ନୂଆଦିଲ୍ଲୀ,୧୩/୦୨: କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ର ଠାରେ ଜଣେ ଦଳିତ ସହାୟିକାଙ୍କ ସହ ହୋଇଥିବା ଜାତିଗତ ଭେଦଭାବ ଘଟଣା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡଗେ୍ ଦାବି କରିଛନ୍ତି । ସେ ଏହି ମାମଲାକୁ ଗୃହରେ ଶୂନ୍ୟକାଳରେ ଉଠାଇ କହିଛନ୍ତି ଯେ, ଯଦି ଏଥିରେ କାହାଦ୍ୱାରା ଗମ୍ଭୀର ଉଲ୍ଲଂଘନ ହୋଇଥିବା ଜଣାପଡ଼େ ତାହାହେଲେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଦରକାର ।

ସେ କହିଥିଲେ, ୨୧ତମ ଶତାଦ୍ଦୀରେ ଆମେ ବହୁ ସାମାଜିକ ବିକାଶ ଏବଂ ସାମାଜିକ ସଂସ୍କାର କଥା କହୁଛୁ କିନ୍ତୁ ଓଡିଶାରେ ଏକ ଦଳିତ ସହାୟିକାଙ୍କ ଦ୍ୱାରା ରନ୍ଧା ଖାଦ୍ୟକୁ ଏକ ବିଶେଷ ସମୁଦାୟର ଲୋକମାନେ ସେମାନଙ୍କ ପିଲାଙ୍କୁ ଖାଇବାକୁ ନଦେବା ପାଇଁ କହିଛନ୍ତି । ଗତ ତିନିମାସ ଧରି ସେହି ଅଙ୍ଗନବାଡିକୁ ମଧ୍ୟ ବହିଷ୍କାର କରାଯାଉଛି । ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କ ମାନସିକ ବିକାଶ ଆରମ୍ଭ ହୋଇଥାଏ କିନ୍ତୁ ଏଭଳି ଜାତିଗତ ଭେଦଭାବର ପ୍ରଭାବ ସେମାନଙ୍କ ଉପରେ ପଡିବ ବୋଲି ବିରୋଧୀ ଦଳ ନେତା ଦର୍ଶାଇଥିଲେ ।

​​​​​​​ଆହୁରି ପଢ଼ନ୍ତୁ :- ଖାଦ୍ୟ ସୁରକ୍ଷାକୁ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ, ପ୍ରତି ଜିଲ୍ଲାରେ ସ୍ଥାପନ ହେବ ଅତ୍ୟାଧୁନିକ ଖାଦ୍ୟ ପରୀକ୍ଷାଗାର

ଖଡଗେ୍ କହିଥିଲେ ଯେ, ଏହି ଘଟଣା ଦ୍ୱାରା ସମ୍ବିଧାନର ଧାରା ୨୧(କ) ର ଉଲ୍ଲଂଘନ ହୋଇଛି । ଏହାସହ ସମ୍ବିଧାନର ଧାରା ୪୭ରେ ଯେଉଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ତାହାର ମଧ୍ୟ ବ୍ୟତିକ୍ରମ ଘଟିଛି । ଏହି ଧାରା ଅନୁଯାୟୀ ପିଲାମାନଙ୍କ ପୋଷଣ ସ୍ତରକୁ ବଢାଇବା ଲାଗି ରାଜ୍ୟକୁ ଦାୟିତ୍ୱ ଦିଆଯାଇଛି । ଏହା ସହ ଖଡ୍ଗେ ନିକଟରେ ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଚଣ୍ଡିଗଡଠାରେ ଏଭଳି ଘଟଣା ଘଟିଥିବା ଉଲ୍ଲେଖ କରିଥିଲେ । କୌଣସି କର୍ମଚାରୀଙ୍କ ସହ ଜାତିଗତ ଭେଦଭାବ କେବଳ ସମ୍ବିଧାନର ଉଲ୍ଲଂଘନ ନୁହେଁ, ତାହା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ବୋଲି ସେ କହିଛନ୍ତି ।