ନୂଆଦିଲ୍ଲୀ: ଚଳିତ ଆଇପିଏଲର ୫୭ତମ ଲିଗ୍ ମ୍ୟାଚରେ ବର୍ଷା ସାଜିଛି ବାଧକ । ରାଇପୁରରେ ଖେଳାଯାଉଥିବା ବେଙ୍ଗାଲୁରୁ-କୋଲକାତା ମୁକାବିଲା ଆରମ୍ଭ ହେବା ପୂର୍ବରୁ ବର୍ଷା ଆରମ୍ଭ ହୋଇଛି । ଯେଉଁ କାରଣରୁ ଟସ୍ ପଡ଼ିବାରେ ବିଳମ୍ବରେ ହେଉଛି । ଶେଷ ଖବର ସୁଦ୍ଧା ଛାଡ଼ିଥିଲେ ସୁଦ୍ଧା ଆଉଟଫିଲ୍ଡ ଶୁଖି ନଥିବା କାରଣରୁ ଟସ୍ ପଡ଼ିନାହିଁ । ପୂର୍ବରୁ ପାଣିପାଗ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ବେଶ ଗରୁତ୍ବ ବହନ କରୁଛି ।
ଏହି ମ୍ୟାଚ ଜିତି ବେଙ୍ଗାଲୁରୁ ପ୍ଲେ-ଅଫ୍ରେ ସ୍ଥାନ ସୁରକ୍ଷିତ କରିବାକୁ ପ୍ରୟାସ କରିବ । ୧୦ଟି ମ୍ୟାଚ ଖେଳି ୯ ପଏଣ୍ଟ ଅର୍ଜନ କରିଥିବା କୋଲକାତା ପାଇଁ ବିଜୟ ଜରୁରି । ପ୍ଲେ- ଅଫ୍ରେ ପ୍ରବେଶ କରିବାକୁ ହେଲେ ଦଳକୁ ଶେଷ ୪ଟି ଯାକ ମ୍ୟାଚ ଜିତିବାକୁ ହେବ । ତେଣୁ ଆଜି କୋଲକାତା ସବୁ ଶକ୍ତି ଲଗାଇ ବିଜୟ ଧାରା ଅବ୍ୟାହତ ରଖିବାକୁ ପ୍ରୟାସ କରିବ ।
କୋଲକାତା ପ୍ରଥମ ୬ଟି ମ୍ୟାଚରୁ ମାତ୍ର ୧ ପଏଣ୍ଟ ଅର୍ଜନ କରିଥିଲା । ପଞ୍ଜାବ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ଏହି ପଏଣ୍ଟ ମିଳିଥିଲା । ମାତ୍ର ଏହାପରେ କୋଲକାତା ଲଢୁଆ ପ୍ରତ୍ୟାବର୍ତ୍ତନ କରିଛି । କ୍ରମାନ୍ୱୟରେ ୪ଟି ମ୍ୟାଚ ଜିତି ଦଳ ପ୍ଲେ-ଅଫ୍ ଆଶା ବଞ୍ଚାଇ ରଖିଛି ।
ବେଙ୍ଗାଲୁରୁକୁ ହରାଇବାକୁ ହେଲେ କୋଲକାତାକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ଏପଟେ ପ୍ରମୁଖ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ହୋଇଥିବାରୁ ସ୍ପିନ ବିଭାଗକୁ ନେଇ କୋଲକାତାର ଚିନ୍ତା ବଢ଼ିଯାଇଛି । ବେଙ୍ଗାଲୁରୁ ଓପନର ଫିଲ ସଲ୍ଟ ଆହତ ହୋଇ ସ୍ୱଦେଶ ଫେରିଛନ୍ତି । ମାତ୍ର ସେ ଖୁବ ଶୀଘ୍ର ଦଳକୁ ଫେରିବେ ବୋଲି ଜଣା ପଡ଼ିଛି । ଆଜି ସେ ଅନୁପସ୍ଥିତ ରହିବେ । ପୂର୍ବ ଭଳି ଜାକବ ବେଥେଲ ଏକାଦଶରେ ସ୍ଥାନ ବଜାୟ ରଖିବେ । ସେହିପରି ରୋମାରିଓ ସେଫର୍ଡଙ୍କ ସ୍ଥାନରେ ଆଉ ଜଣେ ପେସ୍ ବୋଲର ଭାବେ ଜାକବ ଡଫିଙ୍କୁ ସୁଯୋଗ ମିଳିପାରେ ।
ଏହାସହ ପଢ଼ନ୍ତୁ: ପ୍ରେମିକର ହତ୍ୟାକାରୀ ସାଜିଲା ପ୍ରେମିକା, ପିଟିପିଟି ମାରିଦେଲେ...