ପରକୀୟା ପ୍ରୀତିରୁ ହତ୍ୟା, ସ୍ୱାମୀର ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କଲା ପତ୍ନୀ

କେନ୍ଦୁଝର, ୨୫/୦୩ : ପରକୀୟା ପ୍ରୀତିର କରୁଣ ପରିଣତି । ସ୍ୱାମୀର ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କଲା ପତ୍ନୀ । ଶୁକ୍ରବାର ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଡିମ୍ବୋ ପଞ୍ଚାୟତ ନଇଗାଁ ତୋଟାସାହିରେ । ମୃତକ ହେଲେ ଆଶା ମୁଣ୍ଡା (୨୨) । ଅଭିଯୁକ୍ତ ହେଲେ ଆକାଶ ମୁଣ୍ଡାଙ୍କ ପତ୍ନୀ ମୁନି ମୁଣ୍ଡା (୨୪) । ଅଭିଯୁକ୍ତ ମୁନିକୁ ପଚରାଉଚରା କରୁଛି ଟାଉନ ଥାନା ପୁଲିସ ।
ଆକାଶ ଓ ମୁନିଙ୍କ ୨ଟି ସନ୍ତାନ ଥିବାବେଳେ ଘୁଟୁର ଗ୍ରାମର ଆଶା ମୁଣ୍ଡାଙ୍କ ସହ ଆକାଶ ଅନୈତିକ ସମ୍ପର୍କ ରହିଥିବା ସନ୍ଦେହ କରୁଥିଲେ ମୁନି । ଆଶା ମଧ୍ୟ ବିବାହିତ ହୋଇଥିବାବେଳେ ତାଙ୍କର ମଧ୍ୟ ଗୋଟିଏ ସନ୍ତାନ ଅଛି । ଶୁକ୍ରବାର ଆକାଶ ଘରେ ନଥିବା ସମୟରେ ଆଶାକୁ ନିକଟସ୍ଥ ଅରଡେଇ ନଦୀକୁ ଗାଧୋଇବାକୁ ଡାକି ନେଇଥିଲା ମୁନି । ସେଠାରେ ଏକ ବୁଦାମୂଳରେ ଏକ ଓଢ଼ଣୀ ସାହାଯ୍ୟରେ ଆଶାଙ୍କ ତଣ୍ଟି ଚିପି ଦେଇଥିଲା । ଆଶା ସଂଜ୍ଞାହୀନ ହୋଇପଡିଥିଲେ । ପରେ ଘରେ ଆସି ସବୁକଥା କହିଥିଲା ମୁନି । ପରିବାର ଲୋକେ ଆଶାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ଟାଉନ ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଛି ।