ଭୁବନେଶ୍ୱର, ୧୭।୨: ଏବେ ପ୍ରେମୀଙ୍କ ମିଳନସ୍ଥଳ ପାଲଟିଛି ଐତିହାସିକ ଖଣ୍ଡଗିରି-ଉଦୟଗିରି ପାହାଡ଼ । ପାହାଡ଼ ଉପରେ ଥିବା ଜଙ୍ଗଲ, ବୁଦା ଭଳି ନିରୋଳ ସ୍ଥାନରେ ଯୁବକଯୁବତୀମାନେ ବସି ଅନ୍ତରଙ୍ଗ ସମୟ ବିତାଉଛନ୍ତି । କେବଳ ସମୟ ବିତାଉନାହାନ୍ତି ବରଂ ପ୍ରାଚୀନ ଶିଳାରେ ସେମାନଙ୍କ ନାଁ ଲେଖୁଛନ୍ତି । କିଏ ଅଙ୍ଗାର ତ କିଏ ଚକ୍ ଓ ପଥରରେ ତାଡ଼ି ନାଁ ଲେଖୁଛି । ଯଦ୍ୱାରା ବିକୃତ ହେବାରେ ପ୍ରାଚୀନ ଐତିହ୍ୟ । ଶହଶହ ବର୍ଷର ଏହି ଐତିହ୍ୟ ବିପଦରେ ରହିଛି । କେଉଁଠି ବାବୁ, ସୁରଜ ତ କେଉଁଠି ସୋନମ୍ କିଶୋର କାହ୍ନା, ସନ୍ତୋଷ । ପାନପତର ତ ଆଉ କେଉଁଠି ଧନୁତୀର ଅଙ୍କାଯାଉଛି । ପୁଣି କେଉଁଠି ଭୂତ ମୁହଁର ଚିତ୍ର ହେଉଛି । ଯୁଆଡ଼େ ଚାହିଁବ ଏଭଳି ନାଁ ଦେଖିବ । ବଡକଥା ହେଉଛି, ଖଣ୍ଡଗିରି-ଉଦୟଗିରି ପାହାଡ଼ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଅଧୀନରେ ରହିଛି । ହେଲେ ଏଭଳି କାରନାମାକୁ ଜଗିବାକୁ କେହି ନାହାନ୍ତି । ଐତିହ୍ୟସମ୍ପନ୍ନ ଖଣ୍ଡଗିରି-ଉଦୟଗିରି ପାହାଡ଼ । ଭାସ୍କର୍ଯ୍ୟ କଳାର ଅନନ୍ୟ ନିଦ୍ଦର୍ଶନ ଏହି ଦୁଇଟି ପାହାଡ଼ରେ ରାଜା ଖାରବେଳଙ୍କ ଯୁଗର ଶିଳାଲେଖ ରହିଛି ।
ଏହା ବି ପଢ଼ନ୍ତୁ... ଇମ୍ପାକ୍ଟ ସମିଟ୍ ଏଆଇ ସମ୍ଭାବନା ପ୍ରଦର୍ଶନ କଲା ଓଡ଼ିଶା, ବିକଶିତ ହୋଇଛି ୩ ମେଡ୍ ଇଣ୍ଡିଆ ଚିପ୍
ପ୍ରାଚୀନ କଳିଙ୍ଗର ସୃଷ୍ଟିଠୁ ନେଇ ଜୈନଧର୍ମର ଇତିହାସ ଏହି ଶିଳାଲେଖରୁ ଜଣାପଡ଼େ । କେବଳ ରାଜଧାନୀ ଭୁବନେଶ୍ୱର ସାରା ଦେଶର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ । ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ଖଣ୍ଡଗିରି-ଉଦୟଗିରିରେ ଥିବା ମୋଟ୍ ୪୦ଟି ଗୁମ୍ଫା ରହିଛି । ବିଶେଷକରି ଉଦୟଗିରିରେ ଥିବା ହାତୀଗୁମ୍ଫାରେ ସମ୍ରାଟ ଖାରବେଳଙ୍କ ସମୟର ଶିଳାଲେଖ ରହିଛି । ଯାହା ପ୍ରାଚୀନ ଓଡିଶା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଉପାଦାନ । ଏହି ଶିଳା ଲେଖ ବିଷୟରେ ବ୍ରିଟିଶ ସମୟରୁ ଗବେଷଣା ହୋଇଆସୁଛି । ଏବେବି ପର୍ଯ୍ୟଟକମାନେ ଆସି ଶିଳାଲେଖ ଦେଖି ସେଥିରୁ ଅନେକ ତଥ୍ୟ ଜାଣନ୍ତି । ଖଣ୍ଡଗିରିରେ ଥିବା ଗୁମ୍ଫାରେ ମଧ୍ୟ ବିଭିନ୍ନ ଭାଷ୍କର୍ଯ୍ୟ କାରୁକାର୍ଯ୍ୟ ରହିଛି । ଯାହା ଆଜି ବି ସଂରକ୍ଷିତ ହୋଇରହିଛି । ଭବିଷ୍ୟତରେ ମଧ୍ୟ ଏହି ଶିଳାଲେଖ ଗବେଷକମାନଙ୍କ କାମରେ ଆସିବ । ହେଲେ ଦେଖାଯାଉଛି, ଆଧୁନିକ ପିଢିର ଯୁବକଯୁବତୀମାନେ ଏଦିଗରେ ଆଦୌ ସଚେତନ ନୁହନ୍ତି । ମନଇଚ୍ଛା ଗୁମ୍ଫା କାନ୍ଥ ଓ ପ୍ରାଚୀନ ଶିଳାରେ ନାମ ଲେଖୁଛନ୍ତି । ହାତରେ ପଥର ଖଣ୍ଡ କି କାଠ ଯାହା ପାଇଲେ, ସେଥିରେ ପଥରକୁ ତାଡ଼ି ପକାଉଛନ୍ତି । ଏହା ଦ୍ୱାରା କେବଳ ଶିଳା ବିକୃତ ହେଉନି ବରଂ ଗୁମ୍ଫାର ଅବନତି ଘଟୁଛି । ପ୍ରାଚୀନ ଗୁମ୍ଫା ଶିଳାଲେଖ ଉପରେ ନାମ ଲେଖିବା କିମ୍ବା ତଡ଼ାତଡ଼ି କରିବା ମୂଲ୍ୟବାନ ପ୍ରତ୍ନତାତ୍ତ୍ୱିକ ସ୍ଥାନକୁ ଗଭୀର କ୍ଷତି ପହଞ୍ଚାଉଥିବା ସାଧୁସନ୍ଥମାନେ ଅଭିଯୋଗ କରିଛନ୍ତି ।
ଯଦି ଏବେଠୁ ଏହାକୁ ରୋକାନଯାଏ, ତେବେ ଦିନ ଆସିବ ଗୁମ୍ଫା ଓ ଶିଳାରେ ଥିବା ଐତିହାସିକ ରେକର୍ଡ ହଜିଯିବ । ନିକଟରେ ଖଣ୍ଡଗିରି କୁମ୍ଭମେଳା ସରିଛି । ତେବେ ମେଳା ସମୟରେ ଫ୍ରାନ୍ସରୁ ଆସିଥିବା କିଛି ବିଦେଶୀ ଗବେଷକ ଶିଳାରେ ଲିଖିତ ନାମକୁ ଦେଖିଥିଲେ । ଏହା ଦେଖି ସେମାନେ ନାପସନ୍ଦ କରିଥିଲେ । କୌଣସି ସ୍ମାରକୀକୁ ଜାଣିଶୁଣି କ୍ଷତି ପହଞ୍ଚାଇବା ଏକ ଭୂଲ ବୋଲି ସେମାନେ କହିଥିଲେ । ଏଏସଆଇ ଏଦିଗରେ କଡା ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏଥିପାଇଁ ନିୟମ ମଧ୍ୟ ଆସୁ । ଯଦିଓ ଖଣ୍ଡଗିରି-ଉଦୟଗିରି ପାହାଡ ଆଖପାଖରେ ଥିବା ସୂଚନାଫଳକରେ ଲିଖିତ ରହିଛି ଯେ ଐତିହ୍ୟକୁ ନଷ୍ଟ କରିବା ଅପରାଧ, ଏଥିପାଇଁ ଜରିମାନା ବି ଦେବାକୁ ପଡିବ । ମାତ୍ର କେହି ଏହାକୁ ମାନୁନାହାନ୍ତି । ଏସଂକ୍ରାନ୍ତରେ ବରିଷ୍ଠ ଗବେଷକ ପ୍ରଫେସର ନାରାୟଣ ରାଓ କହିଛନ୍ତି, ଯୁବପିଢ଼ି ସଚେତନ ହେବା ଆବଶ୍ୟକ । ସଂରକ୍ଷିତ ପାହାଡ କିମ୍ବା ପର୍ଯ୍ୟଟନସ୍ଥଳୀରେ ଚକ କି ପଥରରେ ଲେଖିବା ଠିକ୍ ନୁହେଁ । ଏହାଦ୍ୱାରା ଶିଳାଲେଖ ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି । ଲେଖିବା ପୂର୍ବରୁ ତାହାର ଗରିମା ବିଷୟରେ ଚିନ୍ତା କରନ୍ତୁ ।