‘ବିଜ୍ଲି’ ଗୀତରେ ଫ୍ୟାନ୍ସଙ୍କ ହାର୍ଟବିଟ୍ ବଢାଇଲେ କିଆରା, ନିଆରା ଅନ୍ଦାଜରେ କଲେ ଇମ୍ପ୍ରେସ୍

ନୂଆଦିଲ୍ଲୀ ୨୬/୧୧ : ପରଦାରେ ବିଜ୍ଲି ଅବତାରରେ ନଜର ଆସିବେ ବଲିଉଡ୍ର ଗୋଲ୍ଡେନ୍ ଗର୍ଲ କିଆରା ଆଡ଼ଭାନି । ଅପ୍କମିଙ୍ଗ ଫିଲ୍ମ ‘ଗୋବିନ୍ଦା ନାମ୍ ମେରା’ର ‘ବିଜ୍ଲି’ ଗୀତ ଜରିଆରେ ସେ ଦର୍ଶକଙ୍କ ହାର୍ଟବିଟ୍ ବଢ଼ାଇଛନ୍ତି । ଏହି ଗୀତରେ ନୃତ୍ୟ, ଅଭିନୟର ଭରପୂର ମସାଲା ସେ ଭରିଛନ୍ତି । ହଟ୍କେ ଅବତାର, ଦମ୍ଦାର ନୃତ୍ୟଶୈଳୀ ଓ ମନମୁଗ୍ଧକର ଭାବଭଙ୍ଗୀ ଜରିଆରେ ସେ ଆକର୍ଷଣର କେନ୍ଦ୍ର ହୋଇଛନ୍ତି । ଏହି ଗୀତ ମାଧ୍ୟମରେ ମନୋରଞ୍ଜନର ଏକ ପୂର୍ଣ୍ଣ ପ୍ୟାକେଜ୍ ଭାବେ ସେ ପରଦାକୁ ଓହ୍ଲାଇଛନ୍ତି । ଏଥିରେ ତାଙ୍କ ବହୁମୁଖୀ ପ୍ରତିଭାର ନୂଆ ଦିଗ ଦେଖିବାକୁ ପାଇଛନ୍ତି ଦର୍ଶକ ।
ନିଆରା ଅନ୍ଦାଜ୍ରେ ସମସ୍ତଙ୍କ ହୃଦୟରେ କିଆରା ଘର କରିଛନ୍ତି । ମୋଟାମୋଟି ‘କୋହ୍ଲାପୁର କି ବିଜ୍ଲି’ ଅବତାର ଜରିଆରେ ଦର୍ଶକଙ୍କ ମତୁଆଲା କରିଛନ୍ତି କିଆରା। ଖାସ୍ କରି ଭାବପୂର୍ଣ୍ଣ ସିନ୍ ପାଇଁ କିଆରା ଦର୍ଶକୀୟଦୃତି ପାଇଛନ୍ତି । ଯେତେବେଳେ ସେ ପରଦାରେ କାନ୍ଦିଛନ୍ତି, ପ୍ରତି ଥର ଦର୍ଶକଙ୍କ ହୃଦୟକୁ ତରଳାଇ ଦେଇଛନ୍ତି । ତେବେ ‘ବିଜ୍ଲି’ ଗୀତ ଜରିଆରେ ସେ ଏବେ ଆଉ ଏକ ଦୁନିଆରେ ଏଣ୍ଟ୍ରି କରିଛନ୍ତି । କ୍ୟାଟ୍ରିନା ଓ କରୀନାଙ୍କ ଭଳି ମସାଲା କୁଇନ୍ଙ୍କ ତାଲିକାରେ ସେ ସାମିଲ ହୋଇଛନ୍ତି ।
ସିନେ କ୍ୟାରିଅର୍ରେ ପ୍ରଥମ ଥର ମସାଲା ଏଣ୍ଟର୍ଟେନ୍ମେଣ୍ଟରେ ପାଦ ଥାପିଥିବା କିଆରା ଫିଲ୍ମ ‘ଗୋବିନ୍ଦା ନାମ୍ ମେରା’ର ଟିଜର୍ ଜରିଆରେ ସୋସିଆଲ ମିଡିଆରେ ଚହଳ ପକାଇଛନ୍ତି । କ୍ୟୁଟ୍ ଓ ସେକ୍ସି ଲୁକ୍ରେ ଭରପୂର ମନୋରଞ୍ଜନର ଖୋରାକ ଦେଇ ଇଣ୍ଟର୍ନେଟ୍ ଜଗତକୁ ଚକିତ କରିଛନ୍ତି । ମସାଲା ଅବତାରରେ ଭିକି କୌଶଲଙ୍କ ସହ କେମିଷ୍ଟ୍ରି ତାଙ୍କ କ୍ୟାରିଅର୍ର ଏକ ଟର୍ନିଂ ପଏଣ୍ଟ୍ ବୋଲି ଚର୍ଚ୍ଚା ହେଉଛି । ‘ଗୋବିନ୍ଦା ନାମ୍ ମେରା’ ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଥିବା ତାଙ୍କର ୩ୟ ଫିଲ୍ମ । ‘ଭୁଲ୍ ଭୁଲୈୟା-୨’ ଓ ‘ଜୁଗ୍ ଜୁଗ୍ ଜିୟୋ’ର ସଫଳତା ପରେ ଏହି ଫିଲ୍ମ ଜରିଆରେ ସେ ହ୍ୟାଟ୍ରିକ୍ କରିବେ ବୋଲି ସିନେପ୍ରେମୀଙ୍କ ବିଶ୍ୱାସ ।