ଟଙ୍କା ପୂରାଇଲେ ବାହାରୁଛି ପେଟ୍ରୋଲ, ଏହା କିଭଳି ସମ୍ଭବ ଜାଣନ୍ତୁ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳର କାହ୍ନୂଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ର। ମାଟ୍ରିକ ପାସ୍ କରିବା ପରେ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଜିତେନ୍ଦ୍ର ଜଣେ ଆଦିବାସୀ ସମ୍ପ୍ରଦାୟ। ତାର ଅଧିକାଂଶ ସମୟ ବଣ ଜଙ୍ଗଲରେ ହିଁ କଟିଥାଏ। ବଣ ଜଙ୍ଗଲ ଭିତରେ ରହିଲେ ବି ଅନ୍ୟମାନଙ୍କ ପରି ସେ ବି ନିଜେ ଗାଡ଼ିରେ ପେଟ୍ରୋଲ ପକାଇ ବୁଲିବାକୁ ଚାହେଁ। ମାତ୍ର ଆର୍ଥିକ ଅଭାବ ଯୋଗୁଁ ସେ ମଧ୍ୟ ଗାଡ଼ିରେ ପେଟ୍ରୋଲ ପକାଇପାରୁନଥିଲା। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ପେଟ୍ରୋଲ ପକାଇବା ପାଇଁ ଦୀର୍ଘ ୧୫ କିମି ଦୂର ଡୁବୁରି ଯିବାକୁ ପଡ଼ୁଥିଲା।
ଏହି ସମସ୍ୟାର ସମାଧାନ ପାଇଁ ଜିତେନ୍ଦ୍ର ଉଦ୍ୟମ ଆରମ୍ଭ କଲେ। କିଛି ପୁରୁଣା ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ସଂଗ୍ରହ କରି ଏହି ସ୍ବୟଂଚାଳିତ ମିନି ପେଟ୍ରୋଲ ପମ୍ପର ମଡେଲ ତିଆରି କରିଛନ୍ତି। ଏଥିରେ ୧୦୦ ଏବଂ ୫୦ ଟଙ୍କିଆ ନୋଟ୍ ପୂରାଇଲେ ବାହାରି ପାରୁଛି ପେଟ୍ରୋଲ। ସ୍ବୟଂଚାଳିତ ମିନି ପେଟ୍ରୋଲ ପମ୍ପ ମଡେଲ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।ଏ ସଂପର୍କରେ ଜିତେନ୍ଦ୍ର କୁହନ୍ତି, ମୋତେ ପ୍ରାରମ୍ଭିକ ପର୍ୟ୍ୟାୟରେ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ବିଫଳତାରୁ ହିଁ ସଫଳତା ରାସ୍ତା ମିଳିଲା। ଆଜି ଯାହା ଦେଖୁଛନ୍ତି ତାହା ଦୀର୍ଘ ୬ ମାସର ପରିଶ୍ରମର ଫଳ ବୋଲି ଜିତେନ୍ଦ୍ର କହିଛନ୍ତି।