କେନ୍ଦ୍ରାପଡ଼ାର ଶିଳ୍ପୀ ବିଭୂତିଙ୍କ କମାଲ, ଗୁଆରେ ଗଢ଼ିଲେ ବିଶ୍ୱର କ୍ଷୁଦ୍ରତମ ବ୍ରହ୍ମତାଳଧ୍ୱଜ !

କେନ୍ଦ୍ରାପଡ଼ା,୬/୭ : କେନ୍ଦ୍ରାପଡ଼ା ସହର ବଣିଆମାଳର ଶିଳ୍ପୀ ବିଭୂତି ଭୂଷଣ ମହାନ୍ତି ବିଶ୍ୱର କ୍ଷୁଦ୍ରତମ ବ୍ରହ୍ମତାଳଧ୍ୱଜ ନିର୍ମାଣ କରିଥିବା ଦାବି କରିଛନ୍ତି । ତାହା ପୁଣି କେବଳ ଗୋଟିଏ ଗୁଆରେ ନିର୍ମାଣ କରାଯାଇଛି । ଏଥିପାଇଁ ବିଭୂତିଙ୍କୁ ୨ଦିନ ସମୟ ଲାଗିଥିଲା । ଏହି ରଥରେ ଗୁଆ ସହିତ ରକ୍ତଚନ୍ଦନ କାଠ, ପାଇନ କାଠ ଓ କାଠର ଟୁଥ୍ପିକ୍ ବ୍ୟବହୃତ ହୋଇଛି । ପ୍ରଭୁ ଶ୍ରୀବଳଦେବଜିଉଙ୍କ ବ୍ରହ୍ମତାଳଧ୍ୱଜର ଏହା ଅବିକଳ ରଥ ପରି ମନେ ହେଉଛି ।
କେନ୍ଦ୍ରାପଡ଼ା ସହର ବଣିଆମାଳର ଶିଳ୍ପୀ ବିଭୂତି ଗୋଟାଗୁଆକୁ ଖୋଦେଇ କରି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ବ୍ରହ୍ମ ତାଳଧ୍ୱଜ ରଥର ଅବିକଳ ପ୍ରତିକୃତି କରିଛନ୍ତି । ରଥ ତିଆରିରେ ରକ୍ତଚନ୍ଦନ କାଠ, ପାଇନ କାଠ ଓ କାଠର ଟୁଥ୍ ପିକ୍ ବ୍ୟବହାର କରାଯାଇଛି । ବ୍ରହ୍ମ ତାଳଧ୍ୱଜ ପରି ଏଥିରେ ୧୪ଟି ଚକ ଥିବା ବେଳେ ଅଖ, ଦଧିନଉତି, ତିନି ରଙ୍ଗର କପଡ଼ା ରହିଛି । ଏହା ବିଶ୍ୱର କ୍ଷୁଦ୍ରତମ ବ୍ରହ୍ମତାଳଧ୍ୱଜ ରଥ ବୋଲି ସେ ଦାବି କରିଛନ୍ତି । ଶିଳ୍ପୀ ବିଭୂତି ପିଲାଟି ଦିନରୁ ଜଣେ ସୃଜନଶିଳ୍ପୀ ଭାବେ ପରିଚିତ । ବିଭିନ୍ନ ଚିତ୍ର ଆଙ୍କିବା, ସବୁଜପତ୍ର, ସାବୁନ, ମହମବତି, ଚକ୍ ଖଡ଼ି ଆଦି ଖୋଦେଇ କରି ମୂର୍ତ୍ତି ତିଆରି କରିବା ଏବଂ ଭଳିକି ଭଳି ମୂର୍ତ୍ତି ତିଆରି କରିବା କାର୍ଯ୍ୟ ସେ ବର୍ଷ ସାରା ଚଳାଇ ଥାଆନ୍ତି । ଏହା ପୂର୍ବରୁ ଗୁଆ ଖୋଦେଇ କରି ସେ ନାନା ପ୍ରକାର ମୂର୍ତ୍ତି କରିଛନ୍ତି ।
କେନ୍ଦ୍ରାପଡ଼ା ସହରର ନୂଆ ବସ୍ଷ୍ଟାଣ୍ଡଠାରେ ସେ ଏକ ଆୟୁର୍ବେଦିକ ଔଷଧ ଦୋକାନ କରି ପରିବାର ପୋଷୁଛନ୍ତି । ବ୍ୟବସାୟ ସହ ସେ ଏଠାରେ ଏସବୁ କାମ ଜାରି ରଖିଆଆନ୍ତି । ଗୁଆରେ ନିର୍ମିତ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କରିବା ଦେଖି ବିଭୂତିଙ୍କ ବାପା ମହେଶ୍ୱର ଓ ମା’ ଶଶିରେଖା ବେଶ୍ ଖୁସି । କୌଣସି ରେକର୍ଡ ନିଶାରେ ନୁହେଁ, ବରଂ କଳା ପ୍ରତି ନିଜର ଆଗ୍ରହ ପାଇଁ ଏ ସବୁ ସେ କରିଥାଆନ୍ତି ବୋଲି ବିଭୂତି କହିଛନ୍ତି ।