ଭୁବନେଶ୍ୱର,୪ ।୨(ବ୍ୟୁରୋ): ପ୍ରବାଦଅଛି ଏକଦା ଶମ୍ଭାସୁର ନାମକ ଜଣେ ପ୍ରବଳ ପ୍ରତାପୀ ଅସୁର କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ । ଉପଚାର ନିମନ୍ତେ ଶମ୍ଭାସୁର ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥିଲେ । ସୂର୍ଯ୍ୟଦେବଙ୍କ ନିର୍ଦ୍ଦେଶକ୍ରମେ ସେ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଚାଲି ଚାଲି ଆସି ଖଣ୍ଡଗିରିରେ ପହଞ୍ଚିଥିଲେ । ସେଠାରେ "ଖଣ୍ଡଖିରି' ସେବନ କରି ତପ କରିବା ପରେ ରୋଗମୁକ୍ତ ହୋଇଥିଲେ । ଏହାକୁ ବିଶ୍ୱାସ କରି ମାଘମାସରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ମାନେ ଆସି ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ଖଣ୍ଡଗିରି-ଉଦୟଗିରିରେ ଜପତପ କରିଥାନ୍ତି । ଏହାଦ୍ୱାରା ଆତ୍ମାକୁ ଶାନ୍ତି ମିଳିବା ସହ ସମସ୍ତ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।
କୁମ୍ଭମେଳା ନାମରେ ନାମିତ ଏହି ୯ ଦିନ ବ୍ୟାପୀ ମେଳାକୁ ସ୍ଥାନୀୟ ଲୋକେ "ଅନନ୍ତ କେଶରୀଙ୍କ ଯାତ୍ରା' ବୋଲି ମଧ୍ୟ କହିଥାନ୍ତି । ଠାକୁର ଅନନ୍ତ କେଶରୀ କେଉଁଠାରେ ରହୁଥିଲେ ସେ ସଂପର୍କରେ ଇତିହାସ ପୃଷ୍ଠାରେ କିଛି ଉଲ୍ଲେଖ ନାହିଁ । ମାତ୍ର ୧୮୨୦ ମସିହାରେ ଐତିହାସିକ ଷ୍ଟାର୍ଲିଂ ଖଣ୍ଡଗିରି ପରିଭ୍ରମଣ ବେଳେ ଲେଖିଥିଲେ, ଖଣ୍ଡଗିରିରେ ଏକ ଶୂନ୍ୟ ମନ୍ଦିର ଥିଲା । ଠାକୁର ଅନନ୍ତ କେଶରୀ ଦେବ ସେହି ମନ୍ଦିରରେ ରହୁଥିଲେ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । ପୁରୀ ରଥଯାତ୍ରାଭଳି ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଖଣ୍ଡଗିରିଠାରେ ଠାକୁର ଅନନ୍ତ କେଶରୀଙ୍କ ରଥଯାତ୍ରା ହୋଇଥାଏ । ରଥଯାତ୍ରା ସମୟରେ ଠାକୁର ଅନନ୍ତ କେଶରୀ ଦେବ ଜାଗମରା ଗ୍ରାମରେ ଥିବା ମାଉସୀଘର( ବର୍ତ୍ତମାନର ନାଗା ମଠ)କୁ ୯ ଦିନ ଲାଗି ଯାତ୍ରା କରିଥାନ୍ତି । ମାତ୍ର ଇଂରେଜମାନଙ୍କର ଓଡ଼ିଶା ଆକ୍ରମଣ ସମୟରେ ଠାକୁରଙ୍କୁ ଖଣ୍ଡଗିରିରୁ ଜାଗମରା ଗାଁକୁ ସ୍ଥାନାନ୍ତର କରା ଯାଇଥିବା ବିଶ୍ୱାସ କରାଯାଏ । ସେହିଦିନ ଠାରୁ ଠାକୁର ୯ ଦିନ ପାଇଁ ଖଣ୍ଡଗିରିକୁ ଯାତ୍ରା କରନ୍ତି । ମେଳା ସରିବା ପରେ ଠାକୁରଙ୍କୁ ପୁଣି ଜାଗମରା ଗ୍ରାମକୁ ଅଣା ଯାଇଥାଏ । ଏହି ସମୟରେ ପାଳିକରି ଗ୍ରାମବାସୀମାନେ ଠାକୁରଙ୍କୁ ଜଗିଥାନ୍ତି । ତେବେ ସମୟକ୍ରମେ ଏହି ପରମ୍ପରା ବଦଳି ଯାଇଛି । କେବଳ ମାଘ ସପ୍ତମୀ ତିଥିରେ ଗୋଟିଏ ଦିନ ପାଇଁ ଠାକୁର ଅନନ୍ତ କେଶରୀଙ୍କୁ ଖଣ୍ଡଗିରି ପରିବର୍ତ୍ତେ ଉଦୟଗିରିର ରାଣୀହଂସପୁରକୁ ବାଜା, ବାଣ, ରୋଷଣିରେ ନିଆଯାଉଛି । ମେଳା ଆରମ୍ଭ ହେବାପରେ ଠାକୁରଙ୍କୁ ପୁଣି ନାଗା ମଠକୁ ଫେରାଇ ଅଣାଯାଉଛି ।
ଯଜ୍ଞ ସହ ଧର୍ମ ଚର୍ଚ୍ଚା
ସାଧୁସନ୍ଥ ମାନଙ୍କ ସମ୍ମିଳନୀ, ଧର୍ମଚର୍ଚ୍ଚା ସହିତ ଯଜ୍ଞ ଓ ରାମଚରିତ ମାନସ ପାଠ ଇତ୍ୟାଦି ଏହି କୁମ୍ଭମେଳାରେ ଚାଲେ । ବର୍ତ୍ତମାନ ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ଖଣ୍ଡଗିରିସ୍ôଥିତ ଅନନ୍ତ ଗୁମ୍ଫା ସମ୍ମୁଖରେ ଦୀର୍ଘ ଅର୍ଧଶତାଦ୍ଦୀରୁ ଅଧିକ ବର୍ଷ ଧରି ଚାଲିଥିବା ଯଜ୍ଞ । ପ୍ରବାଦ ଅଛି, ସିଦ୍ଧ ବାବା ଅରକ୍ଷିତ ଦାସ, ମହିମା ଗୋସାଇଁ, ଅଭିରାମ ପରମହଂସ, ସିଦ୍ଧ ବାରଙ୍ଗ ଦାସ ତଥା ଅନେକ ବିଶିଷ୍ଟ ସାଧୁସନ୍ଥ ଏହି ଗୁମ୍ପାରେ ସିଦ୍ଧି ଲାଭ କରିଥିଲେ । ମେଳାର ପ୍ରଥମ ଦିନରେ ଅଙ୍କୁରାରୋପଣ କରାଯାଇ ପଞ୍ଚସଖାଙ୍କ ଗାଦି ସ୍ଥାପନ କରାଯାଏ । ଏହାପରେ ରାମଚରିତ ମାନସ ପାଠ ଆରମ୍ଭ ହୁଏ । ଏହି ଦିନଠାରୁ ସନ୍ୟାସୀମାନଙ୍କର ଭିଡ଼ ଜମେ । ମେଳାର ଦ୍ୱିତୀୟ ଦିନରେ ଯଜ୍ଞ ନିମିତ୍ତ ଘଟ ଉତ୍ଥାପନ କରାଯାଏ । ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇ ମା' ବାରଭୂଜାଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରାଯାଏ । ଏହି ଦୀପ ମେଳାର ଶେଷଦିନ ଅର୍ଥାତ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯଜ୍ଞ ନିକଟରେ ସମର୍ପିତ ହୋଇଥାଏ ।
ମେଳା ହାଲ୍ଚାଲ୍
ଏହି ପ୍ରସିଦ୍ଧ ମେଳାରେ ଖଣ୍ଡଗିରି ନିକଟସ୍ଥ ଜାଗମରା, ଗଣ୍ଡମୁଣ୍ଡା, ଆଇଗିଣିଆ, ଡୁମୁଡୁମା, ବରମୁଣ୍ଡା, ଘାଟିକିଆ ଓ ଭରତପୁର ଆଦି ଗ୍ରାମ ଓତୋପ୍ରୋତଃ ଭାବେ ଜଡ଼ିତ । ମେଳାରେ ଦେଶର କୋଣଅନୁକୋଣରୁ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ ହୋଇଥାଏ । ଧାନ ଅମଳ ସମୟ ହୋଇଥିବାରୁ ମେଳା ଚାଷୀମାନଙ୍କ ପାଇଁ ପ୍ରକୃଷ୍ଟ ସମୟ ବୋଲି ବିବେଚନା କରାଯାଏ । ପ୍ରାୟ ୨୦ରୁ ୨୫ ଦିନ ଧରି ଏଠାରେ ଦୋକାନ ବଜାର ଲାଗିଥାଏ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଂସାବାସନ, କାଠ ସାମଗ୍ରୀ, ମାଟି ଦ୍ରବ୍ୟ, ବାଉଁଶ ତିଆରି ଜିନିଷ ଓ କାରିଗରି ଜିନିଷର ହାଟ ବସେ । ମୀନା ବଜାର ଠାରୁ ଆରମ୍ଭକରି ସର୍କସ, ମନୋହରି ଦୋକାନ, ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟଦ୍ରବ୍ୟର ମଧ୍ୟ ଦୋକାନ ବସେ । ମୁଣ୍ଡିଆର ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମେ । ପୂର୍ବରୁ ଗାଁ ଗଣ୍ଡାର ଲୋକମାନେ ତାଟ ଶଗଡ଼ରେ ଆସି ମୁଣ୍ଡିଆରେ ଭୋଜିଭାତ କରିବା ସହିତ ଘରକରଣା ଜିନିଷ କିଣନ୍ତି । ତେବେ ପୂର୍ବଭଳି ତାଟ ଶଗଡ଼ ଆଉ ଦେଖିବାକୁ ମିଳୁନାହିଁ । ପ୍ରତ୍ୟହ ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ହୁଏ । ଏସବୁ ଭିତରେ ଆଗ ଅପେକ୍ଷା ମେଳା ପ୍ରତି ଲୋକଙ୍କ ଆଗ୍ରହ କମି ଯାଉଥିବା ବେଳେ ଯାତ୍ରା ଓ ନାଟତାମସା ପ୍ରତି ଆଗ୍ରହ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି ।
୭ ପେଣ୍ଡାଲରେ ୧୧ ଯାତ୍ରା ପାର୍ଟି
ଯାତ୍ରା ଡାଇଲଗ୍ରେ କମ୍ପିବ ଖଣ୍ଡଗିରି । ଏଥର ଖଣ୍ଡଗିରି ମେଳାରେ ୭ଟି ପେଣ୍ଡାଲରେ ୧୧ଟି ନାମକରା ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରିବେ । ଏଥିଲାଗି ଅପେରା ପାର୍ଟିଗୁଡ଼ିକ ଏବେଠୁ ରାସ୍ତାର ଉଭୟ ପାଶ୍ୱର୍ରେ ନିଜ ନିଜର ହୋର୍ଡ଼ିଂ ବାନ୍ଧିବା ଆରମ୍ଭ କରି ଦେଲେଣି । ଏଠାରେ ଯାତ୍ରାପାର୍ଟିଗୁଡ଼ିକ ମଧ୍ୟରେ ଏକରକମ ପ୍ରତିଯୋଗିତା ଲାଗିଥାଏ । ସବୁ ଅପେରା ପାର୍ଟିଗୁଡ଼ିକ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସେମାନଙ୍କର ଶ୍ରେଷ୍ଠ ନାଟକ ପ୍ରଦର୍ଶନ କରିଥାନ୍ତି । ତେଣୁ ଏହାକୁ ଅଘୋଷିତ ଯାତ୍ରା ମହାସମର ବୋଲି ମଧ୍ୟ କୁହାଯାଏ । ଲେଖକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକମାନେ ମଧ୍ୟ ଏଠି ଏକାଠି ହୋଇଥାଆନ୍ତି । ବଦଳିଲା ବରମୁଣ୍ଡା ପେଣ୍ଡାଲ୍ । ଏଥର ୧୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଯାତ୍ରା ଚାଲିବ । ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ପାର୍ଟି ମଧ୍ୟରେ ଚାଲିବ କଡ଼ା ଟକ୍କର୍ । ତେବେ ଚଳିତବର୍ଷ ବରମୁଣ୍ଡା ବାରଭୂଜା ସାଂସ୍କୃତିକ ପରିଷଦ ସ୍ଥାନ ପରିବର୍ତ୍ତନ କରିଛି । ଏଥର ଉଦୟଗିରି ମୁଣ୍ଡିଆ ତଳ ପାର୍କିଂ ପଡ଼ିଆରେ ଯାତ୍ରା କରିବା ପାଇଁ ସ୍ଥାନ ନିରୁପଣ ହୋଇଥିବା ପରିଷଦ ପକ୍ଷରୁ କୁହାଯାଇଛି ।