ରାଜନଗର,୧୫/୦୨: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଦଳିତ ବର୍ଗର ଜଣେ ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇବା ପରେ ବିବାଦ ଜାରି ରହିଛି । ଗାଁ ଲୋକେ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ୁନଥିବା ବେଳେ ଶୁଖିଲା ଖାଦ୍ୟ ମଧ୍ୟ ନେଉନାହାନ୍ତି । ଫଳରେ ଅଢ଼େଇ ମାସରୁ ଅଧିକ ହେବ କେନ୍ଦ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା l ତେବେ ଅଙ୍ଗନାବାଡ଼ କେନ୍ଦ୍ରକୁ ସୋମବାରଠୁ ପିଲାମାନଙ୍କୁ ଛାଡ଼ିବୁ। ସେମାନେ ପାଠ ପଢ଼ିବେ ଓ ଖାଦ୍ୟ ଗ୍ରହଣ କରିବେ। ଶିଶୁଙ୍କୁ ସେମାନଙ୍କ ଅଧିକାରରୁ କେହି ବଞ୍ଚିତ କରିବେ ନାହିଁ। ପ୍ରଶାସନିକ ଅଧିକାରୀ ମହିଳା କମିସନ ସଦସ୍ୟ, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ଓ ଲୋକ ପ୍ରତିନିଧିଙ୍କନିକଟରେ ଏଭଳି ଶପଥ ନେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଘଡ଼ିଆମାଳ ଗ୍ରାମବାସୀ।
ଶନିବାର ସମସ୍ୟାର ସମାଧାନପାଇଁ ସଂପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜ୍ୟ ମହିଳା କମିସନ ସଦସ୍ୟା ଡ. କଳ୍ପନା ମଲ୍ଲିକ, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ, ଉପଜିଲ୍ଲାପାଳ ଅରୁଣ ନାୟକ, ଏଡିଏମ୍ଓ ନବକିଶୋର ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଘଡ଼ିଆମାଳ ସରପଞ୍ଚ ଶୈଳେନ୍ଦ୍ର ମିଶ୍ର ପହଞ୍ଚି ଲୋକମାନଙ୍କୁ ବିଦ୍ୟାଳୟ ପରିସରକୁ ଆଲୋଚନା ପାଇଁ ଡାକିଥିଲେ । ଗ୍ରାମବାସୀ ତଥା ଅଭିଭାବକମାନେ ପହଞ୍ଚିଲା ପରେ କାହିଁକି ସେମାନେ ନିଜର ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଉନାହାନ୍ତି ବୋଲି ପଚାରିଥିଲେ । ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ର ନଥିବା, ବିଶେଷତଃ ବ୍ରାହ୍ମଣୀ ନଦୀକୂଳରେ ସେମାନେ ବସବାସ କରୁଥିବାରୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିବା କହିଥିଲେ । ସେହିଭଳି ଗାଁକୁ ଭଲ ରାସ୍ତାଘାଟ ନଥିବା ଏବଂ ବାର୍ଦ୍ଧକ୍ୟ, ବିଧବା ଭତ୍ତା ଆଦି ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ସେମାନେ ଆସନ୍ତା ସୋମବାରଠାରୁ ନିୟମିତ ଭାବରେ ପିଲାମାନଙ୍କୁ ଛାଡ଼ିବା ସହ ଶୁଖିଲା ଖାଦ୍ୟ ନେବା ପାଇଁ ପ୍ରତିଜ୍ଞା କରିଥିଲେ । ଏହି ଆଲୋଚନା ପରେ ଦୀର୍ଘ ଅଢ଼େଇ ମାସ ଧରି ଚାଲିଥିବା ସମସ୍ୟାର ପୂର୍ଣ୍ଣଛେଦ ପଡିଛି ବୋଲି ଗ୍ରାମର ଗୋବର୍ଦ୍ଧନ ପ୍ରଧାନ କହିଛନ୍ତି ।
ରାଜ୍ୟ ମହିଳା କମିସନ ସଦସ୍ୟା ଡ. କଳ୍ପନା ମଲ୍ଲିକ କହିଛନ୍ତି ଯେ, ଗାଁ ଲୋକଙ୍କ ସହ ଆଲୋଚନା ସମୟରେ କୌଣସି ଜାତିଗତ କଥା ସେମାନେ ଉଠାଇନଥିଲେ । ଅପରପକ୍ଷରେ ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଉତ୍ଥାପନ କରିଥିଲେ । ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ କହିଛନ୍ତି ଶିଶୁମାନଙ୍କର ଅଧିକାରରୁ ସେମାନଙ୍କୁ କେହି ବଞ୍ଚିତ କରି ପାରିବେ ନାହିଁ । ସେ ନେଇ ଲୋକମାନଙ୍କୁ ବୁଝାଇବା ପରେ ସେମାନେ ସେମାନଙ୍କ ପିଲାମାନଙ୍କୁ ଛାଡ଼ିବା ପାଇଁ ସହମତ ହୋଇଛନ୍ତି । ଏହି ଅବସରରେ ଅଙ୍ଗନବାଡ଼ି ସହାୟିକା ଶର୍ମିଷ୍ଠା ସେଠୀଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ରୋଷେଇକୁ ସମସ୍ତେ ଖାଇଥିଲେ ।
ଆଲୋଚନାରେ ଡିଡବ୍ଲୁଓ ଅରବିନ୍ଦ ରାୟ, ଡିଏସ୍ ବ୍ଲୁଓ ସୁଷମା ମହାନ୍ତି, ତହସିଲଦାର ଯୀଶୁକ୍ରିଷ୍ଣ ଦାସ, ଆଇଆଇସି ନରେଶ ସାହୁ, ସିଡିପିଓ ଦିପାଳୀ ମିଶ୍ର, ସାମାଜିକ କର୍ମୀ କିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଗାଁର ମଧ୍ୟ ଭାଗରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ପାଲା ପରିବେଷଣ କରାଯାଇଥିଲା ।
ଆହୁରି ପଢ଼ନ୍ତୁ :- କେନ୍ଦ୍ରାପଡ଼ା ଅଙ୍ଗନବାଡ଼ିରେ ଦଳିତ ସହାୟିକାଙ୍କ ରନ୍ଧାଖାଦ୍ୟ ନ ଖାଇବା ଘଟଣା: ରାଜ୍ୟସଭାରେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲେ ଖଡ଼ଗେ