ନୂଆଦିଲ୍ଲୀ,୧୭/୫ : କେରଳମରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ସପ୍ତାହ ପରେ ୟୁଡିଏଫର ସରକାର ହେବାକୁ ଯାଉଛି । ସୋମବାର ନୂତନ ସରକାର ଶପଥ ଗ୍ରହଣ କରିବେ । କଂଗ୍ରେସ ନେତା ଭିଡି ସତୀଶନ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରରେ ୨୧ ଜଣ ମନ୍ତ୍ରୀ ରହିବେ । ସତୀଶନ୍ ରବିବାର ଲୋକଭବନରେ ପହଞ୍ଚି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାଙ୍କ କ୍ୟାବିନେଟ ତାଲିକା ପ୍ରଦାନ କରିଛନ୍ତି।
ଭିଡି ସତୀଶନଙ୍କ ସରକାରରେ ରମେଶ ଚେନ୍ନିଥଲା ବି କ୍ୟାବିନେଟ ମନ୍ତ୍ରୀ ହେବେ। ଚେନ୍ନିଥଲା ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିଲେ। ମାତ୍ର ହାଇକମାଣ୍ଡ ସତୀଶନ୍ଙ୍କୁ ବାଛିଥିଲେ। ମେ ୧୪ ତାରିଖରେ କଂଗ୍ରେସ ସତୀଶନଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରିଥିଲା। କେରଳମ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୧୪୦ଟି ଆସନରୁ ୧୦୨ଟି ଆସନ ଜିତିଥିଲା। ମାତ୍ର ୧୦ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇପାରିଲା ନାହିଁ। ସତୀଶନଙ୍କ ବ୍ୟତୀତ କେ.ସି. ବେଣୁଗୋପାଳ ଏବଂ ଚେନ୍ନିଥଲା ମଧ୍ୟ ଏହି ପଦ ପାଇଁ ରେସରେ ଥିଲେ। କେରଳମ ନୂତନ ସରକାରରେ କାହାକୁ ମନ୍ତ୍ରୀ ନିଯୁକ୍ତ କରାଯିବ ସେ ବିଷୟରେ ଆଲୋଚନା ତିନି ଦିନ ଧରି ଚାଲିଥିଲା ବୋଲି ଜଣାପଡ଼ିଛି । ଶୁକ୍ରବାର କ୍ୟାବିନେଟ୍ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା ଏବଂ କଂଗ୍ରେସ ନେତା ଏବଂ ମେଣ୍ଟ ଅଂଶୀଦାରମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ବୈଠକ ପରେ, ରବିବାର ସନ୍ଧ୍ୟାରେ ତାଲିକା ଚୂଡ଼ାନ୍ତ ହୋଇଥିଲା।
ତାଲିକା ଚୂଡ଼ାନ୍ତ ହେବା ପରେ, ସତୀଶନ କହିଛନ୍ତି ଯେ, ମେଣ୍ଟ ନେତାମାନଙ୍କ ସହିତ ଆଲୋଚନା ପରେ ମନ୍ତ୍ରୀମାନଙ୍କ ତାଲିକା ଚୂଡ଼ାନ୍ତ କରାଯାଇଥିଲା ଏବଂ ଏହି ସମୟରେ, ମେଣ୍ଟ ଭିତରେ ସାମାଜିକ ଏବଂ ଆଞ୍ଚଳିକ ସନ୍ତୁଳନକୁ ଧ୍ୟାନରେ ରଖାଯାଇଥିଲା । ସତୀଶନ କହିଛନ୍ତି ଯେ, ଦଳର ବରିଷ୍ଠ ନେତା ରମେଶ ଚେନ୍ନିଥଲା, କେ. ମୁରଲୀଧରନ ଏବଂ ସନି ଯୋସେଫଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ। ନୂତନ ସରକାରରେ ଥିରୁବନଚୁର ରାଧାକୃଷ୍ଣନ ବିଧାନସଭା ବାଚସ୍ପତି ଏବଂ ଶାନିମୋଲ ଉସମାନ ଉପବାଚସ୍ପତି ହେବେ। ସତୀଶନ କହିଛନ୍ତି ଯେ, କଂଗ୍ରେସ ୬୩ଟି ଆସନ ଜିତିବା ସତ୍ତ୍ୱେ, ଅନେକ ଦକ୍ଷ ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଛି। ସେ କହିଛନ୍ତି, "ତାଲିକାରେ ଏବଂ ବାହାରେ ଅନେକ ଦକ୍ଷ ନେତା ଅଛନ୍ତି। କିନ୍ତୁ କଂଗ୍ରେସ ଭଳି ଦଳକୁ ଏପରି ନିଷ୍ପତ୍ତି ନେବା ସମୟରେ ସାମାଜିକ ସନ୍ତୁଳନ, ଆଞ୍ଚଳିକ ପ୍ରତିନିଧିତ୍ୱ ଏବଂ ଅନ୍ୟାନ୍ୟ ଅନେକ କାରଣ ଉପରେ ବିଚାର କରିବାକୁ ପଡିବ।"