ନୂଆଦିଲ୍ଲୀ,୨୧/୦୭: କଥାରେ ଅଛି, ବିଧିର ବିଧାନ କେ କରିବ ଆନ । ସପ୍ତାହେ ତଳେ ନିର୍ବନ୍ଧ ହୋଇଥିଲା । ୨ ମାସ ପରେ ପୁଅର ବାହାଘର ହୋଇଥାନ୍ତା । ବର ବେଶରେ ପଗଡ଼ି ପିନ୍ଧିଥାନ୍ତେ । ଆଜି ସେ ଆଖି ବୁଜିଛନ୍ତି । ୟୁକ୍ରେନର ଓଡେସା ଉପକୂଳରେ ମାଲବାହୀ ଜାହାଜ ଏମଭି ଗୋଲଡେନ୍ ଲିଓ ଉପରେ ରୁଷ ଆକ୍ରମଣରେ ପ୍ରାଣ ହରାଇଥିବା ୪ ଭାରତୀୟଙ୍କ ମଧ୍ୟରେ କେରଳର ନାବିକ ଅଖିଲ ଜୋୟାନ୍ ଅଛନ୍ତି । କାସାରାଗୋଡ ଜିଲ୍ଲାର ଭେଲାରିକୁଣ୍ଡୁର ୨୬ ବର୍ଷୀୟ ଅଖିଲ ଆସନ୍ତା ଦୁଇ ମାସ ମଧ୍ୟରେ ବିବାହ କରିବାର ଥିଲା । ହେଲେ ନିଷ୍ଠୁତ ନିୟତ ଆଉ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସବୁକିଛି ଶେଷ କରିଦେଲା । ପରିବାରର ଖୁସି ଛଡାଇନେଲା ।

ଅଖିଳ ପରିବାରର ଏକମାତ୍ର ସନ୍ତାନ-  ଅଖିଲ ଗତ ଛଅ ବର୍ଷ ଧରି ଏକ ଜାହାଜରେ ନାବିକ ଭାବରେ କାମ କରୁଥିଲେ ଏବଂ ଏକ ଭଲ ଭବିଷ୍ୟତ ପାଇଁ ଖୁବ୍ ଶୀଘ୍ର ଚାକିରି ବଦଳାଇବାକୁ ଯୋଜନା କରୁଥିଲେ । ପରିବାର ସଦସ୍ୟଙ୍କ ଅନୁସାରେ, ସେ ତାଙ୍କ ପିତାମାତାଙ୍କ ଏକମାତ୍ର ସନ୍ତାନ ଥିଲେ । ତାଙ୍କ ବାପା, ଜୋୟାନ୍, ଏକ ଇଲେକ୍ଟ୍ରିକାଲ୍ ଦୋକାନରେ କାମ କରନ୍ତି, ଏବଂ ତାଙ୍କ ମା' ସାଲି, ଜଣେ ବୀମା ଏଜେଣ୍ଟ । ପରିବାରର ଭବିଷ୍ୟତ ମୁଖ୍ୟତଃ ଅଖିଳ ଉପରେ ନିର୍ଭର କରୁଥିଲା । ସେମାନେ ସମ୍ପ୍ରତି ଏକ ନୂଆ ଘର ମଧ୍ୟ ତିଆରି କରିଥିଲେ । ହେଲେ ସବୁ କିଛି ଅଧୁରା ରହିଛି । ଅଖିଲଙ୍କ ପରିବାରକୁ ତାଙ୍କ ମୃତ୍ୟୁ ଖବର ସିପିଂ କମ୍ପାନୀରୁ ଏକ ଇମେଲ୍ ମାଧ୍ୟମରେ ଦିଆଯାଇଥିଲା । ଅଖିଲ ୧୯ ବର୍ଷ ବୟସରେ ମର୍ଚ୍ଚାଣ୍ଟ ନେଭିରେ ଯୋଗ ଦେଇଥିଲେ।

ଏହା ବି ପଢନ୍ତୁ...Ketan Muder Case: ସେ ବହୁତ...ନିର୍ବନ୍ଧରେ କେତନଙ୍କୁ ନେଇ ଏମିତି କହିଥିଲେ ସିୟା, ସାମ୍ନାକୁ ଆସିଲା ଭିଡ଼ିଓ   

ବାଲାଲ ଗ୍ରାମପଞ୍ଚାୟତର ଭେଲାରିକୁଣ୍ଡୁର ୱାର୍ଡ ସଦସ୍ୟ ଶୋବି ଜୋସେଫ କହିଛନ୍ତି ଯେ, ଅଖିଲ ତାଙ୍କ ନିର୍ବନ୍ଧ ପାଇଁ ପ୍ରାୟ ତିନି ମାସ ପୂର୍ବରୁ ଘରକୁ ଆସିଥିଲେ । ତାଙ୍କର ବିବାହ ଦୁଇ ମାସ ପରେ ସ୍ଥିର ହୋଇଥିଲା, ଏବଂ କନ୍ୟା ଆଲାପୁଝା ଜିଲ୍ଲାର । ନିର୍ବନ୍ଧ ପରେ, କାମକୁ ଫେରିଥିଲେ । ଅଖିଲ ଜଣେ ଶୃଙ୍ଖଳିତ ଯୁବକ ଭାବରେ ଜଣାଶୁଣା ଥିଲେ। ସେ ଜଣେ ଲୋକପ୍ରିୟ ଟଗ୍-ଅଫ୍-ୱାର୍ ଖେଳାଳି ମଧ୍ୟ ଥିଲେ ।

 

ସାହାୟତା ନିର୍ଦ୍ଦେଶ ଦେଲେ କେରଳ ସରକାର - କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ୟୁକ୍ରେନ ଉପକୂଳରେ ରୁଷିଆ ଆକ୍ରମଣରେ କେରଳର ନାବିକଙ୍କ ମୃତ୍ୟୁ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ରୁଷ ଦୂତାବାସ ଏବଂ ବୈଦେଶିକ ମନ୍ତ୍ରଣାଳୟ ସହିତ ସମନ୍ୱୟ ସ୍ଥାପନ କରିବାକୁ ଅଣ-ଆବାସିକ କେରଳବାସୀ ବ୍ୟାପାର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୟୁକ୍ରେନର ସମୁଦ୍ର ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ରବିବାର ଓଡେସା ବନ୍ଦର ଛାଡିବାର କିଛି ସମୟ ପରେ ରୁଷୀୟ ସେନା ପଶ୍ଚିମ ଆଫ୍ରିକୀୟ ଦେଶ ଗିନି-ବିସାଉର ପତାକା ଉଡ଼ାଉଥିବା ମାଲବାହୀ ଜାହାଜକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ପାଞ୍ଚ ଜଣ ସିରିଆନ ନାବିକଙ୍କ ସମେତ ୧୦ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନରୁ ମକ୍କା ଯାଉଥିବା ଜାହାଜରୁ ୮ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା ।

ଏହା ବି ପଢନ୍ତୁ...Missile Strike: ସମୁଦ୍ରରେ ମୃତ୍ୟୁର ଜାଲ; ଓଡେସାରେ ଜାହାଜକୁ ମିସାଇଲ ଓ ଡ୍ରୋନ୍ ମାଡ଼, ୪ ଭାରତୀୟ ମୃତ