କେସିଙ୍ଗା, ୧୦: ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ପ୍ରଭାବିତ ହୋଇଛି ।‌ ବିଶେଷ କରି କପା ଫସଲ ଅଧିକ ନଷ୍ଟ ହୋଇଛି ।ସେହିପରି ଧାନ ଚାଷ ଏବଂ ଅନ୍ୟାନ୍ୟ ଫସଲ ମଧ୍ୟ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି । ପାଷ୍ଟିକୁଡ଼ି ପଞ୍ଚାୟତ ଠେମରା ଗାଁରେ ୩ଟି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଫଳରେ ଘରେ ଥିବା ୨ରୁ ୩ ଜଣ ଲୋକ ଗୁରୁତର ଭାବେ ହୋଇଛନ୍ତି । ଚିକିତ୍ସା ପାଇଁ ଆହତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପ୍ରବଳ ବର୍ଷା ଯୋଗୁ ବଡ଼ ବଡ଼ ଗଛ ଉପୁଡ଼ି ଯାଇଛି । ଫଳରେ ରାସ୍ତା ଅବରୋଧ ସମସ୍ୟା ଦେଖାଦେଇଛି । ସେପଟେ କେସିଙ୍ଗା ବ୍ଲକ୍ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି ।

ବିଡିଓ ଜନ୍ମେଜୟ ସ୍ୱାଇଁ ଏବଂ ତହସିଲଦାର ପ୍ରଶାନ୍ତି ପ୍ରଧାନ ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି । ଲଗାଣ ବର୍ଷା ଯୋଗୁଁ ପାଷ୍ଟିକୁଡ଼ି ପଞ୍ଚାୟତ ଠେମରା ଗ୍ରାମରେ କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ନେଇ ତହସିଲଦାର ପ୍ରଶାନ୍ତି ପ୍ରଧାନ ସୂଚନା ଦେଇଛନ୍ତି । ଲଘୁଚାପ ଜନିତ ବର୍ଷାରେ କେଉଁ କେଉଁ ପଞ୍ଚାୟତରେ କେତେ କ୍ଷତିକ୍ଷତି ହୋଇଛି ତା'ର ଆକଳନ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ତହସିଲଦାର ଶ୍ରୀମତୀ ପ୍ରଧାନ କହିଛନ୍ତି ।