ହରିଚନ୍ଦନପୁର, ୨୯/୦୫ : ମହିଳାଙ୍କୁ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା। କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୂର୍ବତନ ସମିତି ସଭ୍ୟା ତଥା ପାଲା ଗାୟିକା ସତ୍ୟଭାମା ସିଂହଙ୍କୁ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ଘର ଠାରୁ ୩୦୦ ମିଟର ଦୂରରୁ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ, ସତ୍ୟଭାମା ସିଂ ପୂର୍ବରୁ ସମିତି ସଭ୍ୟା ଥିବା ବେଳେ ବର୍ତ୍ତମାନ ପାଲା ଗାୟିକା ଭାବେ କାର୍ଯ୍ୟ କରୁଥିଲେ। ରବିବାର ରାତିରେ ସେ କୀର୍ତ୍ତନ ଆଖାଡା ସାରି ଘରକୁ ଫେରୁଥିବା ବେଳେ କୌଣସି କାରଣକୁ ନେଇ କେହି ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଛି। ଆଜି ସକାଳେ ଘର ନିକଟରେ ଶବ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପଣ୍ଡାପଡା ପୋଲିସ, ସଦର ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।