୍ଗନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କଂଗ୍ରେସକୁ ଛାଡି ଆଞ୍ଚଳିକ ଦଳ ସହ ସାମିଲ ହୋଇ ଅଲଗା ସାମୁଖ୍ୟ ପ୍ରସ୍ତୁତିରେ ଲାଗି ପଡିଛନ୍ତି।
କେସିଆର ଶନିବାର ଦିଲ୍ଲୀରେ ପହଞ୍ଚିଥିଲେ। ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିବା ସହ ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ଏବେ ପଞ୍ଜାବ ଯାଇ ସେ କୃଷକଙ୍କ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ଭେଟିବେ । ମୃତ କୃଷକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଦେବେ ବୋଲି ଅଧିକାରୀମାନେ କହିଛନ୍ତି । ତାଙ୍କ ସହ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ପଞ୍ଜାବର ସିଏମ ଭଗବନ୍ତ ମାନ ଯୋଗଦେବେ।
ଅନ୍ୟପକ୍ଷରେ କେସିଆର ଦୋ ମୁହାଁ ମନୋଭାବ ପୋଷଣ କରୁଛନ୍ତି ବୋଲି ତେଲେଙ୍ଗାନା କଂଗ୍ରେସ ଅଭିଯୋଗ କରିଛି। ଏହାକୁ ନେଇ କଂଗ୍ରେସ ମୁଖପାତ୍ର ଦାସୋଜୁ ଶ୍ରବଣ କହିଛନ୍ତି ଯେ ତେଲେଙ୍ଗନାରେ ଆତ୍ମହତ୍ୟା କରିଥିବା ୮ ହଜାର ଚାଷୀଙ୍କ ଉପରେ ମୁଖ୍ୟମନ୍ତ୍ରୀ କେସିଆର ଦୃଷ୍ଟି ପକାଇବାକୁ ଭୁଲି ଯାଇଛନ୍ତି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ କେସିଆର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି।