ଭୁବନେଶ୍ୱର,୩୧/୧୨; ବନ୍ଧା ହେଲେ ସର୍ବଗିଳା ପିଇଓ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବଞ୍ଚୋ ପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ମଙ୍ଗଳବାର ଜିତେନ୍ଦ୍ରଙ୍କ ୭ଟି ଠିକଣା ଚଢ଼ାଉ କରିଥିଲେ ଭିଜିଲାନ୍ସ ଟିମ୍ । ତାଙ୍କ ନାଁରେ ୬ଟି ପ୍ଲଟ୍ ,୨ଟି କୋଠା, ଗୋଟିଏ କାର୍ ରହିଛି । ୩୪ଲକ୍ଷ ଟଙ୍କା ବ୍ୟାଙ୍କ ବାଲାନ୍ସ ଠାବ କରିଥିଲା ଭିଜିଲାନ୍ସ ଟିମ୍ ।

ଗତକାଲି ବଞ୍ଚୋରେ ଥିବା ପଞ୍ଚାୟତ ଅଫିସ୍‌, ବସନ୍ତିଆ ବଜାରରେ ଥିବା ମାର୍କେଟ୍‌ କମ୍ପେ୍ଲକ୍ସ୍‌, ପୈତୃକ ଘର ପଢ଼ିଆରିପଲ୍ଳି ସହ ମୋଟ୍‌ ୬ଟି ଜାଗାରେ ଚଢ଼ଉ ହୋଇଥିଲା । ୩ କୋଟିରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । କିଛି ମାସ ହେବ ଜିତେନ୍ଦ୍ରଙ୍କ ବିରୋଧରେ ଶହ ଶହ ପିଟିସନ୍‌ ଭିଜିଲାନ୍ସ ଅଫିସ୍‌କୁ ଆସୁଥିଲା । ସବୁ ପିଟିସନ୍‌ରେ ଉଲ୍ଲେଖ ରହୁଥିଲା, ଜିତେନ୍ଦ୍ର କୋଟି କୋଟି ଟଙ୍କାର ସମ୍ପତ୍ତି ବେଆଇନ୍‌ ଭାବେ ଠୁଳ କରିଛନ୍ତି । ଉକ୍ତ ପିଟିସନ୍‌ର ସତ୍ୟତା ନେଇ ଭିଜିଲାନ୍ସ ଆରମ୍ଭ କରିଥିଲା ତନାଘନା । ଏହାପରେ ବାବୁ ଜିତେନ୍ଦ୍ରଙ୍କ କଳା ସମ୍ପତ୍ତିର ତାଲିକା ଖୋଲିଥିଲା । କୋର୍ଟରୁ ଅନୁମତି ପରେ ଭିଜିଲାନ୍ସ  ଜିତେନ୍ଦ୍ରଙ୍କ ଘରେ ଚଢ଼ଉ କରିଥିଲା ।

ଜିତେନ୍ଦ୍ରଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି କେନ୍ଦୁଝର ହାଟଡିହି ବିରଞ୍ଚିପୁରରେ ୩୩୦୦ ବର୍ଗଫୁଟର ୩ ମହଲା ଘର । ଜଗନ୍ନାଥପୁର ବସନ୍ତିଆ ବଜାରରେ ଦୁଇ ମହଲା ମାର୍କେଟ୍‌ କମ୍ପେ୍ଲକ୍ସ୍‌ ଯାହା ୫ ହଜାର ବର୍ଗଫୁଟ୍‌ରେ ଠିଆ ହୋଇଛି । ଏହାର ସରକାରୀ ମୂଲ୍ୟ ୧.୩୪ କୋଟି ହେବ । ଉକ୍ତ ବଜାରେ ୨ଟି ଗୋଦାମ ଘର ରହିଛି । ବିଦ୍ୟାଧରପୁରରେ ସରସ୍ୱତୀ ସେଲ୍‌ ନାମକ ଏକ ଇଲେକ୍ଟ୍ରି ଦୋକାନ ରହିଛି । ଚଣ୍ଡିଆ, ବିରଞ୍ଚିପୁର ଓ ହାଟଡିହି, ଜଗନ୍ନାଥରପୁର ମଉଜା, ବସନ୍ତିଆ ବଜାରରେ ୬ଟି ପ୍ଲଟ୍‌ ଠାବ ହୋଇଛି । ଏହାଛଡା ୧୦୦ ଗ୍ରାମ୍‌ ସୁନା, ୩୪ ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ୍‌ ଜମା । ୧ଟି କାର୍‌, ୨ଟି ବାଇକ୍‌ ସହ ତାଙ୍କ ଘରୁ ୪ ଲକ୍ଷ ଟଙ୍କାର ଦାମୀ ଗୃହ ଉପକରଣ ଠାବ ହୋଇଛି ।

ସେ ରହୁଥିବା ବିରଞ୍ଚିପୁର ମରେଇଗାଁରେ ୩ ମହଲା ଘରେ ଭିଜିଲାନ୍ସ ଚଢ଼ଉ କରି କିଛି କାଗଜପତ୍ର ଜବତ କରିଛି । ୧୯୯୫ ମସିହାରେ ଜିତେନ୍ଦ୍ର ଚାକିରି ଆରମ୍ଭ କରିଥିଲେ । ସେତେବେଳେ ତାଙ୍କର ଦରମା ଥିଲା ୨୨ ଶହ ଟଙ୍କା । ୨୦୦୯ରେ ପିଇଓ ଭାବେ ପଦୋନ୍ନତି ହୋଇଥିଲା । ୨୦୨୪ରେ ବଞ୍ଚୋ ପଞ୍ଚାୟତ ପିଇଓ ଭାବେ ତାଙ୍କର ବଦଳି ହୋଇଥିଲା ।