ଖଣ୍ଡଗିରି କୁମ୍ଭ ମେଳାକୁ ଆଉ ୫ ଦିନ, ଜବରଦଖଲ ହଟାଇଲା ବିଏମ୍ସି

ଭୁବନେଶ୍ୱର,୭ା୨(ବ୍ୟୁରୋ): ଖଣ୍ଡଗିରି କୁମ୍ଭ ମେଳା ପାଇଁ ଆଉ ୫ ଦିନ ରହିଲା । ଏଥିପାଇଁ ବିଏମ୍ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ମେଳାକୁ ଆସୁଥିବା ଅପେରା ପାର୍ଟିଗୁଡିକ ନିଜ ଯାତ୍ରା ପରିସରରେ ସିସି ଟିଭି ଓ ମୋବାଇଲ୍ ଟଏଲେଟ୍ ରଖିବା ବାଧ୍ୟତାମୂଳକ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଆଗରୁ ମେଳା ପାଇଁ ପିଣ୍ଡି ଆବଣ୍ଟନ ଓ ପାର୍କିଂ ନିଲାମୀ ନେଇ ତାରିଖ ଧାର୍ଯ୍ୟ ହୋଇଥିଲା । ଆସନ୍ତାକାଲି ପିଣ୍ଡି ପାଇଁ ଦରଖାସ୍ତ ଆବେଦନ ଗ୍ରହଣର ଶେଷ ଦିନ । ଆଜିଠାରୁ ଏଥିପାଇଁ ନକ୍ସା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୯ ତାରିଖ ସୁଦ୍ଧା ପିଣ୍ଡି ପାଇଁ ଆସିଥିବା ଆବେଦନକୁ ଚୂଡାନ୍ତ କରି ୧୦ ତାରିଖରେ ତାଲିକା ପ୍ରକାଶ କରାଯିବ । ସେହି ୧୦ ତାରିଖ ଦିନ ମେଳାରେ ପାର୍କିଂ ସ୍ଥାନ ପାଇଁ ନିଲାମୀ ଦିଆଯିବ । ୧୨ ତାରିଖରୁ ମେଳା ସରିବା ଯାଏ ଦୈନିକ ପିଣ୍ଡିଗୁଡିକଠାରୁ ଲାଇସେନ୍ସ ଫି ଆଦାୟ କରାଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
୨୯ ଦୋକାନ ଭାଙ୍ଗିଲା, କାଲି ଆହୁରି ଭାଙ୍ଗିବ
ମେଳା ପାଇଁ ବିଏମ୍ସି ପକ୍ଷରୁ ଆଦି ଜବରଦଖଲ ଉଚ୍ଛେଦ କରାଯାଇଛି । ଆଜି ଗୋଟିଏ ଦିନରେ ୨୯ଟି ଉଠାଦୋକାନକୁ ଏନ୍ଫୋର୍ସମେଣ୍ଟ ଟିମ୍ ଭାଙ୍ଗିଛି । ଖଣ୍ଡଗିରି ପାଦଦେଶ ସହ ଏୟାରପୋର୍ଟ ଓ ଶିରିପୁର ଅଞ୍ଚଳରେ ଉଠାଦୋକାନକୁ ଭଙ୍ଗାଯାଇଛି । ଆସନ୍ତାକାଲି ଜାଗମରା ଅଞ୍ଚଳରେ ଉଚ୍ଛେଦ ହେବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।
ପିଣ୍ଡି ୬ ହଜାର, ଉଠାଦୋକାନ ଦିନକୁ ୫୦ଟଙ୍କା
ଚଳିତ କୁମ୍ଭମେଳା ପାଇଁ ବିଏମ୍ସି ପିଣ୍ଡି ଦର ଧାର୍ଯ୍ୟ କରିଛି । ଦୋକାନ ଉଦ୍ଦେଶ୍ୟରେ ପିଣ୍ଡି ନେଲେ ୧୨ଦିନକୁ ୬ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଉଠାଦୋକାନ ପାଇଁ ଦୈନିକ ୫୦ଟଙ୍କା ଦେବାକୁ ହେବ । ସରକାରୀ ଜମିରେ ଅପେରା ପାଇଁ ୬ହଜାର ଓ ଘରୋଇ ଜମିରେ ଅପେରା ପାଇଁ ୫ ହଜାର ଟଙ୍କା ଦେବାକୁ ପଡିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।
ସବୁ ଷ୍ଟଲ୍ରେ ଡଷ୍ଟବିନ୍ ବାଧ୍ୟତାମୂଳକ
ମେଳାରେ ଥିବା ସବୁ ଷ୍ଟଲ୍ଗୁଡିକରେ ପରିମଳ ଓ ସଫେଇକୁ ବିଏମ୍ସି ସ୍ୱତନ୍ତ୍ର ଧ୍ୟାନ ଦେଇଛି । ସବୁ ଷ୍ଟଲ୍ରେ ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ । ଡଷ୍ଟବିନ୍ ନ ରଖିଲେ ଲାଇସେନ୍ସ ବାତିଲ କରାଯିବ ବୋଲି ବିଏମସି କମିଶନର ଶୁଭମ ସାକ୍ସେନା କହିଛନ୍ତି ।