ଭୁବନେଶ୍ୱର, ୧୩/୦୧ : ଆସନ୍ତା ୨୫ରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ସାଧୁସନ୍ଥଙ୍କ ଓଁକାର ଧ୍ୱନିରେ ପ୍ରକମ୍ପିତ ହେବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାଗହ୍ୱର। ଚାଲିବ ବେଦ, ଭାଗବତ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଚର୍ଚ୍ଚା । ମେଳା ପଡ଼ିଆ ସାଙ୍ଗକୁ ଦୁଲୁକିବ ଯାତ୍ରା ପେଣ୍ଡାଲ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଖଣ୍ଡଗିରି ଅଞ୍ଚଳ । ସେପଟେ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ପାଇଁ ମଧ୍ୟ କମିଟି ଗୁଡ଼ିକ ତତ୍ପରତା ଆରମ୍ଭ କରିଦେଲେଣି । ମଣ୍ଡପ ସଫାସୁତୁରା ସହ ଟେଣ୍ଟ୍ କାମ ଆରମ୍ଭ ହୋଇଗଲାଣି । ସେହିପରି ଆଗୁଆ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ରାସ୍ତା କଡ଼ରେ ମଧ୍ୟ ବ୍ୟାନର ଓ ହୋଡିଂ ବାନ୍ଧିବାରେ ଲାଗି ପଡ଼ିଲେଣି ।
ଖଣ୍ଡଗିରି ମେଳା କାହାଣୀ
ଇତିହାସ ଓ ବିଶ୍ୱାସର ମୂଳଦୁଆ ଉପରେ ଠିଆ ହୋଇଥିବା ଖଣ୍ଡଗିରି ପୀଠରେ କୁମ୍ଭମେଳାର ପ୍ରଚୀନତା କାହିଁ କେତେବର୍ଷର । ଇତିହାସ ପୃଷ୍ଠାରେ ଏହି ମେଳାର ଆରମ୍ଭ ସଂପର୍କରେ ନିର୍ଦ୍ଧିଷ୍ଟଭାବେ ଉଲ୍ଲେଖ ନ ଥିଲେ ମଧ୍ୟ ଆବାହମାନକାଳରୁ ଏହିମେଳା ହୋଇ ଆସୁଛି । ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ଧରି ଏହି ମେଳା ଆୟୋଜିତ ହୋଇଥାଏ । ପ୍ରବାଦ ଅଛି ଏକଦା ଶମ୍ଭାସୁର ନାମକ ଜଣେ ବହୁ ପ୍ରତାପୀ ଅସୁର କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ । ଉପଚାର ନିମନ୍ତେ ଶମ୍ଭାସୁର ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥିଲେ । ସୂର୍ଯ୍ୟଦେବଙ୍କ ଠାରୁ ଆଦେଶ ପାଇ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଚାଲି ଚାଲି ଆସି ଖଣ୍ଡଗିରିରେ ପହଞ୍ଚିଲେ । ସେଠାରେ "ଖଣ୍ଡଖିରି' ସେବନ କରି ଜପତପ କରିବା ପରେ ସେ ରୋଗମୁକ୍ତ ହୋଇଥିଲେ । ଏହାକୁ ବିଶ୍ୱାସ କରି ମାଘ ମାସରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ଆସି ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହିତ ଖଣ୍ଡଗିରି-ଉଦୟଗିରିରେ ଜପତପ କରିଥାନ୍ତି ।
କୁମ୍ଭମେଳା ନାମରେ ନାମିତ ଏହି ୯ ଦିନ ବ୍ୟାପୀ ମେଳାକୁ ସ୍ଥାନୀୟ ଲୋକେ "ଅନନ୍ତ କେଶରୀଙ୍କ ଯାତ୍ରା' ବୋଲି ମଧ୍ୟ କହିଥାନ୍ତି । ଠାକୁର ଅନନ୍ତ କେଶରୀ କେଉଁଠାରେ ରହୁଥିଲେ ସେ ସଂପର୍କରେ ଇତିହାସରେ କିଛି ଉଲ୍ଲେଖ ନାହିଁ । ମାତ୍ର ୧୮୨୦ ମସିହାରେ ଐତିହାସିକ ଷ୍ଟାର୍ଲିଂ ଖଣ୍ଡଗିରି ପରିଭ୍ରମଣରେ ଆସିଥିବାବେଳେ ଲେଖିଥିଲେ ଯେ ଖଣ୍ଡଗିରିରେ ଏକ ଶୂନ୍ୟ ମନ୍ଦିର ଥିଲା । ସ୍ଥାନୀୟ ଲୋକେ ଠାକୁର ଅନନ୍ତ କେଶରୀ ଦେବ ସେହି ମନ୍ଦିରରେ ରହୁଥିଲେ ବୋଲି ବିଶ୍ୱାସ କରନ୍ତି । ପୁରୀ ଭଳି ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖଣ୍ଡଗିରିଠାରେ ଠାକୁର ଅନନ୍ତ କେଶରୀଙ୍କ ରଥଯାତ୍ରା ହୋଇଥାଏ । ଏହି ସମୟରେ ଠାକୁର ଅନନ୍ତ କେଶରୀ ଦେବ ଜାଗମରା ଗ୍ରାମରେ ଥିବା ମାଉସୀଘରକୁ ୯ ଦିନ ଲାଗି ଯାତ୍ରା କରିଥାନ୍ତି । ମାତ୍ର ଇଂରେଜ ମାନଙ୍କର ଓଡ଼ିଶା ଆକ୍ରମଣ ସମୟରେ ଖଣ୍ଡଗିରିରୁ ଠାକୁର ଅନନ୍ତ କେଶରୀଙ୍କୁ ଜାଗମରା ଗ୍ରାମକୁ ସ୍ଥାନାନ୍ତର କରା ଯାଇଥିବାର ବିଶ୍ୱାସ କରାଯାଏ । ସେହିଦିନ ଠାରୁ ଠାକୁର ୯ ଦିନ ପାଇଁ ଖଣ୍ଡଗିରିକୁ ଯାତ୍ରା କରନ୍ତି । ମେଳା ସରିବା ପରେ ଠାକୁରଙ୍କୁ ପୁଣି ଜାଗମରା ଗ୍ରାମକୁ ଅଣାଯାଇଥାଏ । ଏହି ସମୟରେ ପାଳିକରି ଗ୍ରାମବାସୀମାନେ ଠାକୁରଙ୍କୁ ଜଗିଥାନ୍ତି । ତେବେ ସମୟକ୍ରମେ ଏହି ପରମ୍ପରା ବଦଳି ଯାଇଛି । କେବଳ ମାଘ ସପ୍ତମୀ ଗୋଟିଏ ଦିନ ପାଇଁ ଠାକୁର ଅନନ୍ତ କେଶରୀଙ୍କୁ ଖଣ୍ଡଗିରି ପରିବର୍ତ୍ତେ ଉଦୟଗିରିର ରାଣୀହଂସପୁରକୁ ବାଜା, ବାଣ, ରୋଷଣି ମାଧ୍ୟମରେ ନିଆଯାଉଛି । ମେଳା ଆରମ୍ଭ ହେବାପରେ ଠାକୁରଙ୍କୁ ପୁଣି ନାଗା ମଠକୁ ଫେରାଇ ଅଣାଯାଉଛି ।
ମେଳା ପ୍ରତି ଆଗ୍ରହ କମୁଛି, ଯାତ୍ରା ନାଟତାମସା ପ୍ରତି ବଢ଼ୁଛି
ଏହି ପ୍ରସିଦ୍ଧ ମେଳାରେ ଖଣ୍ଡଗିରି ନିକଟସ୍ଥ ଜାଗମରା, ଗଣ୍ଡମୁଣ୍ଡା, ଆଇଗିଣିଆ, ଡୁମୁଡୁମା, ବରମୁଣ୍ଡା, ଘାଟିକିଆ ଓ ଭରତପୁର ଆଦି ଗ୍ରାମ ଓତୋପ୍ରୋତଃ ଭାବେ ଜଡ଼ିତ ଥିବା ବେଳେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ ହୋଇଥାଏ । ଧାନ ଅମଳ ସମୟ ହୋଇଥିବାରୁ ଏହିମେଳା ଚାଷୀମାନଙ୍କ ପାଇଁ ପ୍ରକୃଷ୍ଟ ସମୟ ବୋଲି ବିବେଚନା କରାଯାଏ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଂସାବାସନ, କାଠ ସାମଗ୍ରୀ, ମାଟି ଦ୍ରବ୍ୟ, ବାଉଁଶ ତିଆରି ଜିନିଷ ଓ ବିଭିନ୍ନ ଅଞ୍ଚଳର କାରିଗରି ଜିନିଷର ହାଟ ବସେ । ମିନା ବଜାର ଠାରୁ ଆରମ୍ଭକରି ସର୍କସ୍ ପାର୍ଟି, ମନୋହରି ଦୋକାନ, ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟଦ୍ରବ୍ୟର ମଧ୍ୟ ଦୋକାନ ବସେ । ମୁଣ୍ଡିଆର ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମେ । ଗାଁ ଗଣ୍ଡାର ଲୋକମାନେ ତାଟ ଶଗଡ଼ରେ ଆସି ମୁଣ୍ଡିଆରେ ଭୋଜିଭାତ କରିବା ସହିତ ଘରକରଣା ଜିନିଷ କିଣୁଥିଲେ । ଏସବୁ ଭିତରେ ଆଗ ଅପେକ୍ଷା ମେଳା ପ୍ରତି ଲୋକଙ୍କ ଆଗ୍ରହ କମି ଯାଉଥିବା ବେଳେ ଯାତ୍ରା ଓ ନାଟତାମସା ପ୍ରତି ଆଗ୍ରହ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି।
ଏହି ଖବରଟିକୁ ପଢନ୍ତୁ- ଆଉ ଡାକୁନାହାନ୍ତି ମକର କି ବଉଳ, ହାଏ ବ୍ରୋ... ହ୍ୱାଟ୍ସ.. ଅପ୍...ଡାକରୁ ଆରମ୍ଭ ହେଉଛି କଥାବର୍ତ୍ତା