ଭୁବନେଶ୍ୱର,୦୩/୦୩: ଭାଙ୍ଗିପଡିଲାଣି ଫୁଲ କୁଣ୍ଡ । ଅଧିକାଂଶ କୁଣ୍ଡରେ ଗଛ ହିଁ ନାହିଁ । ଆଉ କେଉଁଠି କୁଣ୍ଡରେ ସୋ’ ଗଛ ଅଛି, ମାତ୍ର ପାଣି ଦିଆଯାଉନଥିବାରୁ ସେସବୁ ମରିବାକୁ ବସିଲାଣି । ସେପଟେ ରାସ୍ତା ସଫା ହେଉନି । ଚେୟାର ବି ଏପଟେସେପଟ ହୋଇପଡିଛି । ରାଜଧାନୀର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି-ଉଦୟଗିରି ପାଦଦେଶରେ ଏବେ ଏଭଳି କଦ୍ଦର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ସୌନ୍ଦର୍ଯ୍ୟ ବିଗିଡିଗଲାଣି । ଯିଏ ଏଭଳି ଦୃଶ୍ୟ ଦେଖୁଛି, ସିଏ ନାକ ଟେକୁଛି । ନା ରକ୍ଷଣାବେକ୍ଷଣା ହେଉଛି, ନା କିଏ ଯତ୍ନ ନେବାକୁ ଚାହୁଁଛି ।
ଖଣ୍ଡଗିରି ମେଳା ସରିବାକୁ ଇତିମଧ୍ୟରେ ମାସେ ବିତିଗଲାଣି । ମେଳା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ରାସ୍ତାରେ ଫୁଲକୁଣ୍ଡ ରଖାଯିବା ସହ ଭଳିକି ଭଳି ଫୁଲ ଗଛ ଲାଗିଥିଲା । ଉକ୍ତ ଫୁଲକୁଣ୍ଡକୁ ସଉରା ଜନଜାତିର ଚିତ୍ରରେ ସଜ୍ଜା ଯାଇଥିଲା । ପ୍ରାୟ ୫୦ଟି କୁଣ୍ଡ ଖଣ୍ଡଗିରି ପାହାଡ ପ୍ରବେଶ ପଥରୁ ନେଇ ଜୟଦେବ ବାଟିକା ପର୍ଯ୍ୟନ୍ତ ଥୁଆ ଯାଇଥିଲା । ସେହିପରି ଅଳିଆ, ଆବର୍ଜନା ଏଣେତେଣେ ନ’ଫିଙ୍ଗି ଡଷ୍ଟବିନ୍ ବ୍ୟବହାରକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ହେଲେ ମେଳା ଚାଲୁଥିବା ବେଳେ ସବୁକିଛି ଠିକ୍ଠାକ୍ ଚାଲିଥିଲା । ମାତ୍ର ମେଳା ସରୁସରୁ ପୁଣି ଯଥା ପୂର୍ବଂ ତଥା ପରଂ ସ୍ଥିତି । ଫୁଲ କୁଣ୍ଡଠୁ ନେଇ ସିମେଣ୍ଟ ଚୌକିର ଅବସ୍ଥା ଏକଦମ୍ ବେହାଲ । ଏଠାରେ ବସିବା ତ ଦୂରେ ଥାଉ, ଦେଖିଲେ ପର୍ଯ୍ୟଟକ ପଳାଉଛନ୍ତି । ଅପରପକ୍ଷେ, ସଂଧ୍ୟା ହେଲେ ପାହାଡ ପାଦଦେଶରେ ନିଶାଡି ତଥା ଅସାମାଜିକମାନେ ଆସି ରୁଣ୍ଡ ହେଉଛନ୍ତି । ସେହିମାନେ ଫୁଲ କୁଣ୍ଡ ଭାଙ୍ଗୁଥିବା ଜଣେ କର୍ମଚାରୀ ନିଜ ନାଁ ଗୋପନ ରଖି କହିଛନ୍ତି । ତେଣୁ ଏଦିଗରେ ନଜର ଦିଆଯିବା ସହ ପୁଲିସ ପାଟ୍ରୋଲିଂ କଡାକଡି କରାଯାଉ ।
ଅଧିକ ପଢ଼ନ୍ତୁ :- ଦୋଳବେଦୀ ନିକଟରେ ଠେଲାପେଲା , ଭିଡ଼ ଭିତରେ ତଳେ ପଡ଼ି ଆହତ ଭକ୍ତ
ଖଣ୍ଡଗିରି ଓ ଉଦୟଗିରିରକୁ କେବଳ ଓଡିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶରୁ ବି ପର୍ଯ୍ୟଟକ ଆସୁଛନ୍ତି । ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ଏଏସ୍ଆଇର । ହେଲେ ଏଏସ୍ଆଇ କର୍ମଚାରୀମାନେ କେବଳ ଟିକଟ କାଟିବାରେ ବ୍ୟସ୍ତ । ସୌନ୍ଦର୍ଯ୍ୟକରଣ କଥା ଏକଦମ୍ ଭୁଲିଯାଉଛନ୍ତି । ବିଏମ୍ସି କର୍ମଚାରୀମାନେ ଆସି କେବଳ ରାସ୍ତା ସଫା କରି ପଳାଉଛନ୍ତି । ପର୍ଯ୍ୟଟକମାନଙ୍କ କହିବା କଥା, ଖଣ୍ଡଗିରି-ଉଦୟଗିରି ଏକ ବିଶ୍ୱସ୍ତରୀୟ ଧରୋହର(ଐତିହ୍ୟ) । ହେଲେ କେବଳ ମେଳା ବେଳେ ହିଁ ଏହାକୁ ସୁନ୍ଦର କରାଯାଉଛି । ଆଉ କେତେବେଳେ ହେଉନି । ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଭଳି ରାଜ୍ୟରେ ଥିବା ଐତିହ୍ୟସ୍ଥଳରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି । ହେଲେ ଏଠାରେ କେହି ନଥିବାରୁ ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରାଯାଉଛି । ତେଣୁ ଏ ଦିଗରେ କଡା ପଦକ୍ଷେପ ନିଆଯାଉ । ଜଣେ ଏଏସଆଇ ଅଧିକାରୀ କହିଛନ୍ତି, ଏନେଇ ବିଭାଗ ସହ ଆଲୋଚନା କରିବୁ ।