ମାଲକାନଗିରି,୨୦/୨ : ୧୭ ଦଫା ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ମାଲକାନଗିରି କେନ୍ଦୁପତ୍ର ରେଞ୍ଜ ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ୨ଦିନିଆ ଧାରଣାରେ ବସିଛନ୍ତି । ରେଞ୍ଜରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଓଡ଼ିଶା କେନ୍ଦୁପତ୍ର ସଭାପତି ବିଜୟ କୁମାର ମହାନ୍ତି ଏବଂ ଜୟପୁର ରେଞ୍ଜ ଡିଭିଜନ ସମ୍ପାଦକ ରାମା ମାଢିଙ୍କ ନେତୃତ୍ୱରେ ୧୭ଦଫା ଦାବି ନେଇ ଆଜି ମାଲକାନଗିରି ଜିଲ୍ଲାର କେନ୍ଦୁପତ୍ର ସଂଘ ମାଲକାନଗିରି ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଦୁଇ ଦିନ ଧାରଣାରେ ବସିଛନ୍ତି । ଆଜି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଗଣ ଧାରଣା ପ୍ରତ୍ୟେକ କେନ୍ଦୁପତ୍ର ବନାଞ୍ଚଳରେ ଚାଲିଥିବାବେଳେ ମାଲକାନଗିରି ଜିଲ୍ଲାରେ ଥିବା ୬ଗୋଟି କେନ୍ଦୁପତ୍ର ବନାଞ୍ଚଳରେ ମଧ୍ୟ କେନ୍ଦୁପତ୍ର କର୍ମଚାରୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହି ଧାରଣା ଦୁଇ ଦିନ ବ୍ୟାପି ଚାଲିବ ବୋଲି ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
ଆଜିର ବିଭିନ୍ନ ଦାବି ନେଇ ଧାରଣାରେ ବସିଥିବା ମାଲକାନଗିରି ଜିଲ୍ଲାର ୬ଗୋଟି କେନ୍ଦୁପତ୍ର ବନାଞ୍ଚଳ ଗୁଡ଼ିକ ମଧ୍ୟରେ ମାଲକାନଗିରି, କାଲିମେଳା, ଏମଭି-୭୯, କତାମେଟା, ମାଥିଲି, ବାଲିମେଳା କେନ୍ଦୁପତ୍ର କର୍ମଚାରୀ ସଂଘର ଦାବି ହେଲା, କେନ୍ଦୁପତ୍ର କେରି ଦର ବୃଦ୍ଧି, ଋତୁକାଳୀନ କର୍ମଚାରୀଙ୍କ ମାସିକ ମଜୁରୀ ବୃଦ୍ଧି, ବୋନସ ପରିମାଣ ବୃଦ୍ଧି, ବନ୍ଧେଇ କର୍ମଚାରୀମାନଙ୍କ କେନ୍ଦୁପତ୍ର ବିଡ଼ା ପ୍ରତି ଦର ବୃଦ୍ଧି, ପଡି ଉଛେଦ, ୬ଗୋଟି ଡାଇଭିଜନରେ ଘରୋଇକରଣ ବନ୍ଦ, କଲ୍ଯାଣ ଟ୍ରଷ୍ଟ ବୋର୍ଡ଼ର ବୈଠକ ଆହ୍ୱାନ, ମୃତ୍ୟୁକାଳୀନ ସହାୟତା ରାଶି ୨ଲକ୍ଷରୁ ୪ଲକ୍ଷକୁ୍ ବୃଦ୍ଧି, ଋତୁ କାଳୀନ କର୍ମଚାରୀଙ୍କ ରୋଗରେ ପୀଡ଼ିତ ଛୁଟି, ଜୟପୁର, ନବରଙ୍ଗପୁର ଓ ଖଡ଼ିଆଲ ଡିଭିଜନର ଫାଲ ଏରିଆକୁ ପ୍ରୋସେସିଙ୍ଗ ଏରିଆରେ ପରିଣତ, ବିଭିନ୍ନ ଡିଭିଜନର ଖାଲି ପଡ଼ିଥିବା ଋତୁକାଳୀନ କର୍ମଚାରୀଙ୍କ ପଦବୀ ପ୍ରମୋଶନ ମାଧ୍ୟମରେ ପୂରଣ କରାଯାଉ, କେନ୍ଦୁପତ୍ର ବଜେଟରେ ଶ୍ରମିକମାନଙ୍କ ସାମାଜିକ ନିରାପତ୍ତା ସହାୟତା ପାଇଁ ୨୦୦କୋଟି ଟଙ୍କାର ବ୍ୟବସ୍ଥା କରାଯାଉ ଆଦି ଦାବିରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ଗୁଡିକ ବିଭିନ୍ନ ରେଞ୍ଜରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।