ଥିରୁଅନନ୍ତପୁରମ୍, ୯।୧: କେରଳର କନ୍ନୁର ଜିଲ୍ଲାରେ ୨୦୦୮ରେ ଘଟିଥିଲା ଏକ ଚାଞ୍ଚଲ୍ୟକର ରାଜନୈତିକ ହତ୍ୟା । ଗୁରୁବାର ଥଲାସେରି ଅତିରିକ୍ତ ସେସନ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସ୍ଥାନୀୟ ସିପିଏମ୍ ନେତା କେ. ଲତିଶଙ୍କ ହତ୍ୟା ପାଇଁ କୋର୍ଟ ୭ ଜଣ ବିଜେପି ଏବଂ ଆରଏସଏସ୍ କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସମସ୍ତ ଦୋଷୀଙ୍କୁ ଏକକାଳୀନ ୩୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ପ୍ରତ୍ୟେକଙ୍କୁ ୧.୪ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦିଆଯାଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ମୃତକଙ୍କ ମା’ ରୋହିଣୀଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆକ୍ରମଣରେ ଆହତ ସୁରେଶଙ୍କୁ ୭୫, ୦୦୦ ଜରିମାନା ରାଶି ପ୍ରଦାନ କରାଯିବ ।
ଥଲାସେରି ଅତିରିକ୍ତ ସେସନ୍ କୋର୍ଟ ବିଚାରପତି ଜେ. ବିମଲ ଏହି ରାୟ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଥଲାୟି ବାସିନ୍ଦା ୩୮ ବର୍ଷୀୟ ପି. ସୁମିଥ୍, ୪୬ ବର୍ଷୀୟ କୋମଲ ଭାୟାଲର କେ.କେ. ପ୍ରଗୀଶ ବାବୁ, ୩୭ ବର୍ଷୀୟ ଥଲାୟିର ବି. ନିଧିନ ଏବଂ ପୁଲିକୁଲ ହାଉସର ୩୭ ବର୍ଷୀୟ କେ. ସାନାଲ, ପରେମଲ ହାଉସର ୪୨ ବର୍ଷୀୟ ସ୍ମିଜନ, କୁନିଆଲ ହାଉସର ୩୭ ବର୍ଷୀୟ ସଜୀଶ ଏବଂ ପାଜାୟାମଥମ୍ ହାଉସର ୩୯ ବର୍ଷୀୟ ଭି. ଜୟେଶ ସମସ୍ତେ ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସ୍ ସହିତ ଜଡ଼ିତ ବୋଲି କୁହାଯାଉଛି । ପ୍ରମାଣ ଅଭାବରୁ କୋର୍ଟ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ନିର୍ଦ୍ଦୋଷରେ ଖଲାସ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କେ. ସନ୍ତୋଷକୁମାର, ବି. ଶରଥ, ଇ.କେ. ସନୀଶ ଏବଂ ବିଜେପି ନେତା ଏବଂ ପୂର୍ବତନ ପୌର ପରିଷଦର ଅଜେଶ ସାମିଲ । ଅନ୍ୟପଟେ ଆଉ ଜଣେ ଅଭିଯୁକ୍ତ କେ. ଅଜିତଙ୍କ ବିଚାର ସମୟରେ ମୃତ୍ୟୁ ହୋଇଥିଲା ।
କେ. ଲତିଶ କିଏ ?
କେ. ଲତିଶ ସିପିଏ ତିରୁଭଙ୍ଗଡ଼ ସ୍ଥାନୀୟ କମିଟିର ସଦସ୍ୟ ଏବଂ ସିଆଇଟିୟୁ ସହିତ ଜଡ଼ିତ ମତ୍ସ୍ୟଜୀବୀ ଶ୍ରମିକ ସଂଘର ଆଞ୍ଚଳିକ ଯୁଗ୍ମ ସମ୍ପାଦକ ଥିଲେ । ଡିସେମ୍ବର ୩୧, ୨୦୦୮ରେ ଚାକିଥାମୁକ୍କୁ ବେଳାଭୂମିରେ ତାଙ୍କୁ ଆକ୍ରମଣ ହୋଇଥିଲା । ଖଣ୍ଡା, କୁରାଢ଼ି ଏବଂ ମାରଣାସ୍ତ୍ର ଧରି ଏକ ଗୋଷ୍ଠୀ ତାଙ୍କୁ ଘେରି ନେଇଥିଲେ । ଆକ୍ରମଣକାରୀମାନଙ୍କୁ ଦେଖି ଲତିଶ ଖସି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଜଣେ ଦୁର୍ବୃତ୍ତ ତାଙ୍କ ବେକରେ କୁରାଢ଼ିରେ ଆଘାତ କରିଥିଲେ । ଲତିଶଙ୍କ ଶରୀରରେ ୨୫ଟି ଗମ୍ଭୀର ଆଘାତ ଲାଗିଥିଲା ଏବଂ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।