କେସିଙ୍ଗା,୧୪।୬ : କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଦ୍ବାର ଭାବେ କେସିଙ୍ଗା ପରିଚିତ । ହେଲେ କେସିଙ୍ଗା ଅଞ୍ଚଳର ଉନ୍ନତି ଯେଉଁ ଭଳି ହେବା କଥା ତାହା ହେଉନଥିବା ଅଭିଯୋଗ ହେଉଛି । ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ କେସିଙ୍ଗା ରେଲୱେ ଷ୍ଟେସନ ଠାରୁ ସିଧାସଳଖ ଭାବେ ଦୈନିକ ଟ୍ରେନ ସୁବିଧା ନହେବା ,କୋଣାର୍କ ସୂତାକଳ କୁ ପୁନରୁଦ୍ଧାର, କେସିଙ୍ଗା ସହର ଉପଖଣ୍ଡ ଦେଇ ବାଇପାସ୍ ରାସ୍ତା ନିର୍ମାଣ ନ ହେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କେସିଙ୍ଗା ଅଞ୍ଚଳକୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । କେସିଙ୍ଗା ସହର ତଥା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ସଚେତନ ନାଗରିକ ମଞ୍ଚ ତରଫରୁ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ଠାରେ ଦୃଷ୍ଟି ଆକର୍ଷଣ କରାଯାଇ ତାହାର ସମାଧାନ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି । ଯାହାକୁ ନେଇ ସଚେତନ ନାଗରିକ ମଞ୍ଚର ଆବାହକତ୍ବରେ ଆଗାମୀ ଦିନରେ ଗଣତାନ୍ତ୍ରିକ ବିଧି ବିଧାନ ଅନୁସାରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଆସନ୍ତା ୧୮ ତାରିଖରେ କେସିଙ୍ଗା ସହର ସ୍ଥିତ ପୁରୁଣା ଷ୍ଟେଟ୍ ବ୍ୟାଙ୍କ୍ (ରାଜୀବ ଗାନ୍ଧୀ) ଛକ ଠାରେ ହରତାଳ ଡାକରା ଦେଇଛି କେସିଙ୍ଗା ସଚେତନ ନାଗରିକ ମଞ୍ଚ ।
କେସିଙ୍ଗା ଅଞ୍ଚଳର ବିକାଶ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କ ଠାରେ ପ୍ରମୁଖ ୧୦ ଟି ଦାବି ଉପସ୍ଥାପନ କରାଯାଇଛି । ଦୀର୍ଘ ୪୦ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା କୋଣାର୍କ ସୂତାକଳର ପୁନରୁଦ୍ଧାର ଓ କାର୍ଯ୍ୟକ୍ଷମ କରାଯିବାକୁ ନେଇ ସଚେତନ ନାଗରିକ ମଞ୍ଚ ପ୍ରଥମ ଦାବି ଉପସ୍ଥାପନ କରିଛି। ସେହିପରି କେସିଙ୍ଗା ରେଲୱେ ଷ୍ଟେସନ ଠାରୁ ରାଜଧାନୀ ଭୁବନେଶ୍ୱରକୁ ଦୈନିକ ସିଧାସଳଖ ଟ୍ରେନ୍ ସୁବିଧା, କେସିଙ୍ଗା ସହରରେ ଟ୍ରାଫିକ ବ୍ୟବସ୍ଥାରେ ନିୟନ୍ତ୍ରଣ ପାଇଁ କେସିଙ୍ଗା ସହର ଉପକଣ୍ଠ ଦେଇ କନ୍ତେଶିର ଠାରୁ ଯୋଲକୋ ପର୍ଯ୍ୟନ୍ତ ଏକ ବାଇପାସ୍ ରାସ୍ତା ନିର୍ମାଣ କରାଯିବାକୁ ଦାବି କରାଯାଇଛି। କେସିଙ୍ଗା କୁ ଏକ ବୃହତ୍ ମ୍ୟୁନିସିପାଲଟି ମାନ୍ୟତା ପ୍ରଦାନ ସହିତ କନ୍ତେଶିର,ସିରୋଲ ଏବଂ ଲଇତରା ଗ୍ରାମ ପଞ୍ଚାୟତ ଗୁଡିକୁ ଏଥିରେ ସାମିଲ କରିବା, କେସିଙ୍ଗାର ତୁର୍ଲାଖମନ ଠାରେ ହେବାକୁ ଥିବା ବହୁମୂଖୀ ତେଲ ବ୍ୟାରେଜର ସୁପ୍ତ ଅବସ୍ଥା କଟାଯାଇ ତୁରନ୍ତ କାର୍ଯ୍ୟକାରୀ କରିବା,ବାଲସି, ପରଲସିଙ୍ଗା ଓ ସିରୋଲ ପଞ୍ଚାୟତକୁ ନେଇ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା, କେସିଙ୍ଗା ସହରର ମଧ୍ୟ ଭାଗରେ ଥିବା ବୁଢ଼ା ଡଙ୍ଗର ପାହାଡ଼ର ସୁରକ୍ଷା,ସୌନ୍ଦର୍ଯ୍ୟକରଣ ଓ ତାହାର ପାଦଦେଶରେ ଥିବା ଓ୍ବାର୍ଡ ନମ୍ବର ୧୦,୧୧ ଏବଂ ୧୨ ଅଞ୍ଚଳର ଲୋକଙ୍କ ପାଇଁ ଆବାସର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। କେସିଙ୍ଗା ଠାରେ ଥିବା ରେଲୱେ ମେଲ୍ ସର୍ଭିସ୍ କୁ ବଲାଙ୍ଗୀର କୁ ସ୍ଥାନାନ୍ତରଣ ବାତିଲ, କେସିଙ୍ଗା ସହରର ମଧ୍ୟ ଭାଗରେ ରହିଥିବା ତେଲ,ରେତ ଏବଂ ସୁନ୍ଦର ନଦୀର ସଙ୍ଗମ ପୀଠକୁ ପର୍ଯ୍ୟଟନସ୍ଥଳୀ ରୂପେ ଘୋଷଣା ଏବଂ ଉନ୍ନତିକରଣ କରିବା ଏବଂ ମଞ୍ଜୁରି ପ୍ରାପ୍ତ କେସିଙ୍ଗା ଭବାନୀପାଟଣା ରେଳ ଲାଇନ୍ କୁ ଚଳିତ ଆର୍ଥିକ ବର୍ଷ ଠାରୁ ଅବିଳମ୍ବେ କାର୍ଯ୍ୟକାରୀ କରାଯିବାକୁ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଛି ।