ହରଭଙ୍ଗା, ୨୬।୫ (ଚିତ୍ତରଞ୍ଜନ ସିଂ)  : ଭୁଶୁଡିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଟନେଲ । ବୌଦ୍ଧ ଆଢେଣିଗଡ ନିକଟ କଖାରୁଫାଳରେ ଏହି ଘଟଣା ଘଟିଛି।  ରେଳ ଟନେଲ ଭୁଶୁଡି  ୩୦ ମିଟର ପର୍ଯ୍ୟନ୍ତ ଗାତ ହୋଇଥିବା ଜଣାପଡିଛି। ତେବେ ଟନେଲ ଭିତରେ କେହି ଫସି ନ ଥିବା ଇଷ୍ଟକୋଷ୍ଟ ରେଳଓ୍ବେ ସ୍ପଷ୍ଟ କରିଛି।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ର ଚାରି ନମ୍ବର  ଟନେଲ ଯାହାକି ଭାରତର ସର୍ବ ବୃହତ ଟନେଲ। ଯାହାର ଲମ୍ବ ପ୍ରାୟ ଚାରି କିଲୋମିଟର ରୁ ଅଧିକ। ଆଡ଼େନିଗଡ଼ ଠାରୁ ଅନତି ଦୁର କଖାରୁଫାଳ ନିକଟରେ ଟନେଲଟି ସୋମବାର ପୂର୍ବାହ୍ନରେ ଭୁଶୁଡି ଯାଇଛି। ପ୍ରାୟ ୩୦ ଫୁଟରୁ ଊର୍ଦ୍ଧ୍ବ ତଳକୁ ମାଟି ଭୁଶୁଡ଼ି ଯାଇଛି। 

ତେବେ ଭୁଶୁଡ଼ି ଯାଇଥିବା ଟନେଲର ଚାରି ପଟେ ଆବଦ୍ଧ କରିଦିଆ ଯାଇଛି। ଟନେଲ ଭିତରେ କେତେଜଣ କାମ କରୁଥିଲେ ଏବଂ କିଏ ଫସି ରହିଛନ୍ତି କି ଏ ନେଇ କମ୍ପାନୀ କର୍ତ୍ତୃପକ୍ଷ କୌଣସି ମୁହଁ ଖୋଲି ନ ଥିଲେ।  ପରବର୍ତ୍ତି ସମୟରେ   ଟନେଲ ଭିତରେ କେହି ଫସି ରହି ନ ଥିବା ଇଷ୍ଟକୋଷ୍ଟ ରେଳଓ୍ବେ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର ୪ ଭୁଶୁଡିବା ଘଟଣା ନେଇ ସ୍ପଷ୍ଟୀକରଣ ଦିଆଯାଇଛି।  ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର ୪ ରେ ଢିଲା  ମାଟି ଗଠନ ଏବଂ ଏହି  ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିବାର ଘଟଣା ଘଟିଛି । କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ ଏବଂ ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ ପ୍ରଭାବିତ କରିବ ନାହିଁ। ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଯୋଜନା ଅନୁଯାୟୀ କାମ ଜାରି ରହିଛି।